ନୂଆଦିଲ୍ଲୀ,୦୬/୦୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯେସାକୁ ତେସା ଶୁଳ୍କ ନୀତ ବିଶ୍ୱ ବଜାରରେ ଆଣିଛି ଭୂକମ୍ପ । ବଡ଼ ବଡ଼ କମ୍ପାନିଗୁଡ଼ିକର ସେୟାର ମୁହଁ ମାଡ଼ି ପଡ଼ିଛି । ଅନିଶ୍ଚିତତା ମଧ୍ୟରେ ନିବେଶକମାନେ ପ୍ରଚୁର ମାତ୍ରାରେ ସେୟାର ବିକ୍ରି କରିଦେଇଛନ୍ତି । ଆସ୍ଥା ହରାଇଛନ୍ତି ନିବେଶକ । ଅନ୍ୟପକ୍ଷରେ, ବହୁ ବିଲିୟନ ଡଲାର କ୍ଷତି ସହିଛନ୍ତି ବିଶ୍ୱର ମହାଧନୀ । ସବୁଠାରୁ ଅଧିକ କ୍ଷତି ସହିଛନ୍ତି ମେଟା ସିଇଓ ମାର୍କ ଜୁକ୍କରବର୍ଗ । ଗୋଟିଏ ଦିନରେ ସେ ହରାଇଛନ୍ତି ୧୭.୯ ବିଲିୟନ ଡଲାର । ଏବେ ତାଙ୍କ ମୋଟ ସମ୍ପତ୍ତି ୧୮୯ ବିଲିୟନ ଡଲାରକୁ ଖସିଆସିଛି । କେବଳ ୨୦୨୫ରେ ଜୁକ୍କରବର୍ଗଙ୍କ ସମ୍ପତ୍ତି ୧୮.୬ ବିଲିୟନ ଡଲାର ଖସିଥିବା ବ୍ଲୁମ୍ବର୍ଗ ବିଲିୟନେୟାର ସୂଚୀରୁ ଜଣାପଡ଼ିଛି ।
ଏହା ପଛକୁ ରହିଛନ୍ତି ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସ୍ । ଟ୍ରମ୍ପଙ୍କ ଟାରିଫ୍ ବା ଶୁଳ୍କ ବାଣରେ ଆମେରିକା ବଜାରରେ କ୍ରାସ ହେବା ପରେ ତାଙ୍କ ସମ୍ପତ୍ତି ୧୫.୯ ବିଲିୟନ ଡଲାର ସଂକୁଚିତ ହୋଇଛି । ଟେସ୍ଲା ମୁଖ୍ୟ ତଥା ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏବଂ ଟ୍ରମ୍ପଙ୍କ ପ୍ରମୁଖ ସହଯୋଗୀ ଏଲନ୍ ମସ୍କ ହରାଇଛନ୍ତି ୧୧ ବିଲିୟନ ଡଲାର । ୨୦୨୫ରେ ତାଙ୍କର ମୋଟ କ୍ଷତି ୧୧୦ ବିଲିୟନ ଡଲାରରୁ ଅଧିକ ରହିଛି। ଦ ବାନ୍ସେନ୍ ଗ୍ରୁପ୍ର ଚିଫ୍ ଇନ୍ଭେଷ୍ଟମେଣ୍ଟ ଅଫିସର ଡେଭିଡ୍ ବାନ୍ସେନ୍ କହିଛନ୍ତି ଯେ, ଏହା କେବଳ ଏକ ଟେକ୍ କରେକ୍ସନ ନୁହେଁ । ଏହା ଟ୍ରମ୍ପଙ୍କ ଆକ୍ରାମକ ଶୁଳ୍କ ନୀତିର ପ୍ରଭାବ । ଟ୍ରମ୍ପଙ୍କ ନୀତି ନିବେଶକଙ୍କୁ ଭୟଭୀତ କରିଛି । ଅର୍ଥବ୍ୟବସ୍ଥା ଉପରେ ସେମାନଙ୍କ ଆସ୍ଥା ଟଳମଳ ହୋଇଛି । ଆଗକୁ ମହାମାନ୍ଦାବସ୍ଥା ମାଡ଼ି ଆସୁଛି ବୋଲି ବିଶେଷଜ୍ଞ କରିଛନ୍ତି ସତର୍କବାଣୀ । ଏସବୁ ଆଶଙ୍କାରୁ ମଧ୍ୟ ବିଶ୍ୱ ବଜାର ନିମ୍ନମୁଖୀ ହେଉଛି । ଲଗାତର ବିଭିନ୍ନ ଦେଶର ଷ୍ଟକ୍ ବଜାରରେ ପତନ ଦେଖିବାକୁ ମିଳୁଛି ।
ଟ୍ରମ୍ପ ଦାବି କରିଛନ୍ତି ଯେ, ତାଙ୍କ ଏ ପଦକ୍ଷେପ ଆମେରିକାକୁ ବିପୁଳ ରାଜସ୍ୱ ଆଣିବ । ଏହା ବଜାରରେ ଉତ୍ସାହ ଆଣିବ । କିନ୍ତୁ ନିବେଶକମାନେ ଏହାକୁ ନେଇ ସହମତ ନାହାନ୍ତି । ଦିନକରେ ଏସ୍ ଆଣ୍ଡ୍ ପି ୫୦୦ ୪.୮୫% ଖସିଛି, ଯାହାକି ୨୦୨୦ରୁ ସର୍ବୋଚ୍ଚ ଦୈନିକ ହ୍ରାସ । ନାସ୍ଡାକ୍ କମ୍ପୋଜିଟ୍ ଇଣ୍ଡେକ୍ସ ପ୍ରାୟ ୬% ଖସିଛି । ସେହିଭଳି ଡାଓ ଜୋନ୍ସ ୪% ସଂକୁଚିତ ହୋଇଛି । ମୋଟାମୋଟି ଭାବେ ଶୀର୍ଷ ୫୦୦ ପବ୍ଲିକ୍ କମ୍ପାନି ହରାଇଛନ୍ତି ୨.୪ ଟ୍ରିଲିୟନ ଡଲାର । ଟେକ୍ନୋଲୋଜି ଷ୍ଟକ୍ଗୁଡ଼ିକ ଅଧିକ ଖସିଛି । କେବଳ ଟେକ୍ନୋଲୋଜି କମ୍ପାନିଗୁଡ଼ିକ ହରାଇଛନ୍ତି ୭୬୦ ବିଲିୟନ ଡଲାର ।
ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍ସ ୭୭.୪ କୋଟି ଡଲାର ହରାଇଥିବାବେଳେ ଆଲ୍ଫାବେଟ୍ ସିଇଓ ସୁନ୍ଦର ପିଚାଇ ୧.୮ କୋଟି ଡଲାର କ୍ଷତି ସହିଛନ୍ତି । ଆପଲ୍ ସିଇଓ ଟିମ୍ କୁକ୍ଙ୍କ ନେଟ୍ ସମ୍ପତ୍ତି ୬.୮ କୋଟି ଡଲାରକୁ ଖସିଆସିଛି । ମେଟା ସେୟାର ୯% ଖସିଥିବାବେଳେ ଆମାଜନ୍ ୬% ଏବଂ ଟେସ୍ଲା ୫.୫% ଖସିଛି । ତାଇୱାନ୍ ଏବଂ ମେକ୍ସିକୋ ଉପରେ ଚିପ୍ ଉତ୍ପାଦନ ଓ ଏଆଇ ହାର୍ଡୱେର୍ ପାଇଁ ନିର୍ଭରଶୀଳ ଏନ୍ଭିଡିଆ ୪% ଖସିଛି । ଆଲ୍ଫାବେଟ୍ ଏବଂ ଆପଲ୍ ବି ନିମ୍ନମୁଖୀ ହୋଇଥିବା ଜଣାପଡ଼ିଛି ।
ଆମେରିକାର ପ୍ରମୁଖ ବ୍ୟାଙ୍କ ଜେ.ପି. ମୋର୍ଗାନ୍ର ମୁଖ୍ୟ ଅର୍ଥନୀତିଜ୍ଞ ବ୍ରୁସ୍ କାସ୍ମ୍ୟାନ୍ କହିଛନ୍ତି ଯେ, ମାନ୍ଦାବସ୍ଥାର ୬୦% ସମ୍ଭାବନା ରହିଛି । ଶୁଳ୍କ ବୃଦ୍ଧିର ପ୍ରଭାବ ଆହୁରି ବଢ଼ିପାରେ । ଏ ପ୍ରଭାବ ରାଷ୍ଟ୍ରଗୁଡ଼ିକର ପାଲଟା ଶୁଳ୍କ ହମ୍ଲା, ଆମେରିକାରେ ବ୍ୟବସାୟିକ ସେଣ୍ଟିମେଣ୍ଟ ଖସିବା ଏବଂ ଯୋଗାଣ ଶୃଙ୍ଖଳରେ ବ୍ୟବଧାନ ଉପରେ ନିର୍ଭର କରିବ ।