ଭୁବନେଶ୍ୱର ୧୧/୦୨: ନନ୍ଦନକାନନ ଥାନା ଅନ୍ତର୍ଗତ କଣ୍ଟୁଣିଆ ଗ୍ରାମରେ ୨୦୧୫ରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ମାମଲାର ୧୦ ବର୍ଷ ପରେ ରାୟ ପ୍ରକାଶ ପାଇଛି । ଅତିରିକ୍ତ ସିଜେଏମ୍(ସ୍ୱତନ୍ତ୍ର କୋର୍ଟ)-କମ୍-ଆସିଷ୍ଟାଣ୍ଟ୍ ସେସନ୍ସ ଜଜ୍ ବିନୋଦ ବିହାରୀ ସାହୁ ୪ ଆସାମୀ ଅମୂଲ୍ୟ ପରିଡ଼ା, ବିଜୟ ପରିଡ଼ା, କାଳିଆ ଓରଫ ମନୋରଞ୍ଜନ ପରିଡ଼ା ଓ ମଣ୍ଟୁ ଓରଫ ପ୍ରଦ୍ୟୁମ୍ନ ପରିଡ଼ାଙ୍କୁ ଦୋଷୀସାବ୍ୟସ୍ତ କରି ୧ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଏଥିସହ ୩ ହଜାର ଟଙ୍କା ଲେଖାଏଁ ଜରିମାନାର ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଆଉ ଅଧିକ ୧ ମାସ ଲେଖାଏଁ ଜେଲ୍ ଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ମାମଲାରୁ ପ୍ରକାଶ, ୨୦୧୫ ଜୁନ୍ ୧୨ ତାରିଖ ସନ୍ଧ୍ୟା ସାଢ଼େ ୭ଟାରେ ଗାଁରେ ଜଣେ ଯୁବକଙ୍କ ବିବାହ ବରଯାତ୍ରୀ ଯିବା ପାଇଁ ଗ୍ରାମର ସଞ୍ଜୟ କୁମାର ସାସମଲ ଚାଲି ଚାଲି ବସ୍ ନିକଟକୁ ଯାଉଥିଲେ । ଏହି ସମୟରେ ଉପରୋକ୍ତ ଅଭିଯୁକ୍ତମାନେ ତାଙ୍କୁ ଠେଙ୍ଗା ଓ କାଠ ଫାଳିଆରେ ପିଟି ଗୁରୁତର କରି ପକାଇଥିଲେ । ସଞ୍ଜୟଙ୍କ ଭାଇ ବିଜୟ ଓ ଅନ୍ୟମାନେ ଆସିବାରୁ ଆକ୍ରମଣକାରୀମାନେ ସେଠାରୁ ପଳାଇଥିଲେ । ସଞ୍ଜୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ବିଜୟଙ୍କ ଅଭିଯୋଗ ଆଧାରର ନନ୍ଦନକାନନ ଥାନା କେସ୍ ନଂ-୪୫/୨୦୧୫, ଦଫା-୩୪୧/୩୨୩/୩ ୨୫/୩୦୭/୨୯୪/୫୦୬/୩୪ଆଇପିସିରେ ମାମଲା ରୁଜୁ କରିଥିଲା । ଥାନାର ତତ୍କାଳୀନ ଏସ୍ଆଇ ଖଗେଶ୍ୱର ମାଝି ମାମଲାର ତଦନ୍ତଭାର ନେଇଥିଲେ । ସେ ତୁରନ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଇବା ସହ ନିର୍ଦ୍ଧାରିତ ସମୟ ପୂର୍ବରୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ । ଉପରୋକ୍ତ ମାମଲାର ବିଚାର କରି ଆଜି ଅଦାଲତ ୯ ଜଣ ସାକ୍ଷୀ ଓ ପ୍ରଯୁଜ୍ୟ ଦସ୍ତାବିଜ ଆଧାରରେ ୪ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡବିଧାନ କରିଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସହକାରୀ ପବ୍ଲିକ ପ୍ରୋସିକ୍ୟୁଟର ସରୋଜ କୁମାର ମିଶ୍ର, ପ୍ରଦ୍ୟୁମ୍ନ ପଟ୍ଟନାୟକ, ବନମାଳି ମହାପାତ୍ର ଓ ବ୍ରଜକିଶୋର ପ୍ରଧାନ ପରିଚାଳନା କରୁଥିଲେ ।