ଭୁବନେଶ୍ୱର,୨୬/୦୨: ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଇନ୍ଦିରା ଛକ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୁବକଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ ମୃତଦେହ ନିକଟରୁ ଗୋଟିଏ ମୋବାଇଲ ଏବଂ ବ୍ୟାଙ୍କ ଜମା ରସିଦ ଜବତ କରିଛି ପୋଲିସ । ପାରିପାର୍ଶ୍ୱିକ ସ୍ଥିତିରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ପୋଲିସ ସନ୍ଦେହ କରୁଛି । ବାଲେଶ୍ୱର ଜିଲ୍ଲାରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଆଜି ସକାଳେ ୬୦ ନମ୍ବର ଜାତୀୟ ରାଜପଥ ପାଖରେ ଜଣେ ଅଜଣା ଯୁବକଙ୍କ ରକ୍ତାକ୍ତ ମୃତଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ । ଏହା ଦେଖି ତୁରନ୍ତ ବସ୍ତା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲା ବସ୍ତା ପୋଲିସ । ସେଠାରେ ପହଞ୍ଚି ଯୁବକଙ୍କ ରକ୍ତାକ୍ତ ମୃତଦେହ ଜବତ କରିଛି ପୋଲିସ । ମୃତଦେହ ନିକଟରୁ ଏକ ମୋବାଇଲ ଏବଂ ବ୍ୟାଙ୍କ ଜମା ରସିଦ ଜବତ କରିଛି । ତେବେ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ପୋଲିସ ସନ୍ଦେହ କରୁଛି । ତଦନ୍ତ ପରେ ଅଧିକ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।