ମାଲକାନଗିରି - ଗତ ୨୭ ତାରିଖରୁ ଆରମ୍ଭ ହୋଇଥିବା ନୀତି ଆୟୋଗର ୧୦୦ଟି ପୋଷ୍ୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ଦୁଇଟି ପର୍ଯ୍ୟାୟ ତାଲିମ ଆଜି ଉଦ୍ଯାପିତ ହୋଇ ଯାଇଛି। ପ୍ରଥମ ଦିନ ଉଦ୍ଘାଟନ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଯୋଗ ଦେଇଥିବା ବେଳେ, ଉଭୟ ଉଦ୍ଘାଟନୀ ଓ ଉଦ୍ଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷାକାରୀ ବିଶ୍ବନାଥ ସାହୁ ଉପସ୍ଥିତ ରହି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମାର୍ଗଦର୍ଶନ କରି ଥିଲେ।
ତାଲିମରେ ଯୋଗ ଦେଇଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ଓ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କ ଦ୍ୱାରା ଅଭିନୟ, ଶିକ୍ଷଣ କାର୍ଯ୍ୟ, ସଂଳାପ କଥନ, ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ, କବିତା ଲିଖନ ଆଦି କାର୍ଯ୍ୟ ଅନୁଷ୍ଠିତ କରାଯାଇଥିଲା। ଏହି ଅବସରରେ, ଜିଲ୍ଲାର ୪୨ ଗୋଟି ବିଦ୍ୟାଳୟକୁ ପିଲାଙ୍କ ଶିକ୍ଷଣ ପାଇଁ ସ୍ମାର୍ଟ ଶିକ୍ଷଣ ଟେବୁଲ୍ ପ୍ରଦାନ କରାଯିବାକୁ ଘୋଷଣା କରାଯାଇ ଥିଲା। ଏହି ସ୍ମାର୍ଟ ଟେବୁଲରେ ପ୍ରଥମ ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଷୟର ସମସ୍ତ ପ୍ରସଙ୍ଗର ଶିକ୍ଷଣ କାର୍ଯ୍ୟ, ଗୀତ, ଗଳ୍ପ, ସନ୍ନିବେଶିତ ହୋଇ ରହିଛି।
ଏହି ତାଲିମ କାର୍ଯ୍ୟକ୍ରମରେ ସହକାରି ଜିଲ୍ଲା ମଙ୍ଗଳ ଅଧିକାରୀ ସୁମନ୍ତ ମାଝୀ, ବ୍ଲକ ଶିକ୍ଷା ଅଧିକାରୀ ରବୀନ୍ଦ୍ର ଧର, ସହକାରି ବ୍ଲକ ଶିକ୍ଷା ଅଧିକାରୀ ଗୌରାଙ୍ଗ ସଜ୍ଜନ ଓ ଅଶ୍ବିନୀ ମାଝୀ ଉପସ୍ଥିତ ରହି ସମସ୍ତଙ୍କୁ ମାର୍ଗଦର୍ଶନ କରିଥିଲେ। ସାଧନ କର୍ମୀରୂପେ ଶିକ୍ଷକ ପ୍ରମୋଦ କୁମାର ସେନାପତି, ସୁରେନ୍ଦ୍ର ସାହୁ, ଜୟନ୍ତ ପୋଇ, ପ୍ରମୋଦ କୁମାର ବାରିକ, ରାମପ୍ରସାଦ ପାଢୀ, ପ୍ରମୋଦ ଦାସ, ଅଶୋକ ହାଲଦାର ଓ ରାମକୃଷ୍ଣ ପାଢୀ ଯୋଗ ଦେଇଥିବା ବେଳେ ଜିଲ୍ଲା ଆଦିବାସୀ ଶିକ୍ଷା ତଥା ଶୈକ୍ଷିକ ସଂଯୋଜକ ଶେଷ ଶଙ୍କର ମହାଳିକ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲ । ଜିଲ୍ଲା ଶୈକ୍ଷିକ ପରାମର୍ଶଦାତା ସୀତାରାମ ଗୌଡ, ସତ୍ୟବ୍ରତ ମିଶ୍ର ଓ ଶିକ୍ଷକ କାଳୁ ଚରଣ ମହାରଣା ସହଯୋଗ କରି ଥିଲେ।