ନୀଳଗିରି, ୧୧/୨(ବ୍ରଜକିଶୋର ପାଣି): ଘରେ ଯେତେବେଳେ କାହାରି ମୃତ୍ୟୁ ହୁଏ କାନ୍ଦ ବୋବାଳିରେ ଫାଟିପଡ଼େ ସାରାଅଞ୍ଚଳ। ଆତ୍ମୀୟଙ୍କୁ ହରାଇ ପରିବାରରେ ଖେଳିଯାଏ ବିଷାଦ । ଏଭଳି ଦୁଃଖଦ ସମୟରେ ମଣିଷ ଲୋଡ଼ିଥାଏ ଆଶ୍ୱାସନା । ଠିକ୍ ଏତିକି ବେଳେ ପହଞ୍ଚିଯାନ୍ତି ବାଇଧର । ମୃତକଙ୍କ ପରିବାରକୁ ଦିଅନ୍ତି ସାହସ। ଶବ ଉଠାଇବାଠାରୁ ଆରମ୍ଭ କରି ମଶାଣିରେ ପହଞ୍ଚାଇବା ଏବଂ ଅନ୍ତିମ ସଂସ୍କାର ଯାଏ ସବୁ କାର୍ଯ୍ୟ କରନ୍ତି । ଶହଶହ ମୃତଦେହକୁ ଶେଷ ଠିକଣାରେ ପହଞ୍ଚାଇ ଆଜି ବାଇଧର ପାଲଟି ଯାଇଛନ୍ତି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର ଶବଙ୍କ ସାଥୀ ।
ନୀଳଗିରି ବ୍ଲକ୍ ବଣସୀମା ଅଞ୍ଚଳ ଧରମପୁର ପଞ୍ଚାୟତ ବାଉଁଶପାଳ ଗ୍ରାମର ସ୍ୱର୍ଗତ ବୈରାଗୀ ସେଠୀ ଓ କ୍ଷୀରମଣିଙ୍କ ବଡ଼ପୁଅ ବାଇଧର । ବୟସ ୬୫ ଛୁଇଁଲାଣି । ତାଙ୍କର ଦୁଇ ପୁଅ । ଅଞ୍ଚଳର କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ବିନା ଡକରାରେ ପହଞ୍ଚି ଯାଆନ୍ତି ବାଇଧର । ସେଇଠୁ ଆରମ୍ଭ ହୁଏ କାମ । କୋକେଇ ବାନ୍ଧିବା, ପାଳ ଦଉଡ଼ି ବଳିବା, ଶବଦାହରେ ଆବଶ୍ୟକ ସାମଗ୍ରୀ ଯୋଗାଡ଼ କରିବା, ମାଲ ଭାଇଙ୍କୁ ଏକାଠି କରି ମୃତଦେହକୁ ମଣାଣିରେ ପହଞ୍ଚାଇବା ଯାଏ ସବୁ କାମ କରନ୍ତି । ଶବ ଦାହ ପରେ ଘରକୁ ଫେରନ୍ତି । କେବଳ ଏତିକି ନୁହେଁ ଜୁଇ ପାଉଁଶରୁ ଅସ୍ଥି ସଂଗ୍ରହ କରି ଘରକୁ ପଠାଇବା ବ୍ୟବସ୍ଥା ମଧ୍ୟ କରନ୍ତି ।
ଏ ପର୍ଯ୍ୟନ୍ତ ସେ ବରମପୁର, ଧରମପୁର, ଅଁଳାପାଳ, ଡାଳିମ୍ବପାଳ, ନରଣପୁର, ଶାଳଡହର, ଆରବନ୍ଦ ସମେତ ଆଖପାଖ ଗାଁରେ ୨୫୦ରୁ ଊର୍ଦ୍ଧ୍ୱ ଶବଦାହ କରି ସାରିଲେଣି । ନିଜର ଏଭଳି ନିଆରା ସଉକ୍ ସମ୍ପର୍କରେ ବାଇଧର କୁହନ୍ତି, ଛୋଟ ବେଳେ ବାପାଙ୍କୁ ହରାଇଥିଲେ । ଶ୍ମଶାନରେ ଶବଦାହ ଦେଖିଥିଲେ । ସେବେଠାରୁ ଏହି କାର୍ଯ୍ୟ ପ୍ରତି ତାଙ୍କର ଆଗ୍ରହ ସୃଷ୍ଟି ହେଲା । ଯୁବବସ୍ଥାରୁ ସେ ଶବଦାହ କରି ଆସୁଛନ୍ତି । ପରିବାରରେ କେହି ଆପଣାର ଛାଡ଼ି ଚାଲିଗଲେ ସେ ସମୟର ଦୁଃଖ ଯିଏ ଦେଖଛି ସେ ଜାଣିଛି । ଏଭଳି ସମୟରେ ମୃତକଙ୍କ ପରିବାର ପାଖରେ ଛିଡ଼ା ହେବା ବଡ଼କଥା । ଯେ ପର୍ଯ୍ୟନ୍ତ ଈଶ୍ୱର ଚାଲିବା ପାଇଁ ଶକ୍ତି ଦେଇଥିବେ ସେ ଏଭଳି ମହତ କାର୍ଯ୍ୟ କରି ଚାଲିବେ ବୋଲି କହିଛନ୍ତି ।
ଏହି ଖବରଟିକୁ ପଢନ୍ତୁ-ପାନୀୟ ଜଳ ପାଇଁ ହନ୍ତସନ୍ତ ପୁଟୁକୁଳିଆ ବାସିନ୍ଦା,ଜାତୀୟ ରାଜପଥ ଦେଇ ଅଙ୍ଗନବାଡ଼ି କେନ୍ଦ୍ରରୁ ଆଣୁଛନ୍ତି ପାଣି