କୁକୁଡାଖଣ୍ଡି : ଆଙ୍କୁଶପୁର ବୁଢୀଘରା ଛକଠାରେ ମର୍ମନ୍ତୁତ ଦୁର୍ଘଟଣା ଘଟି ସ୍ଵାମୀ ଆଖି ସାମ୍ନାରେ ଚାଲିଗଲା ସ୍ତ୍ରୀର ଜୀବନ। ପେଟ ପାଇଁ ସ୍ଵାମୀ ସ୍ତ୍ରୀ ଏକାଠି ମୂଲ ଖଟୁଥିଲେ। ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଆହାତ ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି। ମୃତକ ଜଣକ ହେଲେ କୁକୁଡ଼ାଖଣ୍ଡି ଇନ୍ଦିରା ଆବାସ ସାହିର ରଜନୀ ବେହେରା। ଛାତ ଢ଼ଳାଇ କରିବାକୁ ସକାଳ ୬ଟାରେ ସନ୍ତୋଷ ସେଠୀଙ୍କ ଅଟୋରେ ଶୁଶାନ୍ତ ଦାସ,ଝୁମୁରି ଦାସ, ରୁନୂତା ଦାସ,ରଜନୀ ବେହେରା ଓ ପାଣ୍ଡବ ବେହେରା ସାଙ୍ଗରେ ଖାଇବା ନେଇ ରାଇଝୋଳ ଗାଁକୁ ବାହାରିଥିଲେ। ହେଲେ ହଠାତ ବୁଢ଼ୀଘରା ମନ୍ଦିର ଆଗରେ ଦୁର୍ଘଟଣା ଘଟିଥିଲା।
ଘଟଣାରୁ ପ୍ରକାଶ ଯେ ନୀଳାମ୍ବର ବେହେରା ଓ ପ୍ରହଲ୍ଲାଦ ବେହେରା ଏକ ଡାଲା ଅଟୋ ଯୋଗେ ନଡିଆ ବୋଝେଇ କରି ଆନ୍ଧ୍ର(ଇନ୍ଦିପୁର)ରୁ ହିଞ୍ଜିଳିକାଟୁ ଯାଉଥିଲେ। ଝିପି ଝିପି ବର୍ଷା ହେଉଥିବା ସମୟରେ ବୁଢୀଘରା ଛକଠାରେ ଗାଡ଼ିଟି ଭାରସାମ୍ୟ ହରାଇ ଶ୍ରମିକ ମାନଙ୍କୁ ନେଇ ଆସୁଥିବା ଅଟୋ ସହ ପିଟି ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଭୀଷଣ ଶବ୍ଦ ହୋଇ ଅଟୋଟି ଓଲଟିଯାଇଥିଲା।
ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଏବଂ ରାସ୍ତାରେ ଯାଉଥିବା କିଛି ଲୋକ ଅଟୋରେ ଥିବା ଲୋକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଏମକେସିଜି ଡାକ୍ତରଖାନା ପଠାଇଥିଲେ। ସେଠାରେ ଡାକ୍ତର ରଜନୀ ବେହେରାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତମାନ ସମସ୍ତ ଗୁରୁତର ଆହତ ବ୍ୟକ୍ତି ମେଡ଼ିକାଲ ରେ ଚିକିତ୍ସାଧୀନ ରହିଛନ୍ତି।
ଏହାର ପ୍ରତିବାଦରେ ମୃତକଙ୍କ ପରିବାର ତରଫରୁ ଜାତୀୟ ରାଜପଥ ୫୯ ଅବରୋଧ କରାଯାଇଥିଲା। ଜାତୀୟ ରାଜପଥ ବ୍ରହ୍ମପୁର-ଆସ୍କାର ଉଭୟ ପାର୍ଶ୍ଵରେ ଶହଶହ ଗାଡି ଅଟକି ରହିଥିଲା। ଖବର ପାଇ ସଦର ଥାନା ଏସଆଇ ଲକ୍ଷ୍ମୀକାନ୍ତ ପ୍ରଧାନ, ଦେବରାଜ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିବା ସହିତ ଲୋକଙ୍କୁ ବୁଝାସୁଝା କରିଥିଲେ। କିଛି ସମୟର ରାସ୍ତା ଅବରୋଧ ପରେ ରାସ୍ତାରେ ଯାତାୟତ ସ୍ଵାଭାବିକ ହୋଇଥିଲା। ଦୁର୍ଘଟଣା ଘଟାଇଥିବା ଚାଳକ ନିଳାମ୍ବର ବେହେରା ଓ ତାଙ୍କ ଗାଡ଼ିକୁ ଥାନାରେ ଅଟକ ରଖାଯାଇଛି।
ପ୍ରତିଦିନ ବଢ଼ି ଚାଲିଛି ଜାତୀୟ ରାଜପଥ ରେ ଦୁର୍ଘଟଣା, ଡିଭାଇଡର ନଥିବାରୁ ଚାଲିଯାଉଛି ଅନେକଙ୍କ ଜୀବନ। ବାରମ୍ବାର ଅଭିଯୋଗ ପରେ ହୋଈ ପାରୁନି ସ୍ଥାୟୀ ସମାଧାନ। ନେତା ଓ ପ୍ରଶାସନ ଦେଉନାହାନ୍ତି ଦୃଷ୍ଟି। କାହା ସ୍ୱାର୍ଥରେ ଅଟକିଛି ରାସ୍ତାରେ ଡିଭାଇଡର କାମ ? ଲୋକଙ୍କ ଦାବି ଅତି ଶୀଘ୍ର ରାସ୍ତା ମଝିରେ ଡିଭାଇଡର ନିର୍ମାଣ କରାଯାଉ। ଯଦି ଦାବି ପୂରଣ ନ ହୁଏ ତେବେ ରାଜରାସ୍ତାକୁ ଅବରୋଧ କରି ବିଶାଳ ପ୍ରତିବାଦ କରିବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଧା।