ପ୍ରମୂଖ ଖବର
  • କର୍ଣ୍ଣାଟକ ହାଇକୋର୍ଟ ବିଚାରପତି ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ଙ୍କ ବଦଳି ଆଦେଶ ଉପରେ ମୋହର ମାରିଲେ କେନ୍ଦ୍ର ସରକାର, ତୁରନ୍ତ ଓଡିଶା ହାଇକୋର୍ଟରେ ଯୋଗଦେବେ
  • ||
  • ବାଲେଶ୍ୱର : ଦାଦାବଟି ନଦେବାରୁ ଟ୍ରକ୍ ଡ୍ରାଇଭର୍ ଓ ହେଲପରଙ୍କୁ ନିସ୍ତୁକ ମାଡ଼, ପୋଲିସ ଉପରକୁ ଆକ୍ରମଣ, ୪ ଗିରଫ
  • ||
  • ଗଞ୍ଜାମ : ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଅଟକ
  • ||

ଶୁକ୍ରବାରଠୁ ସଂସଦର ବଜେଟ୍‌ ଅଧିବେଶନ: କାଲି ଆସିବ ସାଧାରଣ ବଜେଟ୍, ଆସିପାରେ ୧୬ ବିଲ୍

Published By : Prameya | January 31, 2025 7:24 AM

ନୂଆଦିଲ୍ଲୀ,୩୧/୦୧: ଆଜିଠୁ ସଂସଦର ବଜେଟ୍‌ ଅଧିବେଶନ ଆରମ୍ଭ ହେବ । ଏହା ଫେବ୍ରୁଆରୀ  ୧୩ ପର୍ଯ୍ୟନ୍ତ ଚାଲିବ । ଏହାପରେ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ଏପ୍ରିଲ ୪ରେ  ଶେଷ ହେବ । ଶୁକ୍ରବାର ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ ଉଭୟ ଗୃହକୁ ସମ୍ବୋଧନ କରି ଭାଷଣ ଦେବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୫  ଆଗତ କରିବେ । ଫେବ୍ରୁଆରୀ ୧  ବା ଶନିବାର ଅର୍ଥମନ୍ତ୍ରୀ ସାଧାରଣ ବଜେଟ୍‌ ୨୦୨୫-୨୬ ଉପସ୍ଥାପନ  କରିବେ । 

ଅର୍ଥନୈତିକ ସର୍ଭେ  ରିପୋର୍ଟରେ ଚଳିତ ଆର୍ଥିକବର୍ଷ  (୨୦୨୪-୨୫)ରେ ଘରୋଇ ଅର୍ଥ  ବ୍ୟବସ୍ଥା କିଭଳି ଥିଲ। ତାହା ନେଇ ଏକ ମୂଲ୍ୟାୟନ ତଥ୍ୟ ସ୍ଥାନ ପାଇବ । ବଜେଟ୍‌ ଅଧିବେଶନ ପୂର୍ବରୁ ଗୁରୁବାର କେନ୍ଦ୍ର  ସରକାର ସର୍ବଦଳୀୟ ବୈଠକ ଡାକିଥିଲେ ।  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୩୬ ଦଳର ୫୨ ନେତା  ଯୋଗଦେଇଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ  କିରେନ ରିଜିଜୁ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ  ମନ୍ତ୍ରୀ ଜେ ପି ନଡ୍ଡା, ଆଇନ ମନ୍ତ୍ରୀ ଅର୍ଜୁନ ରାମ  ମେଘୱାଲ ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍‌ ମୁରୁଗାନଙ୍କ ବ୍ୟତୀତ ବରିଷ୍ଠ କଂଗ୍ରେସ ନେତା  ଜୟରାମ ରମେଶ, ଦଳୀୟ ସାଂସଦ ଗୌରବ  ଗୋଗୋଇ, ସପା ସାଂସଦ ରାମଗୋପାଳ ଯାଦବ  ପ୍ରମୁଖ ସାମିଲ ହୋଇଥିଲେ । 

ଗୁରୁବାର ସଂସଦ ଅଧିବେଶନ କିଭଳି ସୁଚାରୁ ରୂପେ ଚାଲିବ,ସେଥିପାଇଁ ସଂସଦୀୟ ମନ୍ତ୍ରୀ ରିଜିଜୁ ସର୍ବଦଳୀୟ ବୈଠକ ଡାକିଥିଲେ ।ବୈଠକରେ ଆଲୋଚନା ସଫଳ ହୋଇଥିବା ରିଜିଜୁ କହିଛନ୍ତି । ତାଙ୍କ ମୁତାବକ, ବିରୋଧୀ ପକ୍ଷ ନେତାମାନେ  କିଛି ପ୍ରସଙ୍ଗ ଉଠାଇ ତାହା ଉପରେ ଚର୍ଚ୍ଚା ପାଇଁ  ଦାବି କରିଥିଲେ । ତେବେ କେଉଁ ପ୍ରସଙ୍ଗ ଉପରେ  ଆଲୋଚନା ହେବ, ତାହା କମିଟି ସ୍ଥିର କରିବ । ବଜେଟ୍‌ ଅଧିବେଶନରେ ସର୍ବମୋଟ ୨୭ଟି ବୈଠକ  ରହିବ । ପ୍ରଥମ ଭାଗରେ ୯ଟି ଓ ଦ୍ୱିତୀୟ ଭାଗରେ  ୧୮ଟି ରହିବ । 

ବଜେଟ୍‌ ଅଧିବେଶନରେ କେନ୍ଦ୍ର ସରକାର ୧୬ଟି  ବିଲ୍‌ ଆଣିପାରନ୍ତି । ସେଥିମଧ୍ୟରୁ ୱାକଫ୍‌ ସଂଶୋଧନ  ବିଲ୍‌ ସମେତ ୧୨ଟି ବିଲ୍‌କୁ ଗତବର୍ଷ ମୌସୁମୀ ଓ  ଶୀତ ଅଧିବେଶନରେ ଅଣାଯାଇଥିଲା । ୪ଟି ନୂଆ  ବିଲ୍‌ ମଧ୍ୟରେ ଫାଇନାନ୍ସ ବିଲ୍‌, ୨୦୨୫ ବ୍ୟତୀତ  ପ୍ରୋଟେକ୍ସନ୍‌ ଅଫ୍‌ ଇଣ୍ଟରେଷ୍ଟ ଇନ୍‌ ଏୟାରକ୍ରାଫ୍ଟ ଅବଜେକ୍ଟସ, ତ୍ରିଭୁବନ ସହକାରୀ ୟୁନିଭର୍ସିଟି ଓ  ଇମିଗ୍ରେସନ୍‌ ଆଣ୍ଡ ଫରେନର୍ସ ବିଲ୍‌ ଅନ୍ତର୍ଭୁକ୍ତ । ପୁରୁଣା ବିଲ୍‌ ମଧ୍ୟରୁ ୱାକଫ୍‌ ସଂଶୋଧନ ବିଲ୍‌ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଗତ ବର୍ଷ ଅଗଷ୍ଟ  ୮ରେ ସଂସଦରେ ଉପସ୍ଥାପନ କରାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.