ନୂଆଦିଲ୍ଲୀ,୦୭/୦୪: ନୂଆ ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କର ପ୍ରଥମ ମୁଦ୍ରାନୀତି କମିଟି (ଏମ୍ପିସି) ବୈଠକ ସୋମବାର ଠାରୁ ଆରମ୍ଭ ହେଉଛି । ଏହି ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ ୦.୨୫% ସୁଧହାର ହ୍ରାସ କରିପାରେ ବୋଲି ଅନୁମାନ କରାଯାଉଛି । ଏହା ହେଲେ ଆଗାମୀ ଦିନରେ ଋଣ ଶସ୍ତା ହେବ । ୯ ଏପ୍ରିଲ ସକାଳ ୧୦ରେ ଆର୍ବିଆଇ ଗଭର୍ଣ୍ଣର ସଞ୍ଚୟ ମାଲହୋତ୍ରା ଏମ୍ପିସି ବୈଠକ ସମ୍ପର୍କରେ ସୂଚନା ଦେବେ ।
ମୁଦ୍ରାନୀତି କମିଟିରେ ୬ ସଦସ୍ୟ ରହିଥିବା ବେଳେ ୩ ଜଣ ଆର୍ବିଆଇ ଏବଂ ଅନ୍ୟ ୩ ଜଣଙ୍କୁ କେନ୍ଦ୍ର ସରକାର ନିଯୁକ୍ତ କରିଥାନ୍ତି । ଆର୍ଥିକ ବର୍ଷ ୨୦୨୪- ୨୫ର ଶେଷ ଏମ୍ପିସି ବୈଠକରେ ଆର୍ବିଆଇ ରେପୋ ରେଟ୍ରେ ୦.୨୫% ହ୍ରାସ କରିଥିଲା । ଫେବ୍ରୁଆରିରେ ହୋଇଥିବା ଏହି ବୈଠକରେ ସୁଧହାର ୬.୫୦%ରୁ ୬.୨୫%କୁ ଖସିଥିଲା । ଦୀର୍ଘ ୫ ବର୍ଷ ପରେ ସୁଧହାରରେ ଏଭଳି ପରିବର୍ତ୍ତନ ହୋଇଥିଲା । ରେପୋ ରେଟ୍ କମିଲେ ବ୍ୟାଙ୍କଗୁଡ଼ିକ ବାସଗୃହ ଏବଂ ଅଟୋମୋବାଇଲ ଭଳି ଋଣ କ୍ଷେତ୍ରରେ ସୁଧ କମାଇଥାନ୍ତି । ଋଣ ଶସ୍ତା ହେବା ସହ ଇଏମ୍ଆଇ ମଧ୍ୟ କମିଥାଏ । ବାସଗୃହ ଚାହିଦା ବଢ଼ିବା ସହ ରିୟଲ ଇଷ୍ଟେଟ ନିବେଶ ବଢ଼ିଥାଏ ।