ଉତ୍ତରପ୍ରଦେଶ ୧୦/୦୧: ମହାକୁମ୍ଭକୁ ଆସିଥିବା ଜଣେ ୧୪ ବର୍ଷୀୟ ଝିଅ ସନ୍ନ୍ୟାସ ଗ୍ରହଣ କରିଛନ୍ତି । ପୂର୍ବରୁ ତାଙ୍କ ନାଁ ଥିଲା ରାଖୀ ସିଂହ ଧାକରେ । ଏବେ ସେ ଗୌରୀ ଗିରି ମହାରାଣୀ । ଠିକଣା ବଦଳି ହୋଇଛି ଜୁନା ଆଖଡ଼ା । ୪ ଦିନ ତଳେ ରାଖୀ ସପରିବାର ମହାକୁମ୍ଭକୁ ଆସିଥିଲେ । ଏଠାରେ ନାଗା ସାଧୁଙ୍କୁ ଦେଖି ସନ୍ନ୍ୟାସ ଗ୍ରହଣ କରିବାକୁ ସେ ନିଷ୍ପତ୍ତି ନେଲେ । ପରିବାର ସହ ଘରକୁ ଯିବାକୁ ମନା କରିଦେଲେ । ଏହା ପରେ ମା’ବାପା ତାଙ୍କୁ ଜୁନା ଆଖଡ଼ାର ମହନ୍ତ କୌଶଲ ଗିରିଙ୍କୁ ଦାନ କରିଦେଲେ ।
ଆଗ୍ରାର ପେଠା ବ୍ୟବସାୟୀ ଦିନେଶ ସିଂହ ଧାକରେଙ୍କ ପରିବାରରେ ପତ୍ନୀ, ବଡ଼ ଝିଅ ରାଖୀ (୧୪) ଓ ଛୋଟ ଝିଅ ନିକ୍କି (୭) ଅଛନ୍ତି । ଦୁଇ ଝିଅ ଆଗ୍ରାର କନ୍ଭେଣ୍ଟ ସ୍କୁଲ ସ୍ପ୍ରିଙ୍ଗ୍ଫିଲ୍ଡ ଇଣ୍ଟର କଲେଜରେ ୯ମ ଓ ୨ୟ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । ଦିନେଶଙ୍କ ପରିବାର ଜୁନା ଆଖଡ଼ାର ମହନ୍ତ କୌଶଲ ଗିରିଙ୍କ ସହ ଅନେକ ବର୍ଷ ହେଲା ଯୋଡ଼ି ହୋଇଛନ୍ତି । ଦିନେଶଙ୍କ ପତ୍ନୀ ରୀମା କହିଛନ୍ତି, ବଡ଼ ଝିଅ ରାଖୀ ବହୁତ ଭଲ ପାଠ ପଢ଼ନ୍ତି । ପିଲାଦିନୁ ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବାକୁ ସ୍ୱପ୍ନ ଦେଖୁଥିଲେ । କିନ୍ତୁ କୁମ୍ଭକୁ ଆସିବା ପରେ ତାଙ୍କର ବିଚାର ବଦଳିଗଲା । ଏବେ ସେ ସନ୍ନ୍ୟାସ ଗ୍ରହଣ କରି ଧର୍ମର ପ୍ରଚାର ମାର୍ଗର ପଥିକ ହୋଇଛନ୍ତି ।
ସନ୍ଥ ପରମ୍ପରା ଅନୁସାରେ, ଗୁରୁ ରାଖୀଙ୍କୁ ମନ୍ତ୍ରୋଚ୍ଚାରଣ ଜରିଆରେ ଗଙ୍ଗା ସ୍ନାନ କରାଇଲେ । ବୈଦିକ ରୀତିରେ ଗୁରୁ-ଶିଷ୍ୟ ପରମ୍ପରାରେ ସନ୍ନ୍ୟାସ ଦୀକ୍ଷା ପ୍ରଦାନର ପ୍ରକ୍ରିୟା ହୋଇଛି । ରାଖୀ ଏବେ ପରିବାର ସହ ଆଖଡ଼ାର ଶିବିରରେ ରହୁଛନ୍ତି । ରାଖୀ ଓରଫ୍ ଗୌରୀ ଗିରି ମହାରାଣୀ କହିଛନ୍ତି, କୁମ୍ଭକୁ ଆସିବା ପରେ ଆଇଏଏସ୍ ହେବାର ସ୍ୱପ୍ନ ବଦଳିଗଲା । ଏବେ ସନ୍ନ୍ୟାସ ନେଇ ସନାତନ ଧର୍ମର ଧ୍ୱଜା ତଳେ ଧର୍ମର ପ୍ରଚାର କରିବାକୁ ଚାହୁଁଛି ।
ବାପା ଦିନେଶ କହିଛନ୍ତି, ଝିଅକୁ ଗେରୁଆ ବସ୍ତ୍ରରେ ଦେଖି କୋହ ସମ୍ଭାଳି ପାରୁନି । କିନ୍ତୁ ତା’ର ଇଚ୍ଛା ଆଗରେ ମୁଁ ନାଚାର । ଗୁରୁ ମହନ୍ତ କୌଶଲ ଗିରିଙ୍କ ଅନୁସାରେ, ସନ୍ନ୍ୟାସ ପରମ୍ପରାରେ ଦୀକ୍ଷା ନେବାର କୌଣସି ବୟସ ନାହିଁ । ସନ୍ନ୍ୟାସୀ ଜୀବନ ଧର୍ମ ଧ୍ୱଜା ଓ ଧୁନୀ ସମ୍ମୁଖରେ ବିତେ । ଗୌରୀ ଗିରି ମହାରାଣୀଙ୍କୁ ୧୨ ବର୍ଷ ପର୍ଯ୍ୟନ୍ତ କଠୋର ତପସ୍ୟା କରିବାକୁ ପଡ଼ିବ । ସେ ଆଖଡ଼ାରେ ରହି ଗୁରୁକୁଳ ପରମ୍ପରା ଅନୁସାରେ ଶିକ୍ଷା-ଦୀକ୍ଷା ଗ୍ରହଣ କରିବେ । ସେଠାରେ ତାଙ୍କୁ ବେଦ ଉପନିଷଦ ଓ ଧର୍ମଗ୍ରନ୍ଥରେ ପାରଙ୍ଗମ କରାଯିବ । ଏହା ପରେ ନିଜର ତପ ସାଧନା ସହିତ ସେ ସନାତନ ଧର୍ମର ପ୍ରଚାର-ପ୍ରସାର କରିବେ ।