କୋଲକାତା,୦୮/୦୨: ପଶ୍ଚିମବଙ୍ଗର କୋଲକାତାରେ ଜଣେ ସରକାରୀ କର୍ମଚାରୀ ଛୁଟି ନ ମିଳିବାରୁ ୪ ଜଣ ସହକର୍ମୀଙ୍କ ଉପରେ ଛୁରିଦ୍ୱାରା ଆକ୍ରମଣ କରିଥିଲେ । ଏହାପରେ ରକ୍ତଲଗା ଛୁରିକୁ ଧରି ରାସ୍ତାରେ ବୁଲିଥିଲେ । ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ ।
ଅଧିକାରୀମାନଙ୍କ ଅନୁସାରେ, ଉତ୍ତର ୨୪ ପରଗନା ଜିଲ୍ଲା ସୋଦେପୁର ଘୋଲାର ବାସିନ୍ଦା ଅମିତ ସରକାର ରାଜ୍ୟ ସରକାରଙ୍କ ବୈଷୟିକ ଶିକ୍ଷା ବିଭାଗରେ କାର୍ଯ୍ୟ କରନ୍ତି । ଏବେ ସେ କୋଲକାତାର ନ୍ୟୁଟାଉନ୍ ଅଞ୍ଚଳରେ ଥିବା ବିଭାଗୀୟ ଅଫିସ୍ରେ କାର୍ଯ୍ୟରତ । ଶୁକ୍ରବାର ସକାଳେ ଛୁଟିକୁ ନେଇ ସହକର୍ମୀଙ୍କ ସହିତ ତାଙ୍କର ଝଗଡ଼ା ହେବାରୁ ସେମାନଙ୍କୁ ଛୁରିରେ ଆକ୍ରମଣ କରିଥିଲେ ଅମିତ । ଛୁରାମାଡ଼ରେ ଆହତ ହୋଇଥିବା ଜୟଦେବ ଚକ୍ରବର୍ତ୍ତୀ, ଶାନ୍ତନୁ ଶାହ, ସାର୍ଥା ଲାତେ ଓ ଶେଖ ସତାବୁଲଙ୍କୁ ଚିକିତ୍ସାଲାଗି ନିକଟବର୍ତ୍ତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ମାନସିକ ସମସ୍ୟାରେ ପୀଡି଼ତ ଥିବା ପୁଲିସ ଆଶଙ୍କା କରିଛି ।