ନୂଆଦିଲ୍ଲୀ: ଅହମ୍ମଦାବାଦର ସିବିଆଇ ସ୍ୱତନ୍ତ୍ର କୋର୍ଟ ଏକ ଠକେଇ ଅଭିଯୋଗରେ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ ପରିଚାଳକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏସଏମ ରୋଡ ଶାଖାର ପୂର୍ବତନ ମୁଖ୍ୟ ପରିଚାଳକ ଜୀବନଗିନ ଶ୍ରୀନିବାସ ରାଓଙ୍କୁ ଏକ ବ୍ୟାଙ୍କ ଠକେଇ ମାମଲାରେ ତିନି ବର୍ଷ ଜେଲଦଣ୍ଡ ସହ ଦେଢ ଲକ୍ଷ ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି । ତାଙ୍କ ଉପରେ ବ୍ୟାଙ୍କରୁ ୮୦ ଲକ୍ଷ ଟଙ୍କା ହଡ଼ପ କରିବାର ଅଭିଯୋଗ ଥିଲା।
ସିବିଆଇ ରାଓ ଏବଂ ଅନ୍ୟ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ୨୦୦୩ ମସିହା ଅକ୍ଟୋବର ୩୦ରେ ଏକ ମାମଲା ରୁଜୁ କରିଥିଲା। ଅଭିଯୋଗ ହୋଇଥିଲା ଯେ ପୂର୍ବତନ ବ୍ୟାଙ୍କ ଅଧିକାରୀ ଏବଂ ଅନ୍ୟ ଅଭିଯୁକ୍ତମାନେ ଠକେଇ ଷଡ଼ଯନ୍ତ୍ର ରଚିଥିଲେ ଏବଂ ବ୍ୟାଙ୍କରୁ ଋଣ ହାସଲ କରିବା ପାଇଁ ଜାଲ କାଗଜପତ୍ର ବ୍ୟବହାର କରିଥିଲେ। କେବଳ ଏତିକି ନୁହେଁ, ଅଭିଯୁକ୍ତ ରାଓଙ୍କ ବିରୋଧରେ ମିଥ୍ୟା ସମ୍ପତ୍ତି ସହ ଜଡିତ କାଗଜପତ୍ର ଅନୁମୋଦନ କରିବା ପରେ ନଷ୍ଟ କରିବାର ମଧ୍ୟ ଅଭିଯୋଗ ରହିଛି।
ତଦନ୍ତ ସମୟରେ, ସିବିଆଇ ଜାଣିବାକୁ ପାଇଲା ଯେ ରାଓ ଜଣେ ବ୍ୟକ୍ତିଙ୍କୁ ୩୦ ଲକ୍ଷ ଟଙ୍କାର କାର୍ଯ୍ୟଶୀଳ ପୁଞ୍ଜି, ୨୫ ଲକ୍ଷ ଟଙ୍କାର ଲେଟର ଅଫ୍ କ୍ରେଡିଟ୍ (LC) ଏବଂ ୨୫ ଲକ୍ଷ ଟଙ୍କାର ମିଆଦି ଋଣ ମଞ୍ଜୁର କରିଥିଲେ। ଏହି ଋଣ ଗୁଡ଼ିକ ନକଲି ଏବଂ ନକଲି ସମ୍ପତ୍ତିକୁ ବନ୍ଧକ ରଖି ଦିଆଯାଇଥିଲା। ଏହିପରି ବ୍ୟାଙ୍କ ତାଙ୍କୁ ମୋଟ ୮୦ ଲକ୍ଷ ଟଙ୍କାର ଋଣ ମଞ୍ଜୁର କଲା।
ଋଣ ମଞ୍ଜୁର କରିବା ପୂର୍ବରୁ ଏବଂ ପରେ ରାଓ ଉପଯୁକ୍ତ ତଦନ୍ତ କରି ନଥିଲେ ବୋଲି ମଧ୍ୟ ସିବିଆଇ ଅଭିଯୋଗ କରିଛି। ସେ ଅଭିଯୁକ୍ତ ଘରୋଇ ସଂସ୍ଥା ଏବଂ ଏହାର ବ୍ୟବସାୟର ସତ୍ୟତା ଯାଞ୍ଚ ନକରି ଋଣ ମଞ୍ଜୁର କରିଥିଲେ। ଏହି ମାମଲାରେ ଏକ ବିସ୍ତୃତ ତଦନ୍ତ ପରେ, ସିବିଆଇ ୨୩ ଡିସେମ୍ବର ୨୦୦୫ରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା। ଶୁଣାଣି ପରେ, କୋର୍ଟ ଏବେ ଶ୍ରୀ ରାଓଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲଦଣ୍ଡ ଏବଂ ଜରିମାନା ଦଣ୍ଡିତ କରିଛନ୍ତି।