ବ୍ରହ୍ମପୁର,୧୧।୨: ଗୋଳନ୍ଥରା ଥାନା ଅଂଚଳରେ ୫ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣାରେ ଆଉ ୨ ଜଣକୁ ପୋଲିସ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ସୁଭାଶିଷ ସାହୁ ଓ ରଣ୍ଡା ସରପଂଚ ଅଜିତ ରାଉଳ। ପୂର୍ବରୁ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଥିଲା ପୋଲିସ।
ଉଭୟ ପକ୍ଷ ମଧ୍ୟରେ ରାଜନୈତିକ ଶତ୍ରୁତା ରହିଥିଲା । ନିର୍ବାଚନ ପୂର୍ବରୁ ଓ ପରେ ଉଭୟ ପକ୍ଷ ପରସ୍ପରକୁ ଆକ୍ରମଣ କରି ଜେଲ ବି ଯାଇଥିଲେ। ତେବେ ଗତ ୭ ତାରିଖରେ ଏହି ଦୁଇ ଜଣଙ୍କ କଥାରେ ଗୋଲନ୍ଥରା ଥାନା ହଳଦିଆ ପଦର ଗ୍ରାମର ସୁବାସ ଦାସ, ସଦାନନ୍ଦ ଦାସ ଓ କନିସି ଗ୍ରାମର ଆଶିଷ ଦଳାଇ ମିଳିତ ଭାବେ ବାଇକରେ ଯାଇ ୫ ଜଣଙ୍କୁ ଆକ୍ରମଣ କରିଥିଲେ। ପୋଲିସ ତଦନ୍ତ କରି ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିଲା। ଏବେ ୨ ଜଣଙ୍କୁ ଗିରଫ କରିଛି। ଅଜିତଙ୍କ ନାଁରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଛି। ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତ ସୁବାସ ଦାସ ନାମ ରେ ୧୪ ଟି, ସଦାନନ୍ଦ ଦାସ ନାମରେ ୧୦ ଟି ଓ ଆଶିଷ ଦଳାଇ ନାମରେ ୧୨ଟି ମାମଲା ରହିଛି। ଏମାନଙ୍କ ଠାରୁ ୨ଟି ବାଇକ୍ ଓ ୨ଟି ଖଣ୍ଡା ପୋଲିସ ଜବତ୍ କରିଥିଲା ।