ଭୁବନେଶ୍ୱର,୧୪/୦୨: ସହର ସାରା ନିମ୍ବ, ବେଲ, ଅର୍ଜୁନ ଆଦି ଗଛ ଚାରା ଲଗାଇବାକୁ ବିଏମ୍ସି ଆରମ୍ଭ କଲା ଅଭିଯାନ । ଛୋଟ ମୋଟ ନୁହେଁ, ପୂରା ମେଗା ଅଭିଯାନ । ଗୋଟିଏ ଗୋଟିଏ ଚାରା ପିଛା ୧୫୬୮ ଟଙ୍କା ଖର୍ଚ୍ଚ କରିଛି ବୋଲି ତାଲିକା ଥୋଇଲା । ଏମିତି ଭାବେ ୪୦ ହଜାର ଗଛ ପାଇଁ ୨.୫ କୋଟି ଉଡ଼ାଇ ଦେଲା । ଏବେ ୫୦ ଭାଗ ଗଛ ଅନ୍ତର୍ଦ୍ଧାନ ହୋଇଗଲାଣି । ଚାରାର ସୁରକ୍ଷା ପାଇଁ ଲାଗିଥିବା ବାଡ଼ର ବି ଚିହ୍ନବର୍ଣ୍ଣ ମିଳୁନି ।
ପାତ୍ରପଡାରେ ମିଆୱାକି ପଦ୍ଧତ୍ତିରେ ଗଛ ଲାଗିଥିଲା । ଏବେ ଗଛ ସବୁ ଶୁଖି ମରିଗଲାଣି । ଅଧେ ଦରମଲା ଅବସ୍ଥାରେ । ବାଉଁଶ ବାଡ଼ ଭାଙ୍ଗିଗଲାଣି । ତିରୁମାଳା ତିରୁପତି ମଣ୍ଡପ ପାଶ୍ୱର୍ ରାସ୍ତାରେ ପାଖରେ ବିଏମ୍ସି ୨୦୦ରୁ ଊଦ୍ଧ୍ୱର୍ ଗଛ ଲଗାଇଥିଲା । ସେଥିରୁ ଅଧେ ମରିଗଲାଣି । ମିଆୱାକି ପଦ୍ଧତିରେ ୯ଟି ସ୍ଥାନରେ ଲାଗିଥିବା ଗଛର ଅବସ୍ଥା ଏମିତି । ଏହାବ୍ୟତୀତ ବିଭିନ୍ନ ୱାର୍ଡରେ ବିଏମ୍ସି ପକ୍ଷରୁ ଚାରା ରୋପଣ ହୋଇଥିଲା । ମଶାଣି, ରାସ୍ତା ପାଖ ଏବଂ ଅନ୍ୟସ୍ଥାନରେ ବିଏମ୍ସି ଚାରା ପୋତିଥିଲା । ଏହାକୁ ସୁରକ୍ଷିତ ରଖିବାକୁ ବିଏମ୍ସି ଟ୍ରି ଗାର୍ଡ ଦେଇଥିଲା । ହେଲେ ଏବେ ଅଧିକାଂଶ ଗଛ ପାଖରେ ଟ୍ରି ଗାର୍ଡ ନାହିଁ । ବିଭିନ୍ନ ୱାର୍ଡରେ ଲାଗିଥିବା ଗଛ ଲଗା କ୍ଷେତ୍ରରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ବିସ୍ମିତ କରିଛି । ବିଏମ୍ସିରୁ ମିଳିଥିବା ତଥ୍ୟ ମୁତାବକ, ପ୍ରତି ଚାରା କିଣା ପିଛା ୫୩.୧୦ ପଇସା ଖର୍ଚ୍ଚ ଧାର୍ଯ୍ୟ ହୋଇଥିଲା । ଏହା ସହ ଗଛ ପୋତିବାକୁ ୫୨.୯୦ ପଇସା ସ୍ଥିର ହୋଇଥିଲା ।
ସେହିପରି ପ୍ରତି ଚାରାକୁ ବୁଲା ଗୋରୁଙ୍କ କବଳରୁ ବଞ୍ଚାଇବାକୁ ଟ୍ରି ଗାର୍ଡ ଲାଗିବ । ପ୍ରତି ଟ୍ରି ଗାର୍ଡ ପିଛା ୧୪୬୨ ଟଙ୍କା ଖର୍ଚ୍ଚ କରିବାକୁ ଧାର୍ଯ୍ୟ ହୋଇଥିଲା । ଏପରି ଭାବେ ମୋଟ ୧୫୬୨ ଟଙ୍କା ସ୍ଥିର ହୋଇଥିଲା । ଗଛ ଚାରା ବନ ବିଭାଗ ଦେଇଥିବା ବେଳେ ଟ୍ରି ଗାର୍ଡ ବିଏମ୍ସି ଯନ୍ତ୍ରୀ କିଣିଥିଲେ ।
୫୨ ଟଙ୍କିଆ ଗଛ ଚାରାର ସୁରକ୍ଷା ପାଇଁ ୧୫ ଟଙ୍କିଆ ବାଡ଼ ଦେଇଥିଲା ବିଏମ୍ସି । ଏଥିରେ ବି ହେରଫେର ହୋଇଛି । ବିଏମ୍ସି ମୋଟ୍ ବିଏମ୍ସିର ପକ୍ଷରୁ ୧୨,୦୦୦ ଟ୍ରି ଗାର୍ଡ କିଣାଯାଇଥିଲା । ଏହାର ମୂଲ୍ୟ ୧ କୋଟି ୭୫ ଲକ୍ଷ ୪୬ ହଜାର ୬୫ ଟଙ୍କା ଖର୍ଚ୍ଚ ହୋଇଥିଲା । ହେଲେ ଆଶ୍ଚର୍ଯ୍ୟର ବିଷୟ ଏବେ ଏହି ଟ୍ରି ଗାର୍ଡର ପତ୍ତା ମିଳୁନି । ଯେଉଁ କିଛି ସ୍ଥାନରେ ଅଛି ସେଠାରେ ଚଞ୍ଚକତା ରହିଛି। ଲୁହା ତାର ଜାଲି ବଦଳରେ ପ୍ଲାଷ୍ଟିକ ଟ୍ରି ଗାର୍ଡ ବ୍ୟବହାର ହୋଇଛି । ସେଥିରେ ଜିଆଇ ବର୍ଡର ଦିଆଯାଇଛି ।
ଗଛ ପୋତିବାରେ ବି ସମାନ ହେରଫେର ଅଭିଯୋଗ ହୋଇଛି । ବନ ବିଭାଗର ନିୟମ ଅନୁସାରେ ୧୦୦୦ ଚାରା ପୋତିବା ପାଇଁ ପିଛା ୧୬ ଜଣ ନିୟୋଜିତ ରହିବେ। ସେମାନଙ୍କୁ ଜଣପିଛା ନିୟମ ଅନୁସାରେ ୪୫୨ ଟଙ୍କା ଦିଆଯିବ । ଏହି ହିସାବ ଦେଖିଲେ ହଜାରେ ଗଛକୁ ୭୨୩୨ ଟଙ୍କା ଖର୍ଚ୍ଚ ହେବ । ଅର୍ଥାତ ଗଛ ପିଛା ୭.୩୨ ପଇସା । ଏଥିରେ ପରିବହନ, ଖତକୁ ମିଶାଇଲେ ଅତି ବେଶିରେ ୨୦ ଟଙ୍କା ଖର୍ଚ୍ଚ ହେବ। ହେଲେ ଏହାକୁ ୫୨.୧୦ ପଇସା ଦେଖାଇଛନ୍ତି । ଖାଲି ଏତିକି ନୁହେଁ, ପ୍ରତିଗଛର ଦୈଘ୍ୟ, ପ୍ରସ୍ଥ ଓ ଉଚ୍ଚତା ଅତି ବେଶିରେ ୪୫ ବର୍ଗ ଫୁଟ ରହିବା କଥା । ହେଲେ ଅଧିକାଂଶ ଗଛ ପ୍ରାୟ ୨୦ମିରେ ପୋତା ହୋଇଛି । ଫଳରେ ଗଛ ଚେର ଭିରରକୁ ପ୍ରବେଶ କରି ନ ପାରିବାରୁ ମରିଯାଉଛି ।
ଏହି ଗଛ କିଣା ଲଗାଇବାରେ ହେରଫେର ହୋଇଥିବା ନେଇ ଖୋଦ୍ ଜଣେ କର୍ପୋରେଟର ପ୍ରସଙ୍ଗ ଉଠାଇ ଜବାବ ମାଗିଥିଲେ । ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ସହର ଭିତରେ ବନୀକରଣ ପାଇଁ ବିଏମ୍ସି ବିଭିନ୍ନ ୱାର୍ଡରେ ଗଛ ଲଗାଇବା ସହ ମିଆୱାକି ପଦ୍ଧତ୍ତିରେ ଗଛ ରୋପଣ କରିଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସହରକୁ ସବୁଜ କରିବାକୁ । ହେଲେ ସବୁଜ ନାଁରେ ହରିଲୁଟ ନେଇ ଅଭିଯୋଗ ହୋଇଛି । ଏ ସମ୍ପର୍କରେ ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଚାରା ସୁରକ୍ଷା ପାଇଁ ଆସିଥିବା ଗାର୍ଡ ଗୁଡ଼ିକ କୁଆଡ଼େଗଲା ତାହାର ଆମେ ତଦନ୍ତ କରିବୁ । କେଉଁ କେଉଁ ସ୍ଥାନରେ ଚାରା ରୋପଣ ହୋଇଥିଲା ଓ ତାହାର ଅବସ୍ଥା ଏବେ କ’ଣ ରହିଛି ତଦାରଖ କରାଯିବ ।