କୋଲକାତା,୨୧।୯: ଆରଜି କର ହସ୍ପିଟାଲରେ ଟ୍ରେନିଂ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ସାରା ଦେଶରେ ଚର୍ଚ୍ଚାର କାରଣ ପାଲଟିଥିଲା। ଏହା ବିରୋଧରେ ଦୀର୍ଘ ଦିନ ଧରି ଜୁନିଅର ଡାକ୍ତରଙ୍କ ଆନ୍ଦୋଳନ ଜାରି ରଖିଥିଲେ। ତେବେ ଶନିବାର ପଶ୍ଚିମବଙ୍ଗର ବିଭିନ୍ନ ସରକାରୀ ହସ୍ପିଟାଲରେ ଜୁନିଅର ଡାକ୍ତରମାନେ ୪୨ ଦିନ ପରେ ଆଶିଂକ ରୂପରେ କାମରେ ଯୋଗ ଦେଇଛନ୍ତି। ଡାକ୍ତରମାନେ ଏନର୍ଜେନ୍ସିରେ କାମ କରିବା ଆରମ୍ଭ କରିଛନ୍ତି, କିନ୍ତୁ ଓପିଡିରେ କାମ ଆରମ୍ଭ କରି ନାହାନ୍ତି।
ଜୁନିଅର ଡାକ୍ତରମାନେ କହିଛନ୍ତି, ଏହି ଘଟଣାରେ ପ୍ରଶାସନ ପକ୍ଷରୁ ନ୍ୟାୟ କରାଯିବା ଓ ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କୁ ହଟାଯିବାର ଦାବି ୭ ଦିନରେ ପୂରଣ କରାଯିବା ନେଇ ଅପେକ୍ଷା କରିବୁ। ଯଦି ଏଭଳି ନହୁଏ ତେବେ ପୁଣିଥରେ କାମ ବନ୍ଦ କରିବୁ। ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାର ନ୍ୟାୟ ଦାବି କରି ଡାକ୍ତରମାନେ ଆନ୍ଦୋଳନ ଆରମ୍ଭ କରିଥିଲେ। ସେମାନେ ଏହି ମାମଲାରେ ପ୍ରମୁଖ ଅଧିକାରୀଙ୍କ ସମ୍ପୃକ୍ତିର ଅଭିଯୋଗ କରି ତାଙ୍କୁ ପଦରୁ ହଟାଇବାର ଦାବି କରିଛନ୍ତି। ସିବିଆଇ ଏହି ମାମଲାର ତଦନ୍ତ କରୁଥିବା ବେଳେ ଆରଜିକର ହସ୍ପିଟାଲର ପୂର୍ବତନ ପ୍ରିନ୍ସପାଲଙ୍କ ସହ ବହୁ ଲୋକ ଗିରଫ ହୋଇଛନ୍ତି।