ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ସଶକ୍ତ ହେବେ ନାରୀ: ୩ ଗୁଣା ବଢ଼ିଲା ମହିଳା, ଶିଶୁ କଲ୍ୟାଣ ଓ ମିଶନ୍‌ଶକ୍ତି ବଜେଟ୍‌ ବରାଦ

ଭୁବନେଶ୍ୱର,୨୬/୦୭: ରାଜ୍ୟର ମହିଳା  ସଶକ୍ତ ଓ ସ୍ୱାଧୀନ ହେବେ । ସେମାନଙ୍କ ବିକାଶ  ଏବଂ ସମୃଦ୍ଧି ଘଟିବ । ଏହି ଲକ୍ଷ୍ୟ ନେଇ ରାଜ୍ୟ  ବଜେଟ୍‌ ୨୦୨୪-୨୫ରେ ନାରୀ ସଶକ୍ତିକରଣ  ଉପରେ ଯଥେଷ୍ଟ ପ୍ରାଧାନ୍ୟ ଦେଇଛନ୍ତି ଓଡ଼ିଶା  ସରକାର । ଉଭୟ ମହିଳା ଏବଂ ଶିଶୁ କଲ୍ୟାଣ  ବିଭାଗ ଓ ମିଶନ ଶକ୍ତି ବିଭାଗ ନିମନ୍ତେ ପୂର୍ବ ବର୍ଷ  ତୁଳନାରେ ୩ ଗୁଣା ଅଧିକ ବ୍ୟୟବରାଦ କରିଛନ୍ତି ।  ଆଲୋଚ୍ୟ ବିଭାଗ ପାଇଁ ୨୦୨୪-୨୫ ଆର୍ଥିକବର୍ଷ  ଲାଗି ୧୭୯୪୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି,  ଯାହାକି ୨୦୨୩-୨୪ରେ ୬,୨୨୪ କୋଟି ଟଙ୍କା ଥିଲା ।  

ମହିଳାମାନଙ୍କ ମଧ୍ୟରେ ଔଦ୍ୟୋଗିକତା ବିକାଶ,  ସେମାନଙ୍କ ସଶକ୍ତିକରଣ ଏବଂ ଆର୍ଥିକ ସ୍ୱାଧୀନତା ପ୍ରତି  ସରକାର ପ୍ରତିବଦ୍ଧ । ଏହି ଦିଗରେ ରାଜ୍ୟ ସରକାର ନିକଟରେ  ସୁଭଦ୍ରା ଯୋଜନାକୁ ଅନୁମୋଦନ ଦେଇଥିଲେ । ଚଳିତ ବଜେଟରେ  ଏ ଯୋଜନା ପାଇଁ ୧୦,୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।  

ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ବିକାଶ ପାଇଁ ପୁଞ୍ଜି, ସେମାନଙ୍କ  ଉତ୍ପାଦିତ ସାମଗ୍ରୀର ବିପଣନ ଏବଂ ପ୍ରଚାର ପ୍ରସାର ନିମନ୍ତେ ୨୦୨୭ ସୁଦ୍ଧା  ଓଡ଼ିଶାରେ ୨୫ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି କରିବାର ଯୋଜନା ରହିଥିବା ଆଜି  ନିଜ ବଜେଟ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରକାଶ କରିଛନ୍ତି ।  

ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନସ୍ଥ ଜୀବିକା ସଂଯୋଜନ ପଦକ୍ଷେପଗୁଡ଼ିକର  ସହାୟତାରେ ଏକ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସରକାର ଦ୍ରବ୍ୟ  ଏବଂ ସେବା ସଂଗ୍ରହ, ଗୁରୁତ୍ୱପୂର୍ଣ୍ଣ ସରକାରୀ ବ୍ୟବସାୟ ସୃଷ୍ଟି ଏବଂ ଅଧିକ ଆୟ ଓ ଜୀବିକା  ସୃଷ୍ଟି କରି ବୃହତ୍‌ ସଂଖ୍ୟାରେ ଳକ୍ଷପତି ଦିଦି ସୃଷ୍ଟି କରିବେ । ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ  ୧୧୬୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । 

ମହିଳା, କିଶୋରୀ, ଶିଶୁ ବିକାଶକୁ ପ୍ରାଧାନ୍ୟ

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବଜେଟ୍‌ ପ୍ରସ୍ତାବ ଅନୁସାରେ ୫୨୧  କୋଟି ଟଙ୍କାର ବ୍ୟୟବରାଦରେ ପ୍ରସୂତି ଓ ଶିଶୁମାନଙ୍କ  ଯତ୍ନ ପାଇଁ ନଗଦ ଅର୍ଥ ହସ୍ତାନ୍ତର ନିମନ୍ତେ ପ୍ରଧାନମନ୍ତ୍ରୀ  ମାତୃବନ୍ଦନା ଯୋଜନାକୁ ମମତା ଯୋଜନା ସହିତ  ସଂଯୋଜନ କରି କାର୍ଯ୍ୟକାରୀ କରାଯିବ । ପୁଷ୍ଟିସାଧନର ମାନବୃଦ୍ଧି ପାଇଁ ‘ପୋଷଣ  ଅଭିଯାନ’ ଅଧୀନରେ ୨୯୫ କୋଟି ଟଙ୍କାର  ବ୍ୟୟବରାଦ କରାଯାଇଛି । ପ୍ରମୁଖ  ପଦକ୍ଷେପଗୁଡ଼ିକ ମଧ୍ୟରେ ୨୮୦୬ ନୂଆ  ଅଙ୍ଗନବାଡ଼ି ଜ୍ଞାନକେନ୍ଦ୍ରର ପ୍ରତିଷ୍ଠା  ଏବଂ ପ୍ରଦର୍ଶନ ଆଧାରିତ  ଉନ୍ନୟନ ପାଇଁ ୩୦ଟି  ଗ୍ରାମପଞ୍ଚାୟତକୁ ପୁରସ୍କୃତ କରାଯିବ । ପୁଷ୍ଟିସାଧନ କ୍ଷେତ୍ରରେ ଦୁର୍ବଳ ସ୍ଥିତିରେ ଥିବା  ଅଞ୍ଚଳରେ ୧୫ ହଜାର ଅଙ୍ଗନବାଡିକର୍ମୀଙ୍କୁ ଗୃହ ପରିଦର୍ଶନ  ଓ ପରାମର୍ଶ କିଟ୍‌ ପ୍ରଦାନ କରିବାର ଯୋଜନା ରହିଛି ।  ମାଳତୀଦେବୀ ପ୍ରାକ୍‌-ବିଦ୍ୟାଳୟ ପରିଧାନ ଯୋଜନା ଅଧୀନରେ  ଅଙ୍ଗନବାଡି କେନ୍ଦ୍ରରେ ନାମ ଲେଖାଇଥିବା ୧୮ ଲକ୍ଷ ପ୍ରାକ୍‌ବିଦ୍ୟାଳୟରେ ଅଧ୍ୟୟନରତ ଶିଶୁଙ୍କୁ ୟୁନିଫର୍ମ  ବଣ୍ଟାଯିବ । ଏଥିପାଇଁ ୯୩ କୋଟିର  ବ୍ୟୟବରାଦ କରାଯାଇଛି । 

‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’  ଅଧୀନରେ ଏକ ବ୍ୟାପକ ପୋଷଣ ରଣନୀତି ମାଧ୍ୟମରେ  ୫୫୪ କୋଟି ଟଙ୍କାର ବ୍ୟୟବରାଦ ସହିତ ରାଜ୍ୟର ୧୯ ଲକ୍ଷ  ମହିଳା, କିଶୋରୀ ଓ ଶିଶୁ ହିତାଧିକାରୀଙ୍କ ପୋଷଣ ସ୍ଥିତିରେ  ପରିବର୍ତ୍ତନ ଆଣିବା ଲକ୍ଷ୍ୟ ରହିଛି । ଅନାଥ ଶିଶୁମାନଙ୍କୁ  ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ୮୩ କୋଟି ଟଙ୍କାର  ବ୍ୟୟବରାଦରେ ଏକ ନୂତନ ଯୋଜନା ‘ଯଶୋଦା’ର ଶୁଭାରମ୍ଭ  ପ୍ରସ୍ତାବ ରହିଛି ।  ଶିଶୁ ଶ୍ରମିକମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟରେ ୨୦୨୪-୨୫  ଆର୍ଥିକବର୍ଷରେ ୧୫୦୦ ଗ୍ରାମପଞ୍ଚାୟତକୁ ‘ଆଦର୍ଶ ଶିଶୁ ସମୃଦ୍ଧ  ଗ୍ରାମ’ ପୁରସ୍କାର ପ୍ରଦାନ କରାଯିବ ।  

୨୦୨୪-୨୫ରେ ୫୬୯୮ଟି ଅଙ୍ଗନବାଡି କେନ୍ଦ୍ର ସକ୍ଷମ  ଅଙ୍ଗନବାଡ଼ି କେନ୍ଦ୍ର ଭାବେ ଉନ୍ନୀତ ହେବ । ୩୬ କୋଟି  ଟଙ୍କା ବିନିଯୋଗରେ ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ  ପ୍ରତିଷ୍ଠାନକୁ ଏକ ଉତ୍କର୍ଷ କେନ୍ଦ୍ରରେ ରୂପାନ୍ତର କରାଯିବ ।  ଏଥିରେ ଏକ ଖାଦ୍ୟ ଗ୍ୟାଲେରି, ଖେଳନା ଏବଂ କାହାଣୀ  ଗ୍ୟାଲେରୀ ଏବଂ ୩୦୦ ସିଟ୍‌ଯୁକ୍ତ ପ୍ରେକ୍ଷାଳୟ  ପ୍ରତିଷ୍ଠା କରାଯିବ ।

  • Budget 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.