ବ୍ରହ୍ମପୁର,୨୧/୫ : ଗଞ୍ଜାମ ଜିଲ୍ଲା କଳା ଓ ସଂସ୍କୃତିର ଏନ୍ତୁଡ଼ିଶାଳ । ଏହି ଜିଲ୍ଲାର କଳା ଓ କଳାକାର ବିଶ୍ୱ ଦରବାରରେ ଖ୍ୟାତି ଅର୍ଜନ କରିଛି । କଳା, ସଂସ୍କୃତିରେ ପରିପୂର୍ଣ୍ଣ ଏହି ଜିଲ୍ଲାରେ ବେଶ କିଛି ସମୟ ଧରି ଦେଖାଦେଇଛି ଅପସଂସ୍କୃତି ଓ ଅଶ୍ଳୀଳତା । ମଞ୍ଚରେ ମନୋରଞ୍ଜନ ନାମରେ ଆରମ୍ଭ ହୋଇଥିବା ଆଇଟମ ନୃତ୍ୟ ବର୍ତ୍ତମାନ ସୀମା ଲଙ୍ଘିଛି । ମାତ୍ର କେଇ ସମୟ ପାଇଁ କିଛି ନାଁ କରା ଆଇଟମ ଗାର୍ଲ ମଞ୍ଚରେ ମନୋରଞ୍ଜନ ନାଁରେ ଉଲଗ୍ନ ହୋଇ ନାଚୁଛନ୍ତି , ଆଉ ଯାହାକୁ ମନ ଭରି ଉପଭୋଗ କରୁଛନ୍ତି ଶହ ଶହ ଦେଖଣାହାରୀ ।
ଗଞ୍ଜାମ ଜିଲ୍ଲା ରମ୍ଭା ଚନ୍ଦନ ଯାତ୍ରା ଉପଲକ୍ଷେ ମଂଚସ୍ଥ ଯାତ୍ରା ରାଜନନ୍ଦିନୀ ମଞ୍ଚ ଉପରେ ଦେଖିବାକୁ ମିଳିଛି ଅଶ୍ଳୀଳ ନୃତ୍ୟ। ଲକ୍ଷାଧିକ ଟଙ୍କା ଦେଇ ଯାତ୍ରା ପାଇଁ କମିଟି ଅପେରା ରାଜନନ୍ଦିନୀ ଆଣିଥିଲେ । ହେଲେ ଭିଡ଼ କମ୍ ହୋଇ ବେପାର ଧିମା ଥିବାରୁ କମିଟି ଜଣେ ନାଁ କରିଥିବା ଆଇଟମ ଗାର୍ଲକୁ ଡକେଇଥିଲେ । ନାଟକ ଆରମ୍ଭ ପୂର୍ବରୁ ସମ୍ପୃକ୍ତ ଆଇଟମ୍ ଗାର୍ଲ ମଞ୍ଚରେ ମାଇକ ଧରି ପ୍ରବେଶ କରିଥିଲେ । ଅଳ୍ପ ସମୟ ମଧ୍ୟରେ ବାଜିଲା ସୁପର ହିଟ ହିନ୍ଦୀ ଚଳଚ୍ଚିତ୍ର ମୋହରାର ହଟଗୀତ "ଟିପି ଟିପି ବରସା ପାନୀ" । ସେ ଗୀତର ତାଳେ ତାଳେ ନାଚିଥିଲେ ଆଇଟମ ଗାର୍ଲ ଜଣକ । ମଂଚ ଉପର ଭାଗରୁ ତାଙ୍କ ଉପରେ ପଡୁଥିଲା ପାଣି ।
ନିଜେ ମସଗୁଲ ହୋଇ ଉପସ୍ଥିତ ଦର୍ଶକଙ୍କୁ ଆକର୍ଷିତ କରି ନୃତ୍ୟ ଭିତରେ ନିଜେ ଅର୍ଦ୍ଧ ଉଲଗ୍ନ ହୋଇ ଆଇଟମ ଗାର୍ଲ ଜଣକ ସବୁ ସୀମା ଲଙ୍ଘିଥିଲେ । ଉପସ୍ଥିତ ଯାତ୍ରା କମିଟି, ପୋଲିସ, ପ୍ରଶାସନ, ସାଧାରଣ ଜନତା ସବୁ ନୀରବ ଦ୍ରଷ୍ଟା ପାଲଟିଥିଲେ । ନିଜ ନିଜ ମୋବାଇଲରେ ସମସ୍ତେ ଚିତ୍ର ଓ ଭିଡ଼ିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଦେଇଥିଲେ । ଚନ୍ଦନ ଯାତ୍ରା ଭଳି ଏକ ଆଧ୍ୟାତ୍ମିକ ଓ ପବିତ୍ର କାର୍ଯ୍ୟକ୍ରମରେ ଏଭଳି ଅଶ୍ଳୀଳ ନୃତ୍ୟ ସଭ୍ୟ ସମାଜ ପ୍ରତି ବିଦ୍ରୁପ ସଦସ୍ୟ । ଏଭଳି ଘଟଣାକୁ ଅଲ ଇଣ୍ଡିଆ ଥିଏଟର କାଉନସିଲର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରାଜଗୋପାଳ ପାଢ଼ୀ ଦୃଢ଼ ନିନ୍ଦା କରିଥିବାବେଳେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସଂସ୍କୃତି ଗବେଷକ ଡ଼. ହୃଷିକେଶ ପାଣିଗ୍ରାହୀ ଏଭଳି ଘଟଣା ସଭ୍ୟ ସମାଜ ପାଇଁ ଶୁଭଙ୍କର ନୁଁହ ବୋଲି କହିବା ସହ ଏହା ସମ୍ପୂର୍ଣ୍ଣ ବନ୍ଦ ହେବା ଉଚିତ ବୋଲି କହିଛନ୍ତି । ପ୍ରଶାସନର ମନା ସତ୍ତ୍ୱେ ଯେଉଁମାନ ଏଭଳି ଅଶ୍ଳୀଳତା କରୁଛନ୍ତି ତାକୁ ପୋଲିସ ଓ ପ୍ରଶାସନ ଉଚିତ ଦଣ୍ଡବିଧାନ କରୁ ବୋଲି ବ୍ରହ୍ମପୁର କଳାକାର ଏକତା ମଂଚର ସଭାପତି ଅନିଲ ପାତ୍ର କହିଛନ୍ତି ।
ନାଟ୍ୟ ଗବେଷକ ଡ. ମିହୀର ତ୍ରିପାଠୀ ଏଭଳି ଅପସଂସ୍କୃତି ଓ ଅଶ୍ଳୀଳତା ଅକ୍ଷମଣୀୟ ବୋଲି କହିଛନ୍ତି । ନାଟ୍ୟ ସଂଗଠକ ଭବାନୀ ଶଙ୍କର ମିଶ୍ର, କୈଳାସ ପାଣିଗ୍ରାହୀ, ନାରାୟଣ ମହାଙ୍କୁଡ଼, ସୁନିଲ ସ୍ୱାଇଁ, ସିଏଚ.ଦେବଦାସ, ଦିନବନ୍ଧୁ ଶତପଥୀ, ସୁନିଲ ସ୍ୱାଇଁ ପ୍ରମୁଖ ଘଟଣାକୁ ନିନ୍ଦା କରିଛନ୍ତି । ରମ୍ଭା ଚନ୍ଦନ ଯାତ୍ରାରେ ଚାଲିଥିବା ଅପେରା ମଞ୍ଚ ଉପରେ ପରିବେଷିତ ଅଶ୍ଳୀଳ ନୃତ୍ୟ କଳା ଓ ସଂସ୍କୃତିପ୍ରେମୀଙ୍କ ସହ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଏହି ଘଟଣାକୁ ନେଇ ପୋଲିସ ତରଫରୁ ଏକ କେଶ ଯାତ୍ରା ପାଇଁ ଅନୁମତି ନେଇଥିବା ସଦସ୍ୟଙ୍କ ବିରୁଦ୍ଧରେ ହୋଇଥିବା ରମ୍ଭା ଥାନା ଆଇଆଇସି କୁମାର ମୁଦୁଲି ସୂଚନା ଦେଇଛନ୍ତି ।