ଭୁବନେଶ୍ୱର,୧୫/୦୨: ବାଲିଗୁଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା । ଗଞ୍ଜେଇ ପ୍ୟାକିଙ୍ଗ ବେଳେ ମାଡ଼ି ବସିଲା ପୋଲିସ । ୧୧୭ କେଜି ଗଞ୍ଜେଇ ଜବତ କରି ଜଣକୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଛି ।ଗିରଫ ହଇଥିବା ଅଭିଯୁକ୍ତ ଜଣକ ପୂଜୁରା ଡିଗାଲ ଏବଂ ଫେରାର ହେଇଥିବା ଅଭିଯୁକ୍ତ ପାଉଲ ଡିଗାଲ ବୋଲି ଜଣାପଡ଼ିଛି । ଘଟଣା ପରେ ଗଞ୍ଜେଇ ଚାଷ ଛାଡି ଷ୍ଟବେରୀ, ହଳଦୀ ଚାଷ କରିବାକୁ ଅପିଲ କଲେ ଏସଡ଼ିପିଓ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ । ଖବର ପାଇ ବାଲିଗୁଡ଼ା ଏସଡିପିଓ ରମେନ୍ଦ୍ର ପ୍ରସାଦଙ୍କ ନେତୃତ୍ୱରେ ବାଲିଗୁଡା ଥାନା ଅଧିକାରୀ ସମ୍ବିତ ସ୍ୱାଇଁ, ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନା, ଏସଆଇ ପି.କେ. ଜେନାଙ୍କ ମିଳିତ ଟିମ୍ ବାଲିଗୁଡ଼ା ଥାନା ପରମପାଙ୍ଗା ପଞ୍ଚାୟତ ଈଶରାଏଲ ନଗର କିଳୁପଡା ଘର ପଛ ପଟ ନିକଟରେ ଚଢ଼ାଉ କରିଥିଲା । ସେଠାରେ ଗଞ୍ଜେଇ ଚାଲାଣ ପାଇଁ ପ୍ୟାକିଙ୍ଗ ଚାଲିଥିବା ବେଳେ ପୋଲିସ ଚଢାଉ କରିଥିଲା । ଏହି ଚଢାଉରେ ୧୧୭ କେଜି ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଥିବା ପୋଲିସ କହିଛି । ତେବେ ସମୁଦାୟ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ବାଲିଗୁଡ଼ା ଏସଡିପିଓ ସୂଚନା ଦେଇଛନ୍ତି । ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦ ପ୍ରେସ ମିଟ ଜରିଆରେ ଗଞ୍ଜେଇ ଚାଷରୁ ନିବୃତ୍ତ ରହିବାକୁ ଚାଷୀ ମାନଙ୍କୁ ଅପିଲ କରିଛନ୍ତି । ବେଆଇନ ଗଞ୍ଜେଇ ଚାଷ ଓ ବ୍ୟବସାୟ ଛାଡି ଲାଭ ଦାୟକ ଷ୍ଟବେରୀ, ଡ୍ରାଗନ ଫ୍ଲୁଡ଼, ହଳଦୀ ଚାଷରେ ମନ ନିବେଶ କରିବାକୁ ଅନୁରୋଧ କରିଛନ୍ତି ।