ଭୁବନେଶ୍ୱର,୧୮/୦୪: ବିଏମ୍ସି ଅଞ୍ଚଳର ବିଷାକ୍ତ ବାୟୁ ମଣ୍ଡଳରୁ ତ୍ରାହି ମିଳିବ । ସହରକୁ ଗ୍ରୀନସିଟିରେ ପରିବର୍ତ୍ତନ କରାଯିବ । ଜର୍ମାନ ବୈଷୟିକ ଜ୍ଞାନକୌଶଳ ସାହାଯ୍ୟରେ ସହରାଞ୍ଚଳ ବାୟୁମଣ୍ଡଳର ଗୁଣାତ୍ମକମାନ ବୃଦ୍ଧି କରିବା ସହ ପରିବର୍ତ୍ତିତ ଜଳବାୟୁକୁ ନିୟନ୍ତ୍ରଣ କରାଯିବ। ଏହି ନୂଆ ଟେକ୍ନୋଲୋଜି ସହାୟତାରେ ରାସ୍ତା ନିର୍ମାଣ କରାଯିବ । ଭାରତର ୯ ସହର ମଧ୍ୟରେ ଓଡିଶାର ଦୁଇ ସହର ବିଏମ୍ସି ଏବଂ ରାଉରକେଲା ମହାନଗର ନିଗମ (ଆରଏମ୍ସି) ସ୍ଥାନ ପାଇଛି ।
ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ସହ ଦୀର୍ଘ ମିଆଦି ସୂତ୍ରରେ ସୁସ୍ଥ ଓ ସ୍ୱଚ୍ଛ ଜଳବାୟୁ ନେଇ ଏକ କର୍ମଶାଳା ବିଏମ୍ସି ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ରାସ୍ତାରେ ପଥଚାରୀ, ସାଇକେଲ ଆରୋହୀ, ସାଧାରଣ ପରିବହନ ବ୍ୟବସ୍ଥା, ଟ୍ରାଫିକ୍ ସମସ୍ୟା, ପ୍ରଦୂଷଣ ନିୟନ୍ତ୍ରଣ, ଘରୋଇ ଗାଡ଼ି ଚାଳନା ଆଦିକୁ ଦୃଷ୍ଟିରେ ରଖି ଏବଂ ସମସ୍ତଙ୍କୁ ସୁବିଧା ହେବାଭଳି କିପରି ରାସ୍ତାର ଡିଜାଇନ ହେବ ସେ ସଂପର୍କରେ ସରକାରୀ ଅଧିକାରୀ, ଟାଉନପ୍ଲାନର, ପ୍ରମୁଖ ଅଂଶୀଦାରମାନେ କିପରି କାର୍ଯ୍ୟ କରିବେ ସେ ସଂପର୍କିତ ତାଲିମ ଦିଆଯାଇଥିଲା ।
କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ଏବଂ ଜର୍ମାନ ଫେଡେରାଲ ମିନିଷ୍ଟ୍ରି ଫର ଇକୋନୋମିକ୍ କୋ-ଅପରେସନ ଆଣ୍ଡ ଡେଭେଲପମେଣ୍ଟର ମିଳିତ ସହଯୋଗରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ । ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସବୁଜିମାର ପୁନଃଉଦ୍ଧାର କରିବା ବା ସହରକୁ ସବୁଜିମା କରିବା ପାଇଁ ରାଜ୍ୟ, ବିଭିନ୍ନ ଅନୁଷ୍ଠାନ, ଏ କ୍ଷେତ୍ରରେ କାର୍ଯ୍ୟକରୁଥିବା ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କୁ ପ୍ରୋତ୍ସାହିତ କରିବା ।
ପ୍ୟାରିସ ରାଜିନାମା ଅନୁଯାୟୀ ଯେହେତୁ ଭାରତ ଦ୍ୱାରା ନିର୍ଦ୍ଧାରିତ ପ୍ରତିବଦ୍ଧତା ସହିତ ଜର୍ମାନର ନୀତି ଖାପ ଖାଉଛି, ତେଣୁ ଜର୍ମାନ ରାଷ୍ଟ୍ରସଂଘ, ଭାରତର ୫ଟି ରାଜ୍ୟର ୯ଟି ପ୍ରମୁଖ ସହରରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଦେଶର ୫ଟି ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି ଏବଂ ଭାରତର ୯ଟି ସହର ମଧ୍ୟରେ ଓଡ଼ିଶାର ଦୁଇଟି ସହର ଯଥା ଭୁବନେଶ୍ୱର ମହାନଗର ନିଗମ ଏବଂ ରାଉରକେଲା ମହାନଗର ନିଗମ ରହିଛି । ଏହା ବ୍ୟତୀତ କେରଳର (କୋଚି ଏବଂ ତ୍ରିଭେନ୍ଦ୍ରମ) କର୍ଣ୍ଣାଟକର (ହୁବଳି-ଧାରୱାଡ ଏବଂ ମହୀଶୂର), ଗୁଜରାଟର (ସୁରଟ ଏବଂ ରାଜକୋଟ) ଏବଂ ମେଘାଳୟର (ଶିଲଂ) ରହିଛି ।
ଏହି କର୍ମଶାଳାରେ ଭୁବନେଶ୍ୱର ମହାନଗର ନିଗମର ବରିଷ୍ଠ ଅଧିକାରୀ, ସମସ୍ତ ଯନ୍ତ୍ରୀ, ବିଡିଏର ଅଧିକାରୀ ଓ ଯନ୍ତ୍ରୀ, ଟାଉନପ୍ଲାନର, ଡିସିପି, ଡାଇରେକ୍ଟର ଅଫ୍ ଟାଉନ ପ୍ଲାନିଂ ପ୍ରମୁଖ ବିଭାଗର ଯନ୍ତ୍ରୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ବିଏମ୍ସି କମିଶନର ରାଜେଶ ପ୍ରଭାକର ପାଟିଲ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ରତ୍ନାକର ସାହୁ, ଏନ୍. ଗଣେଶ ବାବୁ ପ୍ରମୁଖ ଉପସ୍ଥିତ ଥିଲେ ।