ନୂଆଦିଲ୍ଲୀ,୧୦/୦୧ : ଭାରତର ରାଷ୍ଟ୍ର ଭାଷା ହିନ୍ଦୀ । ଏହା କେବଳ ଏକ ଭାଷା ନୁହେଁ ବରଂ ସଂସ୍କୃତି । ଜଣେ ଯଦି ହିନ୍ଦୀ ଭାଷା ଜାଣିଛି ତେବେ ଅନ୍ୟ ଦେଶ କିମ୍ବା ରାଜ୍ୟକୁ ଗଲେ ତାଙ୍କୁ କୌଣସି ସମସ୍ୟା ହୋଇନଥାଏ । ଭାରତ ଓ ତାର ପାଖାପାଖି ଅନେକ ଦେଶବାସୀ ହିନ୍ଦୀ ଭାଷାରେ କଥା ହୋଇଥାନ୍ତି । ଖାଲି ସେତିକି ନୁହେଁ ବିଶ୍ବରେ ତୃତୀୟ ସର୍ବାଧିକ ଅଧିକ କୁହା ଯାଉଥିବା ଭାଷା ହେଉଛି ହିନ୍ଦୀ । ବିଶ୍ବରେ ହିନ୍ଦୀ ଭାଷାର ମହତ୍ତ୍ବ ବଢାଇବାକୁ ଜାନୁଆରୀ ୧୦ ତାରିଖକୁ ହିନ୍ଦୀ ଦିବସ ଭାବେ ପାଳନ କରାଯାଏ । ଡିସେମ୍ବର ୧୪କୁ ଜାତୀୟ ହିନ୍ଦୀ ଦିବସ ଭାବେ ପାଳନ ହୁଏ ।
ପ୍ରତିବର୍ଷ ଜାନୁଆରୀ ୧୦ ତାରିଖକୁ ବିଶ୍ବ ହିନ୍ଦୀ ଦିବସ ଭାବେ ପାଳନ କରାଯାଏ । ହିନ୍ଦୀ ଭାଷାଭାଷୀ ଲୋକଙ୍କ ପାଇଁ ଏହା ଏକ ବିଶେଷ ଦିନ । ହିନ୍ଦୀ ଭାଷାଟି ସାଧାରଣରେ ସରଳ ଓ ସମୃଦ୍ଧ ଭାଷା । ବିଶ୍ବରେ ସବୁଠାରୁ ଅଧିକ କୁହାଯାଉଥିବା ୫ ଭାଷା ମଧ୍ୟରେ ହିନ୍ଦୀ ରହିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ପ୍ରଥମ ବିଶ୍ବ ହିନ୍ଦୀ ସମ୍ମିଳନୀ ୧୯୭୫ ମସିହା ଜାନୁଆରୀ ୧୦ ତାରିଖରେ ନାଗପୁରରେ ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀରେ ୩୦ଟି ଦେଶର ୧୨୨ଜଣ ପ୍ରତିନିଧି ଅଂଶଗ୍ରହଣ କରିଥିଲେ । ୨୦୦୬ ମସିହାରୁ ଭାରତ ସରକାର ପ୍ରତିବର୍ଷ ଜାନୁଆରୀ ୧୦ ତାରିଖକୁ ବିଶ୍ବ ହିନ୍ଦୀ ଦିବସ ରୂପେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେବେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆନ୍ତର୍ଜାତୀୟ ସ୍ତରରେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ ବିଶ୍ବ ହିନ୍ଦୀ ଦିବସ ପାଳନର ଘୋଷଣା କରିଥିଲେ । ବିଶ୍ବରେ ସବଠୁ ଅଧିକ ବ୍ୟବହୃତ ଭାଷା ମଧ୍ୟରେ ହିନ୍ଦୀ ଅନ୍ୟତମ । ଏହା ଭାରତର କୋଟି କୋଟି ଲୋକଙ୍କର ମାତୃଭାଷା । ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ହିନ୍ଦୀ ଭାଷାର ପ୍ରଚାର ପ୍ରସାର କରିବା ।
ଚଳିତବର୍ଷ ହିନ୍ଦୀ ଦିବସ ଥିମ୍- ଏଥର ବିଶ୍ବ ହିନ୍ଦୀ ଦିବସର ବିଷୟବସ୍ତୁ ରହିଛି 'ଏକତା ଏବଂ ସାଂସ୍କୃତିକ ଗୌରବର ବୈଶ୍ବିକ ସ୍ବର ।' ଏହାର ଉଦ୍ଦେଶ୍ୟ ଭାଷାଗତ ଏବଂ ଅନ୍ତର୍ଜାତୀୟ ଭାବର ଆଦାନ ପ୍ରଦାନ ନେଇ ହିନ୍ଦୀ ଭାଷାର ଉପଯୋଗକୁ ବଢାଇବା ।
ହିନ୍ଦୀ ଭାଷାର ଗୁରୁତ୍ବ- ଭାଷାର ସମୃଦ୍ଧ ଐତିହ୍ୟ,ସାହିତ୍ୟ ଉପରେ ଏହାର ପ୍ରଭାବ ଏବଂ ଡିଜିଟାଲ ଦୁନିଆରେ ଏହାର ବୃଦ୍ଧି ପାଉଥିବା ଉପସ୍ଥିତିକୁ ପାଳନ କରିବା ପାଇଁ ଦେଶବ୍ୟାପୀ ସେମିନାର, କର୍ମଶାଳା ଏବଂ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଏ । ହିନ୍ଦୀ କେବଳ ଏକ ଭାଷା ନୁହେଁ ବରଂ ସଂସ୍କୃତି ।