ନୂଆଦିଲ୍ଲୀ, ୦୭/୦୨: ଖାଦ୍ୟ ଏବଂ ଗ୍ରୋସେରୀ ଡେଲିଭରି ସଂସ୍ଥା ଜୋମାଟୋର ନାଁ ବଦଳିଯିବ । ଜୋମାଟୋ ହୋଇଯିବ ଇଟର୍ନାଲ ଲିମିଟେଡ୍ । ନାମ ବଦଳାଇବା ପ୍ରସ୍ତାବକୁ କମ୍ପାନୀ ବୋର୍ଡ ଅନୁମୋଦନ ଦେଇଛି। ଏବେ କେବଳ ସେୟାରଧାରୀଙ୍କ ସ୍ୱୀକୃତିକୁ ଅପେକ୍ଷା କରାଯାଇଛି। ନାମ ପରିବର୍ତ୍ତନ ପରେ କମ୍ପାନୀର ନାମ ଜୋମାଟୋ ଲିମିଟେଡରୁ ଇଟରନାଲ ଲିମିଟେଡ୍ ହେବ। ଏହାର ୱେବସାଇଟ୍ ଜୋମାଟୋ ଡଟ୍ କମରୁ ଇଟରନାଲ୍ ଡଟ୍ କମ୍ ହେବ।
ଜୋମାଟର ସଂସ୍ଥାପକ ଦୀପିନ୍ଦର ଗୋୟଲଙ୍କ କହିବାନୁସାରେ ‘ଇଟରନାଲ୍’ କେବଳ ଏକ ନାମ ନୁହେଁ ବରଂ ଏକ ମିସନ ଷ୍ଟେଟମେଣ୍ଟ। ଏହାର ଅର୍ଥ କମ୍ପାନୀର ଅସ୍ତିତ୍ୱ କେବଳ ବର୍ତ୍ତମାନରେ ନୁହେଁ, ଭବିଷ୍ୟତରେ ମଧ୍ୟ ରହିବ। ଜୋମାଟୋ ଓ ବ୍ଲିଙ୍କଇଟ୍ ବ୍ରାଣ୍ଡ୍ ପୂର୍ବ ଭଳି କାମ କରିବ। ଗ୍ରାହକଙ୍କୁ କୌଣସି ପ୍ରକାରର ଅସୁବିଧା ହେବ ନାହିଁ। ତେବେ ଦୀପିନ୍ଦର ୧୭ ବର୍ଷ ପୂର୍ବେ ୨୦୦୭ ମସିହାରେ ‘ଫୁଡିବେ’ ନାମରେ କମ୍ପାନୀ ଆରମ୍ଭ କରିଥିଲେ। ସେ କେବଳ ସେବା ଭାବରେ ରେସ୍ତୋରାଁଙ୍କ ମେନ୍ୟୁ ଅନଲାଇନରେ ଅପଲୋଡ କରିବା ଆରମ୍ଭ କରିଥିଲେ। ତେବେ ପରେ ଏହା ଏକ ବଡ କମ୍ପାନୀରେ ପରିବର୍ତ୍ତିତ ହୋଇଥିଲା।