ଭୁବନେଶଵର, ୧୭/୦୨ : ମହାଙ୍ଗା ମାଡ଼ରେ ରାଜ୍ୟବାସୀ ହନ୍ତସନ୍ତ। "ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ମୂଲ୍ୟ ବୃଦ୍ଧି, ସରକାର ବିଫଳ" ଶୀର୍ଷକ ମୁଲତବୀ ପ୍ରସ୍ତାବ ଉପରେ ବିଜେଡ଼ି ବିଧାୟକ ଅରୁଣ ସାହୁଙ୍କ ମନ୍ତବ୍ୟ। ଦରଦାମ୍ ବୃଦ୍ଧିରେ ରାଜ୍ୟ କମ୍, କେନ୍ଦ୍ର ସରକାର ଅଧିକ ଦାୟୀ। ଖାଇବା ତେଲ ଠାରୁ ଜୋତା ଚପଲ, ଜାଲରୁ ପାଲ, ଅଟାରୁ ଡାଟା, ଦୁଇ ଚକିଆ, ଚାରି ଚକିଆ ହାଇୱା ସବୁର ଦାମ୍ ବଢିଛି। ସ୍ବାସ୍ଥ୍ୟ ବୀମା ଓ ମୁଢ଼ିରେ ବି ଜିଏସଟି ଲାଗୁ ହୋଇଛି । ବ୍ୟାଙ୍କ୍ ଜମା ସୁଧ କମିଛି। ଏ ସରକାରରେ ସାଧାରଣ ଲୋକଙ୍କ ମୂଲ୍ୟ କମିଛି ।
ବିଧାୟକ ଅରୁଣ ସାହୁ ୨୦୧୪ ଏବଂ ୨୦୨୪ର ତୁଳନାତ୍ମକ ଚିତ୍ର ଦେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ୨୦୧୪ରେ ଏଲପିଜି ଗ୍ୟାସ୍ର ଦାମ୍ ଥିଲା ୪୧୦ ଟଙ୍କା। ବର୍ତ୍ତମାନ ୯୮୦ ଟଙ୍କାରେ ପହଞ୍ଚିଛି। ସେହିପରି ଶୋରିଷ ତେଲର ଦାମ୍ ଥିଲା ୯୦ ଟଙ୍କା, ଏବେ ୧୭୦ ଟଙ୍କାରେ ପହଞ୍ଚିଛି। ଅଟା ଥିଲା ୨୨ ଟଙ୍କା ଏବେ ୪୫ ଟଙ୍କାରେ ପହଞ୍ଚିଛି। ପେଟ୍ରୋଲ ଲିଟର ଥିଲା ୬୫ ଟଙ୍କା ଏବେ ୧୦୦ ଟଙ୍କାରେ ପହଞ୍ଚିଛି। ଡିଜେଲ୍ ଲିଟର ଥିଲା ୬୦ ଟଙ୍କା ଏବେ ୧୦୦ ଟଙ୍କାରେ ପହଞ୍ଚିଛି। ଚିନି କିଲୋ ଥିଲା ୨୪ ଟଙ୍କା ଏବେ ୫୦ ଟଙ୍କାରେ ପହଞ୍ଚିଛି। ସୁନା ୧୦ ଗ୍ରାମ୍କୁ ଥିଲା ୨୮ ହଜାର ଏବେ ୮୮ ହଜାରରେ ପହଞ୍ଚିଛି। ରୂପା କିଲୋ ଥିଲା ୩୫ ହଜାର ଏବେ ୧ ଲକ୍ଷ ପାର୍ କରିଛି। ସିମେଣ୍ଟ ଥିଲା ଅଢେଇଶହ ଟଙ୍କା ଏବେ ୪୦୦ ଟଙ୍କାରେ ପହଞ୍ଚିଛି। ଲୁହା ଛଡ଼ ଟନ୍ ପିଛା ଥିଲା ୪୫ ହଜାର ଏବେ ୮୦ ହଜାରରେ ପହଞ୍ଚିଛି।
ପେଟ୍ରୋଲ ଓ ଡିଜେଲର ଦାମ୍ ବଢିବା ପାଇଁ ପରିବହନ ଖର୍ଚ୍ଚ ବଢିଛି, ତେଣୁ ଦରଦାମ୍ ବୃଦ୍ଧି ପାଇଛି। ରାଜ୍ୟ ଓ କେନ୍ଦ୍ର ସରକାର ଏହା ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ସରକାରରେ ମୁଆଫା ଖୋର୍ ଭାଗିଦାରୀ ପାଇଁ ଦରଦାମ୍ ବଢିଛି। ମୁଦ୍ରସ୍ଫିତିରେ ଓଡ଼ିଶା ନମ୍ବର ୱାନ୍। ଯୋଗାଣ ମନ୍ତ୍ରୀ ଏକ ନମ୍ବର ହାଟ ଯାଉଛନ୍ତି, ଦରଦାମ୍ ଯାଞ୍ଚ କରୁଛନ୍ତି । କିନ୍ତୁ ରିଲାଏନ୍ସ ଫ୍ରେସ୍ ଯାଇ ଯାଞ୍ଚ କରୁନାହାଁନ୍ତି । କେବଳ ଛୋଟ ବ୍ୟବସାୟୀଙ୍କୁ ଧରୁଛନ୍ତି । ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦାମ କମିଛି । କିନ୍ତୁ ପେଟ୍ରୋଲ ଡିଜେଲର ଦାମ୍ କମାଉ ନାହାନ୍ତି ସରକାର । ରାଜ୍ୟ ସରକାର ପେଟ୍ରୋଲ ଡିଜେଲ ଉପରେ vat ଛାଡ କରନ୍ତୁ । ପରିବହନରେ ସବସିଡି ଦିଅନ୍ତୁ । ଛୋଟ ବ୍ୟବସାୟୀଙ୍କୁ ସାହାଯ୍ୟ କରନ୍ତୁ ଏବଂ ଧରପଗଡ଼କୁ କଡ଼ାକଡ଼ି କରିବାକୁ ଦାବି କରିଛନ୍ତି ବିଜେଡ଼ି ବିଧାୟକ।
ଏହି ଖବରଟିକୁ ପଢନ୍ତୁ-ମଙ୍ଗଳବାରଠାରୁ ଯୁକ୍ତ ୨ ବୋର୍ଡ, ପରୀକ୍ଷା ଦେବେ ୩ ଲକ୍ଷ ୯୩ ହଜାର ୬୧୮ ଛାତ୍ରଛାତ୍ରୀ