ନୂଆଦିଲ୍ଲୀ,୨୩।୩: BIMSTEC ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ଚାହୁଁଛନ୍ତି ବାଂଲାଦେଶର ମହମ୍ମଦ ୟୁନୁସ ସରକାର। ଏଥିପାଇଁ ସେ ଅନୁରୋଧ ମଧ୍ୟ କରିଛନ୍ତି। ତେବେ ଏପର୍ଯ୍ୟନ୍ତ ଭାରତ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ସମୟ ଦେଇନି। ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଯେବେ ଏକ ସଂସଦୀୟ ପ୍ୟାନେଲ ବୈଠକ ବିଷୟରେ ପଚାରିଥିଲେ ସେ କହିଥିଲେ ଏହି ମାମଲା ଏବେ ବିଚାରଧୀନ ରହିଛି। ଉଲ୍ଲେଖନୀୟ ଯେ, ଏହି ବୈଠକ ଶନିବାର ସଂସଦୀୟ ପରାମର୍ଶ କମିଟିର ପ୍ରଥମ ବୈଠକ ରୂପରେ ଆୟୋଜିତ ହୋଇଥିଲା, ଯେଉଁଥିରେ ବହୁ ସାଂସଦ ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟ ଉପରେ ଆକ୍ରମଣକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଓ ଭାରତ ଦ୍ବାରା ଏ ସମ୍ପର୍କରେ ଉଠାଯାଇଥିବା ପଦକ୍ଷେପ ଉପରେ ପ୍ରଶ୍ନ କରିଛନ୍ତି।
ବୈଠକରେ ଏସ୍ ଜୟଶଙ୍କର ସାଂସଦଙ୍କୁ କହିଛନ୍ତି ଢାକାରେ ଅସ୍ଥାୟୀ ସରକାର କହିଛନ୍ତି, ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟ ଉପରେ ହୋଇଥିବା ଆକ୍ରମଣକୁ ରାଜନୈତିକ ରୂପ ଦେବାକୁ ଚେଷ୍ଟା ହେଉଛି। ଏହାକୁ ମାଇନରିଟି ଟାର୍ଗେଟେଡ୍ ମନେକରାଯିବା ଉଚିତ ନୁହେଁ। ଜୟଶଙ୍କର ସାଂସଦଙ୍କୁ ବାଂଶଦେଶ, ମାଳଦ୍ବୀପ, ମିଆଁମାର ଓ ଶ୍ରୀଲଙ୍କା ସହ ଭାରତର ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ। ତେବେ ସେ ପାକିସ୍ତାନ ଓ ଚୀନ୍ ମାମଲା ଉପରେ କଥା ହେବାର ସଙ୍କେତ ଦେଇଥିଲେ ଓ ବୈଠକରେ ଏହି ପ୍ରସଙ୍ଗକୁ ଅଲଗା ଭାବରେ ଉଠାଇବା କଥା କହିଥିଲେ।
ବୈଦେଶିକ ମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, SAARC (ଦକ୍ଷିଣ ଏସିଆ କ୍ଷେତ୍ର ସହଯୋଗ ସଂଗଠନ) ପାକିସ୍ତାନର ଆଭିମୁଖ୍ୟ କାରଣରୁ ନିଷ୍କ୍ରିୟ ହୋଇଯାଇଛି। ଏଥିପାଇଁ ଭାରତ BIMSTECକୁ ମଜବୁତ କରିବାର ଚେଷ୍ଟା କରୁଛି। ଜୟଶଙ୍କର ସଙ୍କେତ ଦେଇଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ରୁ ୪ ଏପ୍ରିଲ ପର୍ଯ୍ୟନ୍ତ ଥାଇଲାଣ୍ଡର ବ୍ୟାଙ୍କକ୍ରେ ଆୟୋଜିତ ହେବାକୁ ଥିବା BIMSTEC ଶିଖର ସମ୍ମିଳନୀରେ ଭାଗ ନେଇପାରନ୍ତି, ତେବେ ସେ ଏହି ଯାତ୍ରା ସମ୍ପର୍କରେ ବୈଠକରେ କହିନାହାନ୍ତି।