ବାଲେଶ୍ବର, ୮/୪ : ମହିଳା କନଷ୍ଟେବଳଙ୍କ ଆତ୍ମହତ୍ୟା । ପୋଲିସ ବାରାକ ଭିତରେ ରହୁଥିବା ରୁମର ଫ୍ୟାନରେ ଝୁଲି ପଡିଲେ । ଏଭଳି ଏକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ପୋଲିସ କାର୍ଯ୍ୟାଳୟ ବାରାକରେ । ଆଜି ସକାଳେ ଜଣେ ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଯଶୋଦା ଦାସ। ଯଶୋଦା ବାଲେଶ୍ବର ଏସପିଙ୍କ କାର୍ଯ୍ୟାଳୟର କମ୍ପ୍ୟୁଟର ଅପେରେଟର ଭାବେ କାର୍ଯ୍ୟ କରୁଥିଲେ । ତେବେ ସେ କାହିଁକି ଆତ୍ମହତ୍ୟା କଲେ ।
ଆତ୍ମହତ୍ୟା ପୂର୍ବରୁ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ କରିଛନ୍ତି । ସେଥିରେ ସେ ଲେଖିଛନ୍ତି , ‘ବେଳେ ବେଳେ ମଣିଷ ହୀରାକୁ ଖୋଜିବାକୁ ଯାଇ ମୂଲ୍ୟବାନ ସୁନାକୁ ହାତ ମୁଠାରେ ପାଇ ମଧ୍ୟ ଫିଙ୍ଗି ଦେଇଥାଏ । ଯେତେବେଳେ ହୀରା ଖୋଜି ଖୋଜି ଥକି ଯାଏ ସେବେ ସେ ବୁଝି ପାରେ ଫିଙ୍ଗିଥିବା ସୁନାର ମୂଲ୍ୟ କେତେ କଣ ....’ ଆତ୍ମହତ୍ୟା ପୂର୍ବରୁ ସୋସିଆଲ ମିଡିଆରେ ଏହି ପୋଷ୍ଟ କରିଛନ୍ତି ଯଶୋଦା ଦାସ ।
ମୃତ୍ୟୁର ପାଂଚ ମିନିଟ ଆଗରୁ ଏହି ପୋଷ୍ଟ । ଆଜି ସକାଳ ପ୍ରାୟ ୮ଟା ୧୫ ମିନିଟ ସମୟରେ ବାଲେଶ୍ବର ପୋଲିସ ବାରାକର ରୁମ ଭିତରେ ଥିବା ଏକ ଫ୍ୟାନରେ ଝୁଲି ପଡ଼ିଥିଲେ ଯଶୋଦା ଦାସ । ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆତ୍ମହତ୍ୟାର କାରଣ ଖୋଜୁଛି ଏବେ ବାଲେଶ୍ବର ପୋଲିସ ।
ଯଶୋଦାଙ୍କ ଘର ରେମୁଣା ଥାନାର ମନ୍ଦାରପୁର ଗାଁରେ । ୨୦୨୩ମସିହାରେ ପୋଲିସ ଚାକିରିରେ ଯୋଗ ଦେଇଥିଲେ । ତାପରଠୁ ସେ ଆଇପିଏସ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ । ତେବେ ସେ କାହିଁକି ଆତ୍ମ ହତ୍ୟା କଲେ , ତାଙ୍କ ରୁମରୁ ଦୁଇଟା ଚିଠି, ଡାଏରୀ, ଚକୋଲେଟ ଜବତ ହୋଇଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ପ୍ରେମ ବେପାରକୁ ନେଇ ଏହି ଆତ୍ମହତ୍ୟା ହୋଇଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ତାଙ୍କ ମୋବାଇଲରୁ ଆତ୍ମହତ୍ୟାର କାରଣ ଜଣା ପଡିବ ବୋଲି ଯଶୋଦାଙ୍କ କକା କହିଛନ୍ତି ।