ନୂଆଦିଲ୍ଲୀ : ଦେଶରେ ସୋମବାର ମହଙ୍ଗାର ବଡ଼ ଝଟକା ଲାଗିଛି। ଏଲପିଜି ସିଲିଣ୍ଡରର ଦାମ୍‌ରେ ବୃଦ୍ଧି ଘଟିଛି। ସରକାର ୧୪ କିଲୋଗ୍ରାମ୍‌ର ଘରୋଇ ଏଲପିଜି ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ୫୦ ଟଙ୍କା ବଢାଇ ଦେଇଛନ୍ତି। ଏହାପରେ ଉଜ୍ଜ୍ୱଳା ଯୋଜନା ଅନୁସାରେ ମିଳୁଥିବା ରନ୍ଧନ ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ୫୦୩ ଟଙ୍କାରୁ ବଢି ୫୫୩ ଟଙ୍କା ଓ ଅଣ ଉଜ୍ଜ୍ୱଳା ଯୋଜନା ଅନୁସାରେ ୮୦୩ ଟଙ୍କାରୁ ବଢି ୮୫୩ ଟଙ୍କା ହୋଇଯିବ।  

ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ମିଡ଼ିଆକୁ ସମ୍ୱୋଧିତ କରି କହିଛନ୍ତି ଯେ, ଅନ୍ତରାଷ୍ଟ୍ରୀୟ ଦାମ୍‌ ବଢୁଛି ଏବଂ ଆମର ଏଠାରେ ଦାମ୍‌ ହ୍ରାସ ପାଉଛି। ଆମେ ନିଷ୍ପତ୍ତି ନେଇଛୁ କି, ରୋଷେଇ ଗ୍ୟାସ୍‌ର ଦାମ୍‌ରେ ୫୦ ଟଙ୍କାର ବୃଦ୍ଧି କରାଯିବ। ସେ କହିଛନ୍ତି ଯେ, ଆଗାମୀ ଦିନରେ ଆମେ ଏହାର ସମୀକ୍ଷା କରିବୁ । କେନ୍ଦ୍ର ମନ୍ତ୍ରୀ ହରଦୀପ୍‌ ସିଂହ ପୁରୀ କହିଛନ୍ତି ଯେ, ଆମେ ରୋଷେଇ ଗ୍ୟାସ ମାମଲାରେ ଖୁବ୍ ଆଗକୁ ବଢିଛୁ ଏବଂ ଆମ ପାଖରେ ଉଜ୍ଜ୍ୱଳା ଯୋଜନା ମଧ୍ୟ ଅଛି, ଯାହାର ୧୦ କୋଟିରୁ ଅଧିକ ଲାଭାର୍ଥି ଅଛନ୍ତି। ସେ କହିଛନ୍ତି କି, ଆଜି ଆମର ଭାଇ-ଭଉଣୀଙ୍କୁ କାଠ , ଗୋବର ଓ ଅନ୍ୟ ଜିନିଷ ଠାରୁ ମୁକ୍ତି ମିଳିଛି। 

୧ ଅଗଷ୍ଟ ୨୦୨୪ରୁ ସ୍ଥିର ଥିଲା ଦାମ୍‌ -

କହି ରଖୁଛୁ କି, କିଛି ମାସରେ ଯେଉଁଠି ୧୯ କିଲୋଗ୍ରାମ୍‌ ଥିବା କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ରେ ପରିବର୍ତ୍ତନ ଦେଖିବାକୁ ମିଳିଥିବା ବେଳେ ଗତ ବର୍ଷ ଅଗଷ୍ଟ ୨୦୨୪ରେ ଶେଷ ଥର ୧୪.୨ କିଲୋର ସିଲିଣ୍ଡରର ପ୍ରାଇସ୍‌ରେ ପରିବର୍ତ୍ତନ ହୋଇଥିଲା। ଏହାପର ଠାରୁ ଏଲପିଜି ରନ୍ଧନ ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଆଇଓସିଏଲ୍‌ ମୁତାବିକ , ବର୍ତ୍ତମାନ ଦିଲ୍ଲୀରେ ରନ୍ଧନ ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟ ୮୦୩ ଟଙ୍କା ଅଛି। ମୁମ୍ୱାଇରେ ଏହି ଦାମ୍‌ ୮୦୨.୫୦ ଟଙ୍କା , କୋଲକାତାରେ ଏହାର ଦାମ୍‌ ୮୨୯ ଟଙ୍କା ଓ ଚେନ୍ନାଇରେ ରନ୍ଧନ ଗ୍ୟାସର ଦାମ୍‌ ୮୧୮.୫୦ ଟଙ୍କା ଅଛି। 

ଏହା ପୂର୍ବରୁ ସୋମବାର ସରକାରଙ୍କ ପକ୍ଷରୁ ପେଟ୍ରୋଲ-ଡିଜେଲ ଉପରେ ଏକ୍ସାଇଜ୍‌ ଡ୍ୟୁଟିକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି। ଏହି ଅନୁସାରେ ପେଟ୍ରୋଲ ଡିଜେଲ ଏକ୍ସାଇଜ୍‌ ଡ୍ୟୁଟିରେ ୨ ଟଙ୍କାର ବୃଦ୍ଧି କରାଯାଇଛି। ହେଲେ ପେଟ୍ରୋଲିୟମ ମନ୍ତ୍ରୀ ଏହାକୁ ନେଇ ସ୍ପଷ୍ଟ କରିଛନ୍ତି ଯେ, ଏହାର ପ୍ରଭାବ ଉପଭୋକ୍ତାଙ୍କ ଉପରେ ପଡ଼ିବ ନାହିଁ ।