କଟକ, ୧୫/୦୨: ଓଡ଼ିଶା ଅବକାରୀ (ସଂଶୋଧିତ) ଆଇନ-୨୦୨୪ ଆଧାରରେ ଭୁବନେଶ୍ୱରର ବିଭିନ୍ନ ଠିପିଖୋଲା ମଦ ବାର୍ରେ ଝିଅଙ୍କ ନାଚିବା (ବାର୍ ଡ୍ୟାନ୍ସ) ଉପରେଥିବା କଟକଣାକୁ ବିରୋଧ କରି ରୁଜୁ ମାମଲାରେ ଶୁକ୍ରବାର ବି ରାଜ୍ୟ ସରକାର ଜବାବ ଦାଖଲ କରିପାରିଲେ ନାହିଁ । ହାଇକୋର୍ଟ ଏନେଇ କ୍ଷୁବ୍ଧ ହେବା ସହ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ଲାଗି ଆସନ୍ତା ମଙ୍ଗଳବାରକୁ ସମୟ ଧାର୍ଯ୍ୟ କରିଛନ୍ତି । ଭୁବନେଶ୍ୱରରର ହୋଟେଲ୍ ଏକାମ୍ର ଠିପି ଖୋଲା ମଦ ବାର୍ ଏବଂ ଅନ୍ୟମାନଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ଅରିନ୍ଦମ ସିହ୍ନା ଏବଂ ଜଷ୍ଟିସ୍ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ମାମଲାରୁ ଜଣାଯାଇଛି ଯେ, ରାଜ୍ୟ ସରକାର ନିକଟରେ ରାଜ୍ୟ ଅବକାରୀ ନୀତିରେ ଏକ ସଂଶୋଧନ ଆଣିଥିଲେ । ଯେଉଁଥିରେ କୌଣସି ମଦ ବାର୍ରେ ୨୧ବର୍ଷରୁ କମ୍ ବୟସର ଝିଅମାନେ ମ୍ୟୁଜିକାଲ ପ୍ରୋଗ୍ରାମ୍ ବା ଅକ୍ଟେଷ୍ଟ୍ରା କାର୍ଯ୍ୟକ୍ରମରେ ଯୋଗଦେଇପାରିବେ ନାହିଁ ବୋଲି ଉଲ୍ଲେଖ କରାଯାଇଥିଲା । ଏପରିକି ଏଥିରୁ ସ୍ପଷ୍ଟ ଭାବରେ ‘ନାଚିବା’ ଶବ୍ଦକୁ ହଟାଇ ଦିଆଯାଇଥିଲା । ଫଳରେ ବାର୍ରେ ଝିଅମାନଙ୍କ ନାଚିବା ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ ହୋଇଯାଇଥିଲା । ଏହାକୁ ବିରୋଧ କରି ଆବେଦନକାରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
E-KYC ଅପଡେଟ୍ କରିନାହାଁନ୍ତି ୩୩ ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀ, ମାର୍ଚ୍ଚ ୩୧ ଯାଏଁ ବଢିଲା ଅବଧି
ସେମାନେ ଦର୍ଶାଇଛନ୍ତି ଯେ, ପେସାଦାର ବାର୍ ଡ୍ୟାନ୍ସରମାନେ ମଦ ବାରରେ ନାଚି ରୋଜଗାର କରିଥାନ୍ତି । ଅର୍ଥ ଉପାର୍ଜନ କରି ସେମାନେ ଏକ ସମ୍ମାନଜନକ ଜୀବନ ବଞ୍ଚିପାରିଥାନ୍ତି । କିନ୍ତୁ ଏଭଳି କଟକଣା ଦ୍ୱାରା ସେମାନଙ୍କ ବଞ୍ଚିବାର ଅଧିକାରକୁ ଛଡ଼ାଇ ନିଆଯାଇଛି । ହାଇକୋର୍ଟ ଏହି ମାମଲାରେ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ଲାଗି ନୋଟିସ୍ ଜାରି କରିଥିଲେ । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶରତ କୁମାର ଗଜେନ୍ଦ୍ର ମାମଲା ପରିଚାଳନା କରୁଛନ୍ତି ।