ଭୁବନେଶ୍ବର, ୧୧/୨ : ବହୁ କଳ୍ପନା ଜଳ୍ପନା ପରେ ରାଜ୍ୟ କଂଗ୍ରେସକୁ ମିଳିଛି ମୁଖିଆ । ଏଥର ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ଭରସା କରିଛି ଦଳ । ଏଆଇସିସି ପକ୍ଷରୁ ମଙ୍ଗଳବାର ଏହି ଘୋଷଣା କରାଯାଇଛି । କଂଗ୍ରେସର ଏକ୍ସ ଆକାଉଣ୍ଟରେ ଏ ନେଇ ପୋଷ୍ଟ କରାଯାଇଛି । ଏଥିରେ ଲେଖାଯାଇଛି, 'କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭାବେ ଭକ୍ତ ଚରଣ ଦାସଙ୍କୁ ନିଯୁକ୍ତି ଦେଇଛନ୍ତି ।'
୨୦୨୪ସାଧାରଣ ନିର୍ବାଚନ ପରେ ରାଜ୍ୟର ପିସିସି ଭଙ୍ଗ ହୋଇଥିଲା । ପିସିସି ସଭାପତି ଶରତ ପଟ୍ଟନାୟକ ଇସ୍ତଫା ଦେଇଥିବାବେଳେ ଅନ୍ୟ ସମସ୍ତ ସାଂଗଠନିକ ପଦପଦବୀକୁ ଭଙ୍ଗ କରିଥିଲା ଏଆଇସିସି । ତାପର ଠାରୁ ରାଜ୍ୟର ପରବର୍ତ୍ତୀ ପିସିସି ସଭାପତି କିଏ ହେବ, ସେ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା । ଏହିକ୍ରମରେ ରାଜ୍ୟରେ ଅନେକ ବରିଷ୍ଠ ନେତା ଦିଲ୍ଲୀ ଗସ୍ତ କରିସାରିଥିଲେ ମଧ୍ୟ ଘୋଷଣା ବିଳମ୍ୱ ହୋଇଚାଲିଥିଲା । ବାରମ୍ବାର କର୍ମୀଙ୍କଠାରୁ ନେତାଙ୍କ ମନରେ ଏକ ପ୍ରକାର ପ୍ରଶ୍ନ ଉଙ୍କି ମାରିଥିଲା କି କିଏ ହେବ ଦଳର ମୁଖିଆ । ତେବେ ଦେଖିବାକୁ ବାକି ରହିଲା ଭକ୍ତ କେତେ ଦୂର ଦଳକୁ ଆଗକୁ ନେଉଛନ୍ତି ଏବଂ ନେତା ଓ କର୍ମୀଙ୍କ ଭରସା ଜିତି ପାରୁଛନ୍ତି । ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ଏହା ପୂର୍ବରୁ ରାଜ୍ୟ କଂଗ୍ରେସକୁ କେତେ ଦୂର ବଳ ଯୋଗାଇବେ ଭକ୍ତ ଦାସ ତାହା ସମୟ କହିବ ।
ସୂଚନାଯୋଗ୍ୟ ଯେ, ଭକ୍ତ ଦାସ ୩ଥରର କଳାହାଣ୍ଡି ସାଂସଦ ରହି ସାରିଛନ୍ତି । ସେହିଭଳି କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଥିଲେ ଶ୍ରୀ ଦାସ । ଛାତ୍ର ରାଜନୀତିରେ ମଧ୍ୟ ସେ ବହୁ ସକ୍ରିୟ ରହିଥିଲେ ।