ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଚୋରି ଟଙ୍କାରେ ଆଭିଜାତ୍ୟ ଜୀବନ ବଞ୍ଚୁଥିଲା ପଞ୍ଚାକ୍ଷରୀ, ଗାର୍ଲଫ୍ରେଣ୍ଡଙ୍କୁ ଜନ୍ମଦିନରେ ଦେଇଥିଲା ୩ କୋଟିର ଘର

Published By : Prameya | February 8, 2025 11:00 AM

ବେଙ୍ଗାଲୁରୁ,୦୮/୦୨: ବେଙ୍ଗାଲୁରୁର ମଡିୱାଲା ପୁଲିସ ମହାରାଷ୍ଟ୍ରର ସୋଲାପୁରରୁ ଜଣେ କୁଖ୍ୟାତ ଚୋରକୁ ଗିରଫ କରିଛି ।  ତା ନାଁ ପଞ୍ଚାକ୍ଷରୀ ସ୍ୱାମୀ (୩୭ ବର୍ଷ) ଏବଂ ସେ ବିଭିନ୍ନ ରାଜ୍ୟରୁ ୧୮୦ରୁ ଅଧିକ ଚୋରି  କରିଥିବା ଜଣାପଡିଛି । ତାର ଏକାଧିକ  ଗାର୍ଲଫ୍ରେଣ୍ଡ ଥିବା ବେଳେ ଚୋରି ଟଙ୍କାକୁ  ସେମାନଙ୍କ ପିଛାରେ ଖର୍ଚ୍ଚ କରୁଥିଲା । ଏପରିକି  ଆଭିଜାତ୍ୟ ଜୀବନ ଶୈଳୀ ମଧ୍ୟ ଜୀଉଁଥିବା  ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି । 

ସ୍ୱାମୀ ୨୦୦୩ରେ ନାବାଳକ ଥିବା ବେଳେ ଚୋରି ଆରମ୍ଭ କରିଥିଲା । ୨୦୦୯ ବେଳକୁ ସେ ଜଣେ ଅଭ୍ୟାସଗତ ଚୋର ହୋଇସାରିଥିଲା। ଏହି ସମୟରେ ସେ କୋଟି କୋଟି ଟଙ୍କା ଚୋରି  କରିଥିଲା ବେଳେ ବିଭିନ୍ନ ଗାର୍ଲଫ୍ରେଣ୍ଡକୁ ଭିନ୍ନ ଭିନ୍ନ ସମୟରେ ଦାମୀ ଉପହାର ମଧ୍ୟ ଦେଉଥିଲା ।  କୋଲକାତାରେ ଜଣେ ଗାର୍ଲଫ୍ରେଣ୍ଡଙ୍କୁ ସେ  ୨୦୧୬ ମସିହାରେ ୩ କୋଟିର ଘର ଜନ୍ମଦିନ ଉପହାର ଦେଇଥିଲା । ସେହିଭଳି ଅନ୍ୟ ଜଣେ  ଗାର୍ଲଫ୍ରେଣ୍ଡଙ୍କୁ ତାଙ୍କ ଜନ୍ମଦିନରେ ୨୨ ଲକ୍ଷର  ଆକ୍ୱାରିୟମ ଉପହାର ଦେଇଥିବା ଜଣାପଡିଛି । ୨୦୧୪ରୁ ୨୦୧୫ ମଧ୍ୟରେ ସେ ବିପୁଳ ଟଙ୍କା କେତେକ ଅଭିନେତ୍ରୀଙ୍କ ପିଛାରେ ଖର୍ଚ୍ଚ କରିଥିଲା । ୨୦୧୬ରେ ସେ ଚୋରି କରି ପ୍ରଥମେ ଗୁଜରାଟ ପୁଲିସ ହାତରେ ଧରାପଡିଥିଲା । ସାବରମତୀ ଜେଲ୍‌ରେ ୬ ବର୍ଷ ବିତାଇଥିଲା । ଜେଲରୁ ମୁକୁଳିବା ପରେ ସେ ମହାରାଷ୍ଟ୍ର  ଚାଲିଆସିଲା । ସେଠାରେ ବିଭିନ୍ନ ସ୍ଥାନରେ ଚୋରି କରି ଧରାପଡି କିଛିଦିନ ଜେଲ୍‌ରେ ମଧ୍ୟ  ରହିଲା । 

୨୦୨୪ରେ ବେଙ୍ଗାଲୁରୁ ଆସିଥିଲା । ଗତ  ଜାନୁଆରୀ ୯ ତାରିଖରେ ସେ ମଡିୱାଲା ଅଞ୍ଚଳରେ  ଏକ ଚୋରି କରିଥିଲା । ସେହି ଘଟଣାରେ ମଡିୱାଲା ପୁଲିସ ତାକୁ ଗିରଫ କରିବାରେ ସକ୍ଷମ ହୋଇଛି । ଚୋରି କରି ବିପୁଳ ଟଙ୍କା ଅର୍ଜନ କରିଥିଲେ ମଧ୍ୟ ସ୍ୱାମୀ ସୋଲାପୁରରେ ୪୦୦  ବର୍ଗଫୁଟର ଏକ ଘରେ ରହୁଥିଲା । ଉକ୍ତ ଘର ତାର ମା’ଙ୍କ ନାମରେ ଥିଲା । ତେବେ ବ୍ୟାଙ୍କରୁ  ନେଇଥିବା ଋଣ ପରିଶୋଧ ନ କରିବାରୁ ଉକ୍ତ  ଘରକୁ ଜବତ କରାଯାଇଛି । 

ଯେଉଁ ଘରେ କେହି ଲୋକ ନଥିବେ କିମ୍ବା କେହି ଛୁଟିରେ ଯାଇଥିବେ ଏବଂ ଉକ୍ତ ଘରେ ତାଲା ପଡିଥିବ ସେହି ଘରକୁ ସ୍ୱାମୀ ଟାର୍ଗେଟ  କରେ। ତାଲା କାଟି ଭିତରେ ପ୍ରବେଶ କରିବା  ପରେ ଟଙ୍କା ଓ ସୁନାରୂପା ଗହଣା ଧରି ଛୁ ମାରେ । ଚୋରି କରିବା ପରେ ସହରରେ ଲାଗିଥିବା ସିସିଟିଭି ଫୁଟେଜରୁ ବର୍ତ୍ତିବା ଲାଗି ସେ ପୋଷାକ  ବଦଳାଇଥାଏ । ଚୋରି ସୁନାକୁ ସେ ତରଳାଇବା  ଲାଗି ଏକ ଫାୟାରଗନ ବ୍ୟବହାର କରେ । ପୁଲିସ  ତା ଘରୁ ଉକ୍ତ ଫାୟାରଗନ, କିଛି ଅଳଙ୍କାର ଓ ସୁନା  ତରଳାଇବା ଲାଗି ଉଦ୍ଦିଷ୍ଟ କିଛି ଅନ୍ୟ ଉପକରଣ  ଜବତ କରିଛି । ସବୁଠାରୁ ବଡକଥା ହେଉଛି ସ୍ୱାମୀ  ଜଣେ କରାଟେ ବ୍ଲାକବେଲ୍‌ଟ ଧାରୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.