ନୂଆଦିଲ୍ଲୀ: ଚିନ୍ତା ଏବଂ ନିଦ୍ରାହୀନତାକୁ ନେଇ ଅନେକ ଚର୍ଚ୍ଚା ଲାଗିରହିଛି । ଚିନ୍ତା ଯୋଗୁଁ ନିଦ୍ରା ପ୍ରଭାବିତ ହୋଇଥାଏ । ସେହିଭଳି ନିଦ୍ରାହୀନତା ଯୋଗୁଁ ଚିନ୍ତା ବୃଦ୍ଧି ପାଏ । ତେଣୁ ଚିନ୍ତା ଏବଂ ଅନିଦ୍ରା ପରଷ୍ପର ପରିପୂରକ କହିଲେ ଭୁଲ ହେବ ନାହିଁ । ଶୋଇବାରେ ଅସୁବିଧାକୁ ଡାକ୍ତରୀ ଭାଷାରେ ନିଦ୍ରାହୀନତା ବୋଲି କୁହାଯାଏ । ଏହାର ଲକ୍ଷଣଗୁଡ଼ିକ ହେଉଛି:
-ଦୀର୍ଘ ସମୟ ଶୋଇବାରେ ଅସୁବିଧା
-ଶୀଘ୍ର ନିଦରୁ ଜାଗ୍ରତ ହୋଇଯିବା କିମ୍ବା କ୍ଳାନ୍ତି ଅନୁଭବ କରିବା
ସେ ଯାହା ହେଉ ନା କାହିଁକି, ଅବସାଦ ପ୍ରତି ଚିନ୍ତା ଏକ ସ୍ବାଭାବିକ ପ୍ରତିକ୍ରିୟା । ଲୋକେ ନିଜର ଭବିଷ୍ୟତକୁ ନେଇ ଚିନ୍ତା କରିବା କେବେ କମ୍ କରିନଥାନ୍ତି । ଯଦି ଏହି ଚିନ୍ତା ଦୀର୍ଘ ଦିନ ଧରି ଜାରି ରହେ ବା ୬ ମାସରୁ ଅଧିକ ସମୟ ଧରି ଚିନ୍ତା କରନ୍ତି ତେବେ ଏହା ଦୈନନ୍ଦିନ ଜୀବନକୁ ପ୍ରଭାବିତ କରେ । ଫଳରେ ଏହା ଶରୀରରେ ଚିନ୍ତାଜନିତ ରୋଗ ସୃଷ୍ଟି କରିପାରେ । ଆମେରିକାର ମାନସିକ ରୋଗ ବିଶେଷଜ୍ଞଙ୍କ ଅନୁସାରେ, ଦେଶରେ ଦୁଇ ତୃତୀୟାଂଶ ଲୋକ ଅବସାଦ ଯୋଗୁଁ ନିଦ୍ରାହୀନତାର ଶିକାର ହୋଇଛନ୍ତି । ଦୀର୍ଘ ଦିନ ଧରି ନିଦ ଖରାପ ହେଲେ ଏହା ଅବସାଦ ଏବଂ ଦୁଶ୍ଚିନ୍ତାକୁ ଡାକିଆଣେ ।
ଚିନ୍ତା ଓ ଅନିଦ୍ରା ମଧ୍ୟରେ ସଂପର୍କ
ଗବେଷଣାରୁ ଜଣାଯାଏ ଯେ, ଦୁଶ୍ଚିନ୍ତାରେ ରହୁଥିବା ୩୬ ପ୍ରତିଶତ ଲୋକଙ୍କ ଠାରେ ନିଦ୍ରାହୀନତା ଦେଖିବାକୁ ମିଳେ । ନିଦ କମ୍ ହେଲେ ଦୁଶ୍ଚିନ୍ତା ବଢ଼େ । ସେହଭିଳି ନିଦ୍ରାହୀନତା ଯୋଗୁଁ ଜଣେ ବ୍ୟକ୍ତି ପ୍ରାୟତଃ ଦୁଶ୍ଚିନ୍ତାରୁ ମୁକ୍ତି ପାଇବା କଷ୍ଟକର । ଯଦିଓ ଶରୀରର ଏହି ପ୍ରକ୍ରିୟାକୁ ଜଲଦି ଜାଣିବା ସହଜ ନୁହେଁ କିନ୍ତୁ ଦୀର୍ଘ ଦିନ ପରେ ଏହାର ପ୍ରଭାବ ସଂପର୍କରେ ଜଣାପଡ଼େ । ଏପରିକି ରାତିରେ ଦୁଃସ୍ବପ୍ନ ଆସେ ।
ନିଦ୍ରା ଏବଂ ମାନସିକ ସ୍ବାସ୍ଥ୍ୟ
୨୦୨୧ରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ନିଦରେ ସୁଧାର ଆସିବା ଦ୍ବାରା ଚିନ୍ତା, ଅବସାଦ ଏବଂ ମାନସିକ ଚାପ ଉପରେ ମହତ୍ବପୂର୍ଣ୍ଣ ପ୍ରଭାବ ପଡ଼ିଥାଏ । ଭଲ ଭାବରେ ଶୋଉଥିବା ଲୋକର ମସ୍ତିଷ୍କ ଭୟର ବାତାବରଣ ମଧ୍ୟରେ ଚିନ୍ତନ କରିବାକୁ ସକ୍ଷମ । ନିଦ୍ରାର ମାନ ଉପରେ ମାନସିକ ସ୍ବାସ୍ଥ୍ୟ ନିର୍ଭର କରେ । ଭଲ ନିଦ୍ରା ହେଲେ ହିଁ ଜଣେ ବ୍ୟକ୍ତି ଉତ୍ତମ ନିଷ୍ପତ୍ତି ନେବାରେ ସକ୍ଷମ ହୁଅନ୍ତି । ସେ ନିଜର ଭାବାବେଗକୁ ନିୟନ୍ତ୍ରଣ କରିବା ସହ ନିଜର ଧ୍ୟାନ କେନ୍ଦ୍ରୀତ କରିପାରନ୍ତି । କିନ୍ତୁ ଅନିଦ୍ରାର ଶିକାର ହୋଇଥିବା ବ୍ୟକ୍ତି ନିଜର ସାମର୍ଥ୍ୟକୁ ଚିହ୍ନିବାରେ ବିଫଳ ହେବା ସହ ଦୁଶ୍ଚିନ୍ତା, ଅବସାଦ ଏବଂ ମାନସିକ ଚାପ ଭିତରେ ପେଶି ହୋଇଯାଆନ୍ତି । ଯଦି କୌଣସି ବ୍ୟକ୍ତିଙ୍କୁ ରାତିରେ ନିଦ ହେଉନାହିଁ ତାଙ୍କୁ ଡାକ୍ତର ପାଖରୁ ପରାମର୍ଶ ନେବା ଆବଶ୍ୟକ ।
ଅନ୍ୟପଟେ ନିଦ୍ରାର ମାନ ବୃଦ୍ଧି ପାଇଁ ବିଭିନ୍ନ ଉପାୟ ଗ୍ରହଣ କରିପାରିବେ । ଶୋଇବା ପୂର୍ବରୁ ବିଭିନ୍ନ ପ୍ରଣାଳୀ ଅବଲମ୍ବନ କରନ୍ତୁ । ଦୀର୍ଘ ଶ୍ବାସକ୍ରିୟା କିମ୍ବା ଧ୍ୟାନ କରିପାରିବେ । ନିଦର ପରିବେଶକୁ ଅନୁକୂଳ କରନ୍ତୁ । ଶୋଇବା ପୂର୍ବରୁ ମୋବାଇଲ ଫୋନ୍ କିମ୍ବା ଅନ୍ୟ ଇଲେକଟ୍ରୋନିକ ଉପକରଣକୁ ନିଜ ପାଖରୁ ଦୂରେଇ ଦେବା ଦରକାର । ପ୍ରତିଦିନ ନିର୍ଦ୍ଦିଷ୍ଟ ସମୟରେ ଶୋଇବା ଅଭ୍ୟାସ କରିବାର ଆବଶ୍ୟକତା ରହିଛି । ଦିନରେ ଶୋଇବା ସମୟ କମ୍ କରିବା ଦ୍ବାରା ରାତିରେ ଶୋଇବାରେ ଅସୁବିଧା ହେବ ନାହିଁ । ଆପଣଙ୍କ ଗଦି ଓ ତକିଆ ଆପଣଙ୍କୁ ଆରାମ ଦେଉଛି କି ନାହିଁ ତାହା ଉପରେ ଧ୍ୟାନ ଦେବା ଦରକାର ।
ଅନ୍ୟପକ୍ଷରେ, ଚିନ୍ତା ଏବଂ ନିଦ୍ରାହୀନତା ମଧ୍ୟରେ ସଂପର୍କକୁ ଦେଖିଲେ ଜଣାଯାଏ ଯେ ଏହି ଦୁଇଟି ସ୍ଥିତି ମଧ୍ୟରେ କୌଣସି ନିର୍ଦ୍ଦିଷ୍ଟ କ୍ରମ ନାହିଁ । ଚିନ୍ତା ଏବଂ ନିଦ୍ରାହୀନତା ମଧ୍ୟରୁ ଯେକୗଣସି ସ୍ଥିତି ପ୍ରଥମେ ଆସିପାରେ । ଆମେରିକାର ଦାବି ଅନୁସାରେ, ଚିନ୍ତା ପାଇଁ ନିଦରେ ଅସୁବିଧା ହୋଇପାରେ ଏବଂ ନିଦ ଭଲ ନହେଲେ ଦୁଶ୍ଚିନ୍ତା ଆସିପାରେ ।