ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଫାଇନାଲ ମ୍ୟାଚ୍‌ର ଚାପ ନା ଖରାପ ପ୍ରଦର୍ଶନ ? ୧୨ ବର୍ଷ ପରେ ବି ହାତ ଖାଲି

ଅହମ୍ମଦାବାଦ: ବିଶ୍ବକପ ଫାଇନାଲ ମ୍ୟାଚ୍‌ରେ ଭାରତୀୟ ଟିମ୍‌ର ଶୋଚନୀୟ ପରାଜୟ ୧୩୦ କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗିଦେଇଛି । ସେପଟେ ଅଷ୍ଟ୍ରେଲିଆ ଆଜି ସହଜରେ ମୁକାବିଲା ଜିତି ଷଷ୍ଠ ଥର ଲାଗି ବିଶ୍ବକପ ଚାମ୍ପିଅନ ହୋଇଛି । ଆଜିର ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ବହୁତ ଭଲ ପ୍ରଦର୍ଶନ କରିବ ବୋଲି ଆଶା ଥିଲା । ହେଲେ ସବୁକିଛି ଧୂଳିସାତ ହୋଇଯାଇଛି । ପ୍ରଥମେ ବ୍ୟାଟିଂ କରି ରୋହିତ ବାହିନୀ ମାତ୍ର ୨୪୦ ରନରେ ଅଲଆଉଟ ହୋଇଥିଲା।  ୨୪୧ ରନ୍‌ର ବିଜୟ ଲକ୍ଷ୍ୟ ପଡ଼ିଆକୁ ଓହ୍ଲାଇଥିବା କଙ୍ଗାରୁ ଦଳ ୪୩ ଓଭରରେ ବିଜୟୀ ହୋଇଛି । ବାଘ ଆଜି କଙ୍ଗାରୁ ଶିକାର କରିବ ବୋଲି ଯେଉଁ ଆଶା ଥିଲା ତାହା ଆଶାରେ ହିଁ ରହିଗଲା । 

 ଭାଙ୍ଗିଗଲା ସ୍ଵପ୍ନ ମଉଳିଗଲା ବିଶ୍ଵକପ୍ ଜିତିବାର ଆଶା । ୨୦୧୯  ପରେ ପୁଣି ଥରେ ଟ୍ରଫି ଜିତିବାରେ ବିଫଳ ହେଲା ଭାରତୀୟ କ୍ରିକେଟ୍ ଦଳ । ଲିଗ୍ ପର୍ଯ୍ୟାୟରେ ସିଂହ ଭଳି ଖେଳୁଥିବା ଟିମ ଇଣ୍ଡିଆ ଆଜି ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ନିରାଶ କରିଛି । ଚମତ୍କାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ଷଷ୍ଠ ଥର ବିଶ୍ଵକପ୍ ଟ୍ରଫି  ହାତେଇ ନେଇଛି। 

୧୨ ବର୍ଷ ପରେ ବି ହାତ ଖାଲି

ଭାରତୀୟ ଦଳ ବିଶ୍ଵକପ୍   ଜିତିବା ପାଇଁ ସବୁଠୁ ବଡ଼ ଦାବିଦାର ଥିଲା । ଦଳ ଲିଗ୍ ପର୍ଯ୍ୟାୟରେ ଲଗାତାର ୯ଟି ମ୍ୟାଚ୍ ଓ ସେମି ଫାଇନାଲ୍  ଜିତି ଫାଇନାଲରେ ପ୍ରବେଶ କରିଥିଲା । ଏମିତି ଦମଦାର ଫର୍ମରେ ଥାଇ ଫାଇନାଲ୍ ହାରିବା ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ବ୍ୟଥିତ କରିଛି । ଉଲ୍ଲେଖନୀୟ ଭାରତୀୟ ଦଳ ନିଜର ଶେଷ ବିଶ୍ଵକପ୍ ୨୦୧୧ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ଵରେ ଜିତିଥିଲା। ଏହା ପରଠୁ ଭାରତ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟ ଜିତି ପାରି ନାହିଁ । 

ଲଗାତାର ତୃତୀୟ ଥର ନିରାଶ କଲା


ଭାରତୀୟ ଦଳ ୨୦୧୧ପରେ ଲଗାତାର ୩ଟି ବିଶ୍ଵକପ୍ ଖେଳିଛି । ତିନି ଥର ଭାରତକୁ ନକଆଉଟ୍‌ ମ୍ୟାଚ୍‌ରେ  ହିଁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ୨୦୧୫ ବିଶ୍ଵକପ୍ ସେମି ଫାଇନାଲରେ ଭାରତୀୟ ଦଳକୁ ଅଷ୍ଟ୍ରେଲିଆ ହରାଇଥିଲା। ଏହା ପରେ ୨୦୧୯ ବିଶ୍ଵକପ୍‌ର ସେମି ଫାଇନାଲରେ ନ୍ୟୁଜିଲାଣ୍ଡ ଭାରତକୁ ହରାଇ ବିଶ୍ଵକପ୍‌ରୁ ବିଦା କରିଥିଲା । ଏଥର ଭାରତ ଘରୋଇ ମାଟିରେ ଆୟୋଜିତ ବିଶ୍ଵକପର ଫାଇନାଲରେ ଅତି ଚମତ୍କାର ପ୍ରଦର୍ଶନ ସହ ପହଞ୍ଚିଥିଲା । ହେଲେ ଚାମ୍ପିଅନ ହୋଇପାରିଲା ନାହିଁ । 

 ଚାପରେ ଚେପା ହେଉଛନ୍ତି କି ଖେଳାଳି ?

ବଡ଼ ମୁକାବିଲାରେ ଭାରତୀୟ ଦଳର ବ୍ୟାଟିଂ ଲଗାତାର ଭୁଶୁଡ଼ି ପଡ଼ୁଛି । ୨୦୧୫ ବିଶ୍ଵକପର ସେମି ଫାଇନାଲରେ ଭାରତ ୨୩୩ ରନରେ ଅଲଆଉଟ୍ ହୋଇଥିଲା । ପୁଣି ୨୦୧୯ ବିଶ୍ଵକପ୍ ସେମି ଫାଇନାଲ୍‌ରେ ୨୨୧ ରନରେ ଅଲଆଉଟ୍ ହୋଇଥିଲା ଟିମ ଇଣ୍ଡିଆ । ସେହିଭଳି ୨୦୨୩ ଫାଇନାଲ ମୁକାବିଲାରେ ଦଳ ୨୪୦ ରନରେ ଅଲଆଉଟ୍ ହୋଇଥିଲା । ଆଉ ଏହି ତିନି ବଡ଼ ମ୍ୟାଚ୍‌ରେ ଭାରତୀୟ ଦଳର ବୋଲିଂ ମଧ୍ୟ ଏତେ ଭଲ ହୋଇପାରିନାହିଁ । 

ଲିଗ୍ ଷ୍ଟେଜରେ ବାଦଶାହ, ନକଆଉଟ୍‌ରେ ଫ୍ଲପ୍

ସବୁଠୁ ଆଶ୍ଚର୍ଯ୍ୟକର କଥା ଭାରତୀୟ ଦଳ ୨୦୧୧ ବିଶ୍ଵକପ୍ ପରେ ଖେଳିଥିବା ସମସ୍ତ ବିଶ୍ଵକପର ଲିଗ୍ ପର୍ଯ୍ୟାୟରେ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ମାତ୍ର ନକଆଉଟ୍ ମ୍ୟାଚ୍ ଆସିଲେ ଦଳ ସଂପୂର୍ଣ୍ଣ ଧରାଶାୟୀ ହୋଇଯାଉଛି । ୨୦୧୫ ବିଶ୍ଵକପ୍‌ରେ ଟିମ୍ ଇଣ୍ଡିଆ ଗ୍ରୁପ ପର୍ଯ୍ୟାୟରେ ୬ଟିରୁ ୬ଟି ଜିତିଥିଲା। ୨୦୧୯ ବିଶ୍ଵକପରେ ୯ଟିରୁ ୭ଟି ଜିତି ପଏଣ୍ଟ ଟେବୁଲରେ ଶୀର୍ଷରେ ଥିଲା। ଏଥର ମଧ୍ୟ ଦଳ ୯ଟିରୁ ୯ଟି ଜିତି ଶୀର୍ଷରେ ରହିଥିଲା। ମାତ୍ର ନକଆଉଟ୍‌ରେ ଭାରତୀୟ ଦଳ ଲଗାତାର ବିଫଳ ହୋଇ ଆସିଛି।

ଏମିତି ଥିଲା ବିଶ୍ଵକପ୍ ୨୦୨୩ ଫାଇନାଲ୍


ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ବହୁ କଷ୍ଟରେ ୨୪୦ ରନ କରିଥିଲା । କେଏଲ ରାହୁଲ ୬୬ ରନ କରିଥିବା ବେଳେ ବିରାଟ କୋହଲି ୫୪ ରନ ଓ ରୋହିତ ଶର୍ମା ୪୭ ରନ କରିଥିଲେ । ଜବାବରେ ଟ୍ରେଭିସ୍ ହେଡ୍‌ଙ୍କ ୧୩୭ ରନ ଓ ଲାବୁସେନଙ୍କ ୫୪ ରନ ବଳରେ ୪୩ ଓଭରରେ ଅଷ୍ଟ୍ରେଲିଆ ୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି । 

  • Team India
  • ODI World Cup 2023
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.