ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଦିଲ୍ଲୀରେ ହାଇଡ୍ରାମା ଦେଖିବାକୁ ମିଳିଛି । ଆପ୍ ପ୍ରାର୍ଥୀଙ୍କୁ ବିଜେପି କିଣିବାକୁ ଚେଷ୍ଟା କରୁଛି ବୋଲି ଅରବିନ୍ଦ କେଜ୍ରିଓ୍ବାଲ ଏବଂ ସଂଜୟ ସିଂହଙ୍କ ଅଭିଯୋଗକୁ ନେଇ ରାଜେନୖତିକ ହଟଚମଟ ଜାରି ହୋଇଛି । ଦିଲ୍ଲୀର ଉପରାଜ୍ୟପାଳ ଭିକେ ସକ୍ସେନାଙ୍କ ନିର୍ଦ୍ଦେଶ କ୍ରମେ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ଏହି ଦୁଇ ନେତାଙ୍କ ଘରେ ପହଞ୍ଚିଥିଲା । କିନ୍ତୁ ଏସିବି ଟିମ୍କୁ କେଜ୍ରିଓ୍ବାଲଙ୍କ ଘରେ ଏଣ୍ଟ୍ରି ମିଳିନଥିଲା । ସେପଟେ ଟିମ୍ ଆପ୍ ସାଂସଦ ସଂଜୟ ସିଂହଙ୍କୁ ପଚରା ଉଚରା କରିଥିବା ନେଇ ସୂତ୍ର ଆଧାରରେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ଏସିବି (ଦୁର୍ନୀତି ନିରୋଧୀ ବ୍ୟୁରୋ) ସୂତ୍ର ଅନୁଯାୟୀ, ସଞ୍ଜୟ ସିଂହ ଯେଉଁ ୧୬ ଜଣ ପ୍ରାର୍ଥୀଙ୍କ ନାଁ କହିଥିଲେ ସେନେଇ କୌଣସି ସୂଚନା ଦେଇ ନାହାନ୍ତି । ସେ କେବଳ ମୁକେଶ ଆହଲାୱତଙ୍କ ନାଁ କହିଛନ୍ତି । ସେ କହିଛନ୍ତି, ପ୍ରଥମେ ୭ ଜଣ ପ୍ରାର୍ଥୀଙ୍କୁ ଟଙ୍କା ପ୍ରଲୋଭିତ କରାଯାଇଥିବା ଜଣାପଡ଼ିଥିଲା, କିନ୍ତୁ ପରେ ୧୬ ଜଣ ପ୍ରାର୍ଥୀଙ୍କ ନାଁ ସାମ୍ନାକୁ ଆସିଥିଲା। ଏସିବି ସଞ୍ଜୟ ସିଂହଙ୍କୁ ଏହା ମଧ୍ୟ ପଚାରିଥିଲା ଯେ କେତେ ପ୍ରାର୍ଥୀଙ୍କୁ ଟଙ୍କା ପ୍ରଲୋଭନ ଦେଖାଇ ଦଳ ଛାଡିବାକୁ କୁହାଯାଇଥିଲା । କିନ୍ତୁ ଏହାର କୌଣସି ଉତ୍ତର ଦେଇନାହାନ୍ତି ସଂଜୟ ସିଂହ ।
ACBର ପ୍ରଶ୍ନ, ସଞ୍ଜୟ ସିଂହଙ୍କ ଉତ୍ତର: ସୂତ୍ର
ACBର ପ୍ରଶ୍ନ: କଲ୍ ପାଇଥିବା ବିଧାୟକଙ୍କ ନାମ କୁହନ୍ତୁ।
ସଞ୍ଜୟ ସିଂହଙ୍କ ଉତ୍ତର: ଆମେ ଆମର ଅଭିଯୋଗ ଦାଖଲ କରିବାକୁ ଆସିଛୁ।
ପ୍ରଶ୍ନ: ମୁକେଶ ଆହଲାୱତ କେଉଁଠି ? ସେ କାହିଁକି ACB ସମ୍ମୁଖରେ ହାଜର ହେଲେ ନାହିଁ ?
ସଞ୍ଜୟ ସିଂହ ଏବଂ ତାଙ୍କ ଓକିଲ କହିଛନ୍ତି: ଆମର ଏହି ଅଭିଯୋଗ ଲିଖିତ ଭାବରେ ଅଛି, ଯାହା ଆମେ ACBକୁ ଦେଇଛୁ।
ପ୍ରଶ୍ନ: ମୋଟ କେତେ ଜଣ ପ୍ରାର୍ଥୀଙ୍କୁ ଟଙ୍କା ପ୍ରଲୋଭନ ଦିଆଯାଇଥିଲା?
କୌଣସି ଉତ୍ତର ମିଳିନାହିଁ ।
ପ୍ରଶ୍ନ: ବିବୃତ୍ତିରେ ପ୍ରାର୍ଥୀଙ୍କ ସଂଖ୍ୟା ବାରମ୍ବାର କାହିଁକି ପରିବର୍ତ୍ତନ ହେଲା?
କୌଣସି ଉତ୍ତର ଦିଆଯାଇନାହିଁ ।
ପ୍ରଶ୍ନ: ମୁକେଶ ଆହଲାୱତ କିମ୍ବା କେଜ୍ରିୱାଲ କେହି ଆଗକୁ ଆସି ନଥିଲେ। ତା'ହେଲେ ଅନ୍ୟ ବିଧାୟକଙ୍କ ନାମ କିଏ କହିବ?
ସଞ୍ଜୟ ସିଂହଙ୍କ ଓକିଲ କହିଛନ୍ତି: ଯାହା କହିବାର ଥିଲା, ଅଭିଯୋଗ ପତ୍ରରେ ଲେଖାଯାଇଛି।