ଭୁବନେଶ୍ବର, ୬।୨ : ଆସିକା ନିକଟରେ ଏକ ପିକଅପ ଭ୍ୟାନକୁ ଯାଞ୍ଚ କରି ଅବକାରୀ ବିଭାଗ ୭୦ କିଲୋ ଗଞ୍ଜେଇ ଜବତ କରିଛି। ଏଥିସହ ୪ ଜଣଙ୍କୁ ଗିରଫ କରିଛି। ଗଞ୍ଜେଇ ଚାଲାଣରେ ବ୍ୟବହୃତ ହେଉଥିବା ପିକଅପ ଭ୍ୟାନ ଓ କାରକୁ ଜବତ କରିଛି। ତେବେ ଏହି ଗଞ୍ଜେଇ ଦାରିଙ୍ଗିବାଡ଼ିରୁ ଅଣାଯାଇ ପୁରୁଷୋତ୍ତମପୁରରେ ହେଉଥିଲା ପ୍ୟାକିଂ। ପରେ ମୁମ୍ବାଇ ପଠାଇବା ପାଇଁ ଥିଲା ଯୋଜନା। କିନ୍ତୁ ଚାଲାଣକାରୀଙ୍କ ସବୁ ଯୋଜନା ଫସର ଫାଟିଯାଇଥିଲା।
ଦାରିଙ୍ଗିବାଡ଼ିରୁ ଗଞ୍ଜେଇ ଧରି ଏକ ପିକଅପ ଭ୍ୟାନ ଆସୁଥିଲା। ଏଥିସହ ପିକଅପ ଭ୍ୟାନକୁ ଏସ୍କର୍ଟ କରି ଏକ କାର ଆଗରେ ଯାଉଥିଲା। ଖବର ପାଇ ଅବକାରୀ ଗୁଇନ୍ଦା ବିଭାଗ ଆସିକା ନିକଟରେ ଉଭୟ ଗାଡିକୁଅଟକାଇ ଯାଞ୍ଚ କରିଥିଲା। ଗାଡିରୁ ୭୦ କିଲୋ ଗଞ୍ଜେଇ ମିଳିଥିଲା। ଏଥିସହ ୪ ଜଣଙ୍କୁ ଅବକାରୀ ପୋଲିସ ଗିରଫ କରିଥିଲା। ସେମାନେ ହେଲେ ଆସିକା ନବରତ୍ନପୁର ଗ୍ରାମର ସନ୍ତୋଷ ପଲାଇ, ଟିତୁ ପଲାଇ, ସୁନିଲ ସ୍ୱାଇଁ ଓ ପୋଲସରାର ଅଶୋକ ସାହୁ। ସେମାନେ ଏହି ଗଞ୍ଜେଇକୁ ଦାରିଙ୍ଗବାଡ଼ିରୁ ଆଣି ପୁରୁଷୋତ୍ତମପୁରରେ ପ୍ୟାକ୍ କରିଥାନ୍ତି। ସେଠାରୁ ଟ୍ରେନ କିମ୍ବା କାର ଯୋଗେ ମୁମ୍ବାଇ ପଠାଇଥାନ୍ତି। ଏମାନଙ୍କ ନିକଟରୁ ଛଅଟି ମୋବାଇଲ ଫୋନ ଜବତ ହୋଇଛି।