ନୂଆଦିଲ୍ଲୀ,୨/୬: ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା। ଶେଷ ପର୍ଯ୍ୟାୟ ମତଦାନ ଶେଷ ହେବାର କିଛି ଘଣ୍ଟା ପରେ ଜଣେ ବିଜେପି କର୍ମୀଙ୍କ ବାସଭବନ ଏବଂ ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟ ବାହାରେ ବୋମା ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ବାରକପୁର ସହରରେ ଥିବା ତୃଣମୂଳ କଂଗ୍ରେସର କାର୍ଯ୍ୟାଳୟ ବାହାରେ କିଛି ଦୁର୍ବୃତ୍ତ ବୋମା ମାଡ଼ କରିଛନ୍ତି । ଏଥିସହ ଜଣେ ବିଜେପି କର୍ମୀଙ୍କ ଘର ଉପରକୁ ବୋମାମାଡ଼ କରାଯାଇଥିବା ସୂଚନା ମିଳିଛି।
ସେହିପରି ଗତକାଲି ମତଦାନ ସମୟରେ ମଧ୍ୟ ହିଂସା ଦେଖିବାକୁ ମିଳିଥିଲା। କିଛି ସ୍ଥାନରେ ଭୋଟକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ଆଉ କିଛି ସ୍ଥାନରେ କିଛି ଲୋକ ଇଭିଏମ ମେସିନକୁ ପାଣିରେ ଫୋପାଡିଥିବା ନଜର ଆସିଥିଲା । ଏହା ଆଗରୁ ମଧ୍ୟ ୨୪ ପ୍ରଗଣା ଯାଦବପୁର ଲୋକସଭା ଆସନରେ ହିଂସା ଦେଖିବାକୁ ମିଳିଥିଲା । ଦୁଇ ଗୋଷ୍ଠୀ ପରସ୍ପର ସହ ସଂର୍ଘଷ କରିବା ଦେଖିବାକୁ ମିଳିଥିଲା ।