ଫିରିଙ୍ଗିଆ,୨୦/୦୪: ସରକାର ଗରିବ, ଖଟିଖିଆ, ଦିନ ମଜୁରିଆ ଓ ଅସହାୟ ପରିବାର ମାନଙ୍କ ମୁଣ୍ଡ ପାଇଁ ଛାତ ଖଣ୍ଡେ ଖଣ୍ଡେ ଯୋଗେଇ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା କରିଛନ୍ତି । ହେଲେ ଏହି ଯୋଜନାରେ ବି ବାଟ ମାରଣା ହେଉଥିବା ଅଭିଯୋଗ ହେଉଛି । ପ୍ରକୃତ ହିତାଧିକାରୀ ସରକାରଙ୍କ ଏହି ପକ୍କା ଘର ଯୋଜନାରୁ ବଞ୍ଚିତ ରହୁଥିବା ବେଳେ ଧନୀ ଓ ମଧ୍ୟବିତ୍ତ ପରିବାରମାନେ ଏହି ଯୋଜନାର ଲାଭ ଉଠାଉଛନ୍ତି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ପଞ୍ଚାୟତ ଅନ୍ତର୍ଗତ କୁଡୁକି ଗ୍ରାମରୁ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ।
କୁଡୁକି ଗ୍ରାମର ପଣ୍ଡିତ ବିନ୍ଧାଣୀ ନିଜ ସ୍ତ୍ରୀ ଓ ପିତା ଲେଙ୍ଗୁ ବିନ୍ଧାଣୀଙ୍କୁ ନେଇ ବର୍ଷ ବର୍ଷ ଧରି ଏକ ଝାଟିମାଟି ଘରେ ଦିନ କାଟୁଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଙ୍କ ପାଇଁ ସାତ ସପନ ପାଲଟିଛି । ପ୍ରଶାସନିକ ଅଧିକାରୀ ମାନଙ୍କୁ ବାରମ୍ବାର ଗୁହାରୀ କରି ଆସୁଥିଲେ ମଧ୍ୟ ଏଯାଏଁ ତାଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରୁ ବଞ୍ଚିତ ରଖାଯାଇଛି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ସର୍ଭେ ଚାଲିଛି । ହେଲେ ଏଯାଏଁ କୌଣସି ପ୍ରଶାସନିକ ଅଧିକାରୀ ପଣ୍ଡିତଙ୍କ ଘର ବାରଣ୍ଡା ମାଡି ନଥିବା ପଣ୍ଡିତ କହିଛନ୍ତି । ଆଗକୁ ବର୍ଷା ଋତୁ ଆସୁଥିବାରୁ ଘରକୁ ନେଇ ଚିନ୍ତିତ ପଣ୍ଡିତଙ୍କ ପରିବାର । ପଣ୍ଡିତଙ୍କ ଘର ଅଧାଅଧି ଭାଙ୍ଗି ଗଲାଣି । ଅର୍ଥ ଅଭାବ ଯୋଗୁଁ ଘରର ମରାମତି କରି ପାରୁନାହାନ୍ତି ପଣ୍ଡିତ। କୁଲି ମଜୁରୀ କରି ପରିବାର ପୋଷୁଥିବା ପଣ୍ଡିତଙ୍କ ପାଖରେ ଏତେ ଟଙ୍କା ବା ଆସିବ କେଉଁଠୁ, ଯେଉଁଥିରେ ସେ ଘର ମରାମତି କରିବ । ସରକାରୀ ସହାୟତାରେ ମାତ୍ର ୧୦ କେଜି ଚାଉଳ ପାଉଥିବା ପଣ୍ଡିତଙ୍କୁ ବର୍ତ୍ତମାନ ଘର ଚିନ୍ତା ଘାରିଛି । ପ୍ରଶାସନ ତୁରନ୍ତ ଏହି ଗରିବ ପରିବାରକୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡେ ଯୋଗେଇ ଦେବାକୁ ସାଧାରଣରେ ଦାବି ହେଉଛି ।