ଭୋପାଳ: ନଦୀ ପାର୍ ହେବା କାଳ । ଅକାଳରେ ଚାଲିଗଲା ୭ଜଣଙ୍କ ଜୀବନ । ମଧ୍ୟପ୍ରଦେଶର ଶ୍ୟୋପୁରରେ ଡଙ୍ଗା ବୁଡି ୩ ଶିଶୁଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଛି। ନଦୀ ପାର୍ ହେଉଥିବାବେଳେ ହଠାତ ଝଡ ତୋଫାନ ଆସିବା ଯୋଗୁଁ ଭାରସାମ୍ୟ ହରାଇ ଡଙ୍ଗାଟି ନଦୀରେ ଓଲଟି ପଡିଥିଲା । ୪ ଜଣ ପହଁରି ପହଁରି ନିଜ ଜୀବନ ବଞ୍ଚାଇ ଥିବାବେଳେ ଆଉ ୭ ଜଣଙ୍କ ମୃତ୍ୟୁ ହୋଇଛି ।
ତେବେ ଡଙ୍ଗା ବୁଡିବା ନେଇ ଖବର ପାଇବା ପରେ ପୋଲିସ, ପ୍ରଶାସନ ଓ ଏନଡିଆରଏଫ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ୪ ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ୭ ଜଣଙ୍କ ମୃତଦେହ ନଦୀରୁ ଉଦ୍ଧାର ହୋଇଛି । ସମସ୍ତ ମୃତକ ରାଜସ୍ଥାନର ନାନାବତ ଓ ବିଜରପୁର ଅଞ୍ଚଳର । ଏହି ଅଘଟଣରେ ଗୋଟିଏ ପରିବାରର 4 ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ସମ୍ପର୍କରେ ସ୍ୱାମୀ-ସ୍ତ୍ରୀ ଏବଂ ସେମାନଙ୍କ ୨ଟି ଶିଶୁ ଥିବା ଜଣାପଡିଛି । ଏହି ଅଘଟଣକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ।