ଫିରିଙ୍ଗିଆ,୧୦/୦୨: କନ୍ଧମାଳ ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ବ୍ଲକ ଭାବରେ ଜଣାଶୁଣା ଫିରିଙ୍ଗିଆ ବ୍ଲକ ଅଞ୍ଚଳରେ ବର୍ତ୍ତମାନ ବିପର୍ଯ୍ୟସ୍ତ ହୋଇପଡିଛି ସ୍ୱାସ୍ଥ୍ୟ ସେବା । ବାରମ୍ବାର ଦାବି ସତ୍ତ୍ୱେ ମଧ୍ୟ୍ୟ ହୋଇପାରୁନି ସମସ୍ୟାର ସମାଧାନ । ତେବେ ଲାଗି ରହିଥିବା ଏହି ସ୍ୱାସ୍ଥ୍ୟ ସେବା ସମସ୍ୟାର ସମାଧାନ ପାଇଁ ଦିନିକିଆ କନ୍ଧମାଳ ଗସ୍ତରେ ଆସିଛନ୍ତି ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦେଇଛନ୍ତି ଭାରତୀୟ ଜନତା ପାର୍ଟି ଫିରିଙ୍ଗିଆ ବ୍ଲକର ଏକ ପ୍ରତିନିଧି ଦଳ । ତେବେ ଯୁବ ବିଜେପି ନେତା ରଘୁପତି କହଁରଙ୍କ ସହ ସଂସଦ ପ୍ରତିନିଧି ଗୋଲକ ବିହାରୀ କହଁର, ବିଧାୟକ ପ୍ରତିନିଧି ପ୍ରଶାନ୍ତ କମ୍ପ, ବିଧାୟକଙ୍କ ସ୍ୱାସ୍ଥ୍ୟ ପ୍ରତିନିଧି ଅକ୍ଷୟ କୁମାର କଟା ଓ ଅଞ୍ଚଳର ଜଣାଶୁଣା ମହିଳା ସମାଜସେବୀ ତଥା ବିଜେପି ମହିଳା ନେତ୍ରୀ ମୌସୁମୀ ପ୍ରଧାନ ମୁକାଶ ମହାଲିଙ୍ଗଙ୍କୁ ଫୁଲବାଣୀ ସର୍କିଟ ହାଉସରେ ସ୍ୱତନ୍ତ୍ର ଭାବରେ ଭେଟି ଆଲୋଚନା କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ସୂଚନା ଅନୁସାରେ, ଫିରିଙ୍ଗିଆ ବ୍ଲକରେ ସମୁଦାୟ ୨୪ ଟି ପଞ୍ଚାୟତ ରହିଥିବା ବେଳେ ଗୋଟିଏ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ତିନୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି । କିନ୍ତୁ ବ୍ଲକ ମୁଖ୍ୟାଳୟ ଠାରୁ ଆରମ୍ଭ କରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଡାକ୍ତର ଅଭାବ ରୋଗୀ ସେବାରେ ବ୍ୟାଘାତ ସୃଷ୍ଟି କରୁଛି । ଅନ୍ୟପଟେ ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ବେଡ଼୍ ନ ଥିବାରୁ ମେଡିକାଲକୁ ଆସୁଥିବା ରୋଗୀମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସେପଟେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଛାଡି ଦେଲେ ଅନ୍ୟ କୌଣସି ମେଡିକାଲରେ ଆମ୍ବୁଲାନ୍ସ ନଥିବାରୁ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ସାଧାରଣ ଗରିବ ରୋଗୀ । ସେପଟେ ୨୪ ଗୋଟି ପଞ୍ଚାୟତ ମୁଖ୍ୟାଳୟ ମାନଙ୍କରେ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ବା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଗୁଡିକ ଖୋଲା ଥିବାବେଳେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଠିକ ଭାବରେ ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀମାନେ ରହୁନଥିବାରୁ ଅଞ୍ଚଳର ରୋଗୀମାନେ ପ୍ରାଥମିକ ଚିକିତ୍ସା ପାଇବାରୁ ମଧ୍ୟ୍ୟ ବଞ୍ଚିତ ହେଉଛନ୍ତି ।
ତେବେ ଏହି ସବୁ ସମସ୍ୟାର ସମାଧାନ ସହ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଭେଷଜ ବିଶେଷଜ୍ଞ, ଗୋଟିଏ ମହିଳା ଓ ଶିଶୁ ରୋଗ ବିଶେଷଜ୍ଞ, ଡାକ୍ତର ସହ ପ୍ରତ୍ୟେକ ମେଡିକାଲରେ ଗୋଟିଏ ଲେଖାଏଁ ଆମ୍ବୁଲାନ୍ସ ଯୋଗାଇ ଦେବା ନେଇ ଦାବି କରାଯାଇଛି । ଏହା ସହ ଫିରିଙ୍ଗିଆ ବ୍ଲକକୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସ୍ୱତନ୍ତ୍ର ଦୃଷ୍ଟି ଦେବାପାଇଁ ଏହି ବିଜେପି ପ୍ରତିନିଧି ଦଳ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଦାବି ଜଣେଇଛନ୍ତି ।