ନୂଆଦିଲ୍ଲୀ, ୦୬/୦୨: ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଟଙ୍କାରେ ପଶୁପକ୍ଷୀ ନିଲାମ ହେଉଥିବାର ଆମେ ଦେଖିଛେ । ଅନେକ ଲୋକ ଏଭଳି ଦାମୀ ପଶୁପକ୍ଷୀଙ୍କୁ କିଣିବାକୁ ସଉକ ରଖନ୍ତି । ସେହିଭଳି ନିକଟରେ ଏକ ଗାଇର ନିଲାମ ଲାଗିଥିଲା । ଯାହାକୁ ଲକ୍ଷେ ଦି ଲକ୍ଷ ନୁହଁ କୋଟି କୋଟି ଟଙ୍କାର ବୋଲ ଲାଗିଥିଲା । ଏହି ଗାଇଟିକୁ ଜଣେ କେତେ ଦାମ୍ ଦେଇ କିଣିଥିବେ ବୋଲି ଆପଣ ଭାବୁଛନ୍ତି ? କୋଟିଏ ନା ୨ କୋଟି ? ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଗାଇର ଦାମ୍ରେ ଆପଣ ୩-୪ଟି ରୋଲ୍ସ ରଏସ୍ ଗାଡ଼ି କିଣିପାରିବେ । ଏହି ଗାଇଟି ୪୦ କୋଟି ଟଙ୍କାରେ ନିଲାମ ହୋଇଛି ।
ସାଧାରଣତଃ ଗାଈ ମାନଙ୍କର ଭିନ୍ନ ଭିନ୍ନ ପ୍ରଜାତି ରହିଥାଏ । ଏହି ପ୍ରଜାତି ନିଜ ନିଜର ସ୍ୱତନ୍ତ୍ର ଗୁଣବତ୍ତା ତଥା ଜନ୍ମ ସମ୍ୱନ୍ଧୀୟ କୌଳିକ ଗୁଣ ପାଇଁ ବେଶ୍ ଉଚ୍ଚ ଦାମ୍ରେ ବିକ୍ରି ହୋଇଥାନ୍ତି । ଏହି ଗାଈ ଗୁଡ଼ିକ ବହୁ ମୂଲ୍ୟବାନ ହୋଇଥିବାରୁ ସେମାନଙ୍କୁ ନିଲାମ ମଧ୍ୟ କରାଯାଇଥାଏ । ବ୍ରାଜିଲରେ ଭିଆଟିନା- ୧୯ ନାମକ ଏକ ସ୍ୱତନ୍ତ୍ର ପ୍ରଜାତିର ଗାଈ ୪ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ବିକ୍ରି ହୋଇଛି । ଯାହା ବିଶ୍ୱ ସ୍ତରରେ ରେକର୍ଡ କରି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ସେଥିଲାଗି ଏହି ଗାଈଟି ବେଶ୍ ଲୋକପ୍ରିୟ ସାବ୍ୟସ୍ତ ହୋଇଛି । ଏହି ପ୍ରଜାତିର ଗାଈ ଜାପାନର ୱାଗ୍ୟୁ ନାମକ ଦାମୀ ପ୍ରଜାତି ଏବଂ ଭାରତର ବ୍ରାହ୍ମନ ନାମକ ପ୍ରଜାତିର ଗାଈଙ୍କ ଠାରୁ ମଧ୍ୟ ବେଶ୍ ମୂଲ୍ୟବାନ । କାରଣ ଏହି ପ୍ରଜାତିର ଗାଈ ଅତ୍ୟଧିକ ଗରମ ପରିବେଶ ତଥା ସବୁ ପ୍ରକାରର ପରିବେଶରେ ରହିବାକୁ ସକ୍ଷମ ହୋଇଥାନ୍ତି ।
ଏହି ଭିଆଟିନା-୧୯ ପ୍ରଜାତିର ଗାଈ ବ୍ରାଜିଲର ମିନାସ ଜେରାଇସ୍ରେ ବିଶ୍ୱର ସବୁଠାରୁ ଦାମୀ ନେଲୋର ଗାଈ ଭାବରେ ଇତିହାସ ରଚିଛି । ଏହି ଗାଈର ଓଜନ ୧,୧୦୧ କେଜି ରହିଛି ଯାହା ସାଧାରଣତଃ, ଏହି ପ୍ରଜାତିର ବୟଷ୍କ ଗାଈଙ୍କ ଓଜନର ତୁଳନାରେ ଦୁଇଗୁଣା । ଏହି ବିଶ୍ୱ ପ୍ରସିଦ୍ଧ ଗାଈଟି ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସବୁଠାରୁ ଦାମୀ ଗାଈ ଭାବରେ ନିଜକୁ ପରିଚିତ କରିଛି । କେବଳ ସେତିକି ନୁହେଁ, ଚ୍ୟାମ୍ପିଅନ୍ସ ଅଫ୍ ଦ ୱାର୍ଡ ପ୍ରତିଯୋଗିତାରେ ନିଜର ସୁନ୍ଦରତା, ଅନୁପମ ଜନ୍ମ ସମ୍ୱନ୍ଧୀୟ କୌଳିର ଗୁଣ ତଥା ସୁଦୃଢ ଶରୀର ପାଇଁ ମିସ୍ ସାଉଥ ଆମେରିକା ହୋଇ ବିଜୟ ହାସଲ କରିଛି ।
ନେଲୋର୍ ବ୍ରିଡ୍ ବାସ୍ତବରେ ଏକ ଭାରତୀୟ ବ୍ରିଡ୍ ଯାହା ଓନ୍ଗୋଲ୍ ଗାଈ ନାମରେ ଜଣାଶୁଣା । ବ୍ରାଜିଲ୍ରେ ଏହି ପ୍ରଜାତିର ଗାଈ ପ୍ରଥମ ଥର ପାଇଁ ୧୮୦୦ ମସିହାରେ ପରିଚିତ ହୋଇଥିଲା । ଅତ୍ୟଧିକ ତାପମାତ୍ରା ସହିବା, ରୋଗ ପ୍ରତିରୋଧକ ଶକ୍ତି, ନିଜର ଚରିବା ଅଭ୍ୟାସ ତଥା ସୁଦୃଢ ଶରୀର ପାଇଁ ଏହି ଗାଈଙ୍କ ଦାମ୍ ବେଶ୍ ଅଧିକ । ଏହା ଛଡ଼ା ଉତ୍ତମ ପ୍ରଜନନ କ୍ଷମତା ନେଲୋର ବ୍ରିଡ୍କୁ ସର୍ବୋତ୍ତମ କରିବାରେ ସକ୍ଷମ ହୋଇଥାଏ । ଏହି ସବୁ ସ୍ୱତନ୍ତ୍ରତା କାରଣରୁ ବ୍ରାଜିଲ୍ର କୃଷି ଉତ୍ପାଦନ ଏବଂ ଅର୍ଥନୈତିକ ଉନ୍ନତି ପାଇଁ ଏହି ନେଲୋର୍ ପ୍ରଜାତିର ଗାଈଙ୍କ ଉଲ୍ଲେଖନୀୟ ଅବଦାନ ରହିଛି ।