ଭୋପାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମଧ୍ୟପ୍ରଦେଶର ଗଢ଼ ଗ୍ରାମରେ ବାଗେଶ୍ୱର ଧାମ ମେଡିକାଲ ଆଣ୍ଡ ସାଇନ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ହସ୍ପିଟାଲରେ କର୍କଟ ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇବା ସହ ଏଥିରେ ଅତ୍ୟାଧୁନିକ କେମୋଥେରାପି ଏବଂ କର୍କଟ ଚିକିତ୍ସା ସୁବିଧା ଉପଲବ୍ଧ ହେବ । ସେପଟେ କର୍କଟ ହସ୍ପିଟାଲର ଶିଳାନ୍ୟାସ ଅବସରରେ, ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଘୋଷଣା କରିଛନ୍ତି ଯେ, ଏହି ହସ୍ପିଟାଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନଙ୍କ ନାମରେ ଏକ ୱାର୍ଡ ରହିବ । ବାଗେଶ୍ୱର ଧାମରେ ଆୟୋଜିତ ଏକ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରିମୋଟ୍ ମାଧ୍ୟମରେ ପ୍ରସ୍ତାବିତ ବିଜ୍ଞାନ ଏବଂ ଗବେଷଣା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ବାଗେଶ୍ୱର ଧାମର ବାଲାଜୀ ମନ୍ଦିର ପରିଦର୍ଶନ କରି ପ୍ରାର୍ଥନା କରିଥିଲେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ, ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ମାଆଙ୍କୁ ମଧ୍ୟ ଭେଟିଥିଲେ। ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଗଢ଼ ଗ୍ରାମ ଗସ୍ତକୁ ଏକ ପ୍ରମୁଖ ସଫଳତା ଭାବରେ ବର୍ଣ୍ଣନା କରିଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର ଶକ୍ତି ବୃଦ୍ଧି ହେଉଛି ବୋଲି କହିଛନ୍ତି । ଧୀରେନ୍ଦ୍ର ଶାସ୍ତ୍ରୀ କହିଛନ୍ତି, ମୋଦୀ ଏଭଳି ଜଣେ ପ୍ରଧାନମନ୍ତ୍ରୀ ସେ ସୈନିକ ଏବଂ କୃଷକ ଉଭୟଙ୍କର ଯତ୍ନ ନିଅନ୍ତି । ତାଙ୍କର କଥା ସାରା ବିଶ୍ୱରେ ଶୁଣାଯାଏ । ଅନେକ ରାଷ୍ଟ୍ରର ମୁଖ୍ୟ ପରସ୍ପର ସହିତ କଥା ହୁଅନ୍ତି ନାହିଁ, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ୟୁକ୍ରେନ, ରୁଷ ଏବଂ ଆମେରିକାର ମୁଖ୍ୟଙ୍କ ସହିତ କଥା ହୁଅନ୍ତି ।
ପୀଠାଧୀଶ୍ୱର ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ମାଆଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ଉଲ୍ଲେଖ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ପ୍ରସ୍ତାବିତ ହସ୍ପିଟାଲରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆଙ୍କ ନାମରେ ଏକ ୱାର୍ଡ ପ୍ରତିଷ୍ଠା କରାଯିବ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ ହେବା ପରେ, ପ୍ରସ୍ତାବିତ ହସ୍ପିଟାଲର ରୂପରେଖ ମଧ୍ୟ ଏକ ଭିଡିଓ ମାଧ୍ୟମରେ ପ୍ରଦର୍ଶିତ ହୋଇଛି ।
ପ୍ରଧାନମନ୍ତ୍ରୀ ମୋଦୀ ୨୧୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା କର୍କଟ ହସ୍ପିଟାଲର ଶିଳାନ୍ୟାସ କରିଛନ୍ତି । ଏଥିପାଇଁ ୧୦.୯୨୫ ହେକ୍ଟର ଜମି ଚିହ୍ନଟ କରାଯାଇଛି । ୩୬ ମାସ ମଧ୍ୟରେ ଏହି କର୍କଟ ହସ୍ପିଟାଲ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହାର ପ୍ରଥମ ପର୍ଯ୍ୟାୟରେ, ୧୦୦ ଶଯ୍ୟା ରହିବ, ଯେଉଁଥିରେ ଗରିବ କର୍କଟ ରୋଗୀମାନଙ୍କୁ ଆଧୁନିକ ମେସିନ୍ ଏବଂ ଅଭିଜ୍ଞ ଡାକ୍ତରଙ୍କ ଦ୍ବାରା ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ ।