ଦାରିଙ୍ଗବାଡି,୨୧/୦୪: ସରକାରୀ ଯୋଜନାରୁ ବହୁ ଦୂରରେ ସିତାପାଙ୍ଗା ଗ୍ରାମ । ପାଣି, ରାସ୍ତା, ସ୍ୱାସ୍ଥ୍ୟ, ଶିକ୍ଷା ଭଳି ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ । ଏହି ସମସ୍ୟା ଆଜି କି କାଲିର ନୁହଁ । ବର୍ଷ ବର୍ଷ ଧରି ଲାଗି ରହିଛି ଅନେକ ସମସ୍ୟା । ହେଲେ ସରକାରୀ ବାବୁଙ୍କ ଭାଙ୍ଗୁନି ନିଦ । ଫଳରେ ଜଙ୍ଗଲୀ ଜୀବନ ଅତିବାହିତ କରୁଛନ୍ତି ଆଦିବାସୀ ବହୁଳ ଗାଁ ସିତାପାଙ୍ଗାର ଗ୍ରାମବାସୀ । ସୀତାପାଙ୍ଗା ଗ୍ରାମଟି ବାଡାବାଙ୍ଗା ପଞ୍ଚାୟତ ଅଧୀନରେ ରହିଛି । ଉକ୍ତ ଗାଁରେ ୧୬ ପରିବାର ବସବାସ କରନ୍ତି । ଉକ୍ତ ଗାଁ ମୁଖ୍ୟ ରାସ୍ତା ଠାରୁ ୪ କିଲୋ ମିଟର ଦୂରରେ ଅବସ୍ଥିତ। ହେଲେ ଉକ୍ତ ୪ କିଲୋମିଟର ରାସ୍ତା ଅବସ୍ଥା ନକହିବା ଭଲ । ସେହି ରାସ୍ତାଟି ମାଟି ରାସ୍ତା ହୋଇଥିବାରୁ ଅନେକ ଖାଲ ଖମା ରହିଛି।
ଉକ୍ତ ରାସ୍ତାରେ ଏକ ବଡ଼ ନାଳ ମଧ୍ୟ ରହିଛି । ସେହି ନାଳରେ ଏକ ପୋଲ ହୋଇଥିବା ବେଳେ ପୋଲକୁ ରାସ୍ତା ସଂଯୋଗ ହୋଇନାହିଁ । ଫଳରେ ପୋଲଟି କୌଣସି କାମରେ ଆସୁ ନାହିଁ । ବର୍ଷା ଦିନ ହୋଇଗଲେ ଉକ୍ତ ରାସ୍ତା ଦେଇ ଲୋକ ଯାତାୟତ କରିବା କଷ୍ଟ ସାଧ୍ୟ ହୋଇପଡୁଛି । ରାସ୍ତା ସାରା କାଦୁଅ ପଚ ପଚ ହେଉଛି । ଗାଁରେ ଆଜି ପର୍ଯ୍ୟନ୍ତ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ହୋଇ ପାରିନଥିବାରୁ ଲୋକେ ଗୋଳିଆ ଯୁକ୍ତ ଚୁଆ ପାଣି ପିଇ ଜୀବନ ବିତାଉଛନ୍ତି । ଉକ୍ତ ଚୁଆରେ ଜଙ୍ଗଲୀ ଜୀବଜନ୍ତୁ ଠାରୁ ଆରମ୍ଭ କରି ଗାଈ ବଳଦ ପାଣି ପିଅନ୍ତି । ଆଉ ସେହି ପାଣିକୁ ଗାଁ ଲୋକେ ମଧ୍ୟ ବ୍ୟବହାର କରିଥାନ୍ତି । ଗାଁରେ ବସୁଧା ଯୋଜନାରେ ଖାଲି ଟାଙ୍କି କାମ ହୋଇ ପଡ଼ି ରହିଛି ।
ଅନ୍ୟ ପଟେ ଗାଁରେ ସ୍କୁଲ କି ଅଙ୍ଗନବାଡ଼ି ନଥିବା ହେତୁ ପିଲା ମାନେ ଶିକ୍ଷାଠୁ ବହୁ ଦୂରରେ ରହିଛନ୍ତି । ଉକ୍ତ ଗାଁରେ ସ୍କୁଲ ରହିଥିଲା ହେଲେ ପିଲା ସଂଖ୍ୟା କମ୍ ଥିବା ଯୋଗୁଁ ସ୍କୁଲ ବନ୍ଦ ହୋଇ ଯାଇଛି । ସେହି ଦିନ ଠାରୁ ଗାଁରେ ଶିକ୍ଷା ଗ୍ରହଣ ବନ୍ଦ ହୋଇ ଯାଇଥିବା ବେଳେ ପିଲାମାନେ ଶିକ୍ଷାରୁ ବଞ୍ଚିତ ହୋଇ ରହିଛନ୍ତି । ଗାଁକୁ ବିଦ୍ୟୁତ ସଂଯୋଗ ହୋଇଥିଲେ ସୁଦ୍ଧା ନହେଲା ଭଳି ମନେ ହେଉଛି । ମାସକରେ ଅଧା ଦିନ କରେଣ୍ଟ ରହିଲେ ଅଧା ଦିନ ରହୁନାହିଁ । ଏଭଳି ଭାବେ ଗାଁରେ ରହିଛି ଅନେକ ସମସ୍ୟା । ସ୍ୱାଧୀନତାର ୭୭ ବର୍ଷ ବିତିଯାଇଥିଲେ ସୁଦ୍ଧା ଏହି ସବୁ ସମସ୍ୟାର ସମାଧାନ ହୋଇପାରିନାହିଁ ।
ଏସବୁ ସମସ୍ୟାର ସମାଧାନ ନିମନ୍ତେ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗାଁର ସମସ୍ୟା ନେଇ ଗ୍ରାମବାସୀ ୨ ଶହରୁ ଅଧିକ ଥର ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଲିନାହିଁ । ସେହିପରି ପାଖରେ ରହିଥିବା ଅଡାଗାଡୁ ଗ୍ରାମରେ ମଧ୍ୟ ସେହି ସମାନ ସ୍ଥିତି । ଏହି ୨ ଟି ଗ୍ରାମ ପ୍ରତି ସରକାର ତଥା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ମୌଳିକ ସୁବିଧା ଯୋଗାଇ ଦେବାକୁ ଦାବି ହୋଇଛି ।