ଫିରିଙ୍ଗିଆ, ୨୧/୪ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତର ନୁଆଁପଡା ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଛନ୍ତି। ଆଜକୁ ୫ ଦିନ ହେଲା ଅଙ୍ଗନବାଡି କେନ୍ଦ୍ରରୁ ତାଲା ଝୁଲୁଛି ।
ଏହି ନୁଆଁପଡା ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ନିଯୁକ୍ତି ନେଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା l ଏଥିରେ ନୁଆଁପଡା ଗାଁରୁ ଜଣେ ମହିଳା ଆବେଦନ କରିଥିବା ବେଳେ ନୁଆଁପଡା ୱାର୍ଡ ରୁ ମଧ୍ୟ ଅନ୍ୟ ଜଣେ ମହିଳା ଆବେଦନ କରିଥିଲେ । ଏହା ବ୍ୟତୀତ ଅନ୍ୟ ଏକ ୱାର୍ଡ ବୁଡ଼ାକାମ୍ବା ୱାର୍ଡର ଗୋପୀପଦର ଗାଁର ଜଣେ ମହିଳା ଅଙ୍ଗନବାଡି କର୍ମୀ ପାଇଁ ଆବେଦନ କରିଥିଲେ। ନୁଆଁ ପଡା ଗାଁ କିମ୍ବା ନୁଆଁପଡା ୱାର୍ଡ ରୁ ମହିଳାଙ୍କୁ ନିଯୁକ୍ତି ଦିଆ ନଯାଇ ବୁଡ଼ାକାମ୍ବା ୱାର୍ଡ ର ଗୋପିପଦର ଗାଁର ମହିଳା ଜଣକୁ ନିଯୁକ୍ତି ଦିଆ ଯାଇଥିଲା l ଏହି ଘଟଣା ପରେ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଥିଲେ ଉତ୍ତ୍ୟକ୍ତ ଜନସାଧାରଣ l ଏହି ଘଟଣାକୁ ୫ ଦିନ ବିତି ଯାଇଛି।
ସୋମବାର ନୁଆଁପଡା ଅଙ୍ଗନବାଡି କେନ୍ଦ୍ରକୁ ଫିରିଙ୍ଗିଆ ସମ୍ୱନ୍ୱିତ ଶିଶୁଵିକାଶ ଅଧିକାରିଣୀ ନିବେଦିତା ପ୍ରଧାନ ଓ ପରିଦର୍ଶିକା ରତ୍ନାବତୀ ବେହେରା ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅଙ୍ଗନବାଡି କେନ୍ଦ୍ରକୁ କେହି ଗ୍ରାମବାସୀ କି ମହିଳାମାନେ ଆସିନଥିଲେ । ଯେଉଁ କେତେଜଣ ଆସିଥିଲେ ସିଧା ସିଧା ବିଚାର ନ ହେବା ପର୍ଯ୍ୟନ୍ତ ଓ ନୂତନ ଭାବରେ ଗ୍ରାମରୁ କିମ୍ବା ୱାର୍ଡ ରୁ ନିଯୁକ୍ତି ନ ଦେବା ପର୍ଯ୍ୟନ୍ତ ତାଲା ପଡ଼ି ରହିବ ବୋଲି କହିଥିଲେ।
ଯାହାଦ୍ୱାରା କିଛି ସମାଧାନ କରି ନ ପାରି ସିଡିପିଓ ଫେରିଯାଇଥିଲେ। ଅନ୍ୟପଟେ ଅଙ୍ଗନବାଡି କେନ୍ଦ୍ରରେ ତାଲା ପଡ଼ି ରହିଥିବାରୁ ଅଙ୍ଗନବାଡି ସହାୟିକା ନିଜ ଘରେ ରୋଷେଇ କରି ଖାଇବାକୁ ଦେଇଥିଲେ l କେନ୍ଦ୍ରକୁ ୧୫ ଜଣ ଶିଶୁ ରୁ ମାତ୍ର ୮ ଜଣ ଶିଶୁ ଆସୁଥିବା ବେଳେ ଅଧିକାଂଶ ଲୋକେ ନିଜର ଶିଶୁ ମାନଙ୍କୁ ଛାଡ଼ୁନଥିବା ଦେଖିବାକୁ ମିଳିଛି l ତୁରନ୍ତ ଏହାର ସମାଧାନ ନକଲେ ଆଗାମୀ ଦିନରେ କୋମଳ ମତି ଶିଶୁ ଶିକ୍ଷାଦାନ ରୁ ବଞ୍ଚିତ ହେବା ସହ ପୁଷ୍ଟିକର ଖାଦ୍ୟ ପାଇବାରୁ ମଧ୍ୟ ବଞ୍ଚିତ ହେବେ । ସିଡିପିଓ ନିବେଦିତା ପ୍ରଧାନଙ୍କୁ ପଚାରିବାରୁ ସେ କହିଥିଲେ ଯେ ନିଯୁକ୍ତି ପ୍ରକ୍ରିୟା ଠିକ ଭାବରେ ହୋଇଛି ତୁରନ୍ତ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା କରି ସମାଧାନ କରାଯିବ।