କୋଣାର୍କ,୧୨/୦୨: ଦୃତ ଗତିରେ ବାଇକ୍ ଚଳାଇବା ହେଲା କାଳ । ଦୁର୍ଘଟଣାରେ ଘଟଣା ସ୍ଥଳରେ ୨ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର ବେଳେ ଆଉ ଜଣେ ଯୁବକ୍ଙକ ମୃତ୍ୟୁ ହୋଇଛି । ମୃତକ ଜୟପ୍ରକାଶ ସାହୁ, ସାଗର ମଲ୍ଲିକ, ଦୀପକ ମଲ୍ଲିକ ବୋଲି ଜଣାପଡ଼ିଛି । କୋଣାର୍କ-କାକଟପୁର ରାସ୍ତା କୋଣାର୍କ ଥାନା ଅର୍ନ୍ତଗତ ବଢେଇ ଛକରେ ଏଭଳି ଦୁର୍ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ଚାରିଛକ ଦଣ୍ଡିକିରାର ଜୟପ୍ରକାଶ ସାହୁ,ସାଗର ମଲ୍ଲିକ,ଦୀପକ ମଲ୍ଲିକ ତିନି ଜଣ ସାଥି ହୋଇ ମଙ୍ଗଳବାର ରାତି ପ୍ରାୟ ୧ଟା ସମୟରେ ବାଇକ୍ରେ କୋଣାର୍କରୁ ଘରକୁ ଫେରୁଥିଲେ । ବଢେଇ ଛକ ବୁଲାଣି ନିକଟରେ ଭାରସାମ୍ୟ ହରାଇ ବାଇକ୍ଟି ମଣ୍ଡପରେ ଧକ୍କା ହୋଇଥିଲା । ଏଥିରେ ତିନି ଜଣ ଗୁରୁତର ଆହତ ହୋଇଥିଲେ ଏବଂ ବାଇକ୍ଟି ଚୁରମାର ହୋଇଯାଇଥିଲା। ଦୁର୍ଘଟଣା ଫଳରେ ଘଟଣା ସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ପ୍ରଚଣ୍ଡ ଶବ୍ଦରେ ସ୍ଥାନୀୟ ବାସିନ୍ଦା ନିଦରୁ ଉଠି ଘଟଣା ସମ୍ପର୍କରେ ଜାଣିବାକୁ ପାଇ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ କୋଣାର୍କ ଚମ୍ପାହାର ଅଗ୍ନିଶମ ବାହିନୀର ଏକ ଟିମ୍ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଯୁବକଙ୍କୁ ଉଦ୍ଧାର କରି ତୁରନ୍ତ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ବାଟରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ସକାଳୁ ଦୁର୍ଘଟଣା ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳକୁ ଲୋକଙ୍କ ସୁଅ ଛୁଟିଥିଲା । କୋଣାର୍କ ଥାନାରେ ଏକ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ନିମନ୍ତେ ଚାରିଛକ ହସ୍ପିଟାଲ ପଠାଯାଇଥିବା ପୋଲିସ ସୂଚନା ଦେଇଛି।