ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଶୁଖିଗଲାଣି କୂଅ, ନଳକୂଅ; ପାଣି କିଣୁଛନ୍ତି ହାଟପଦାବାସୀ

Published By : Bijay Swain | March 28, 2025 12:08 AM

ଦଶମନ୍ତପୁର,୨୭/୩(ଆପ୍ର): ତାତି ଯେତିକି ବଢ଼ୁଛି, ଭୂତଳ ଜଳସ୍ତର ସେତିକି ହ୍ରାସ ପାଇବାରେ ଲାଗିଛି । ଏଥିଯୋଗୁ ଶୁଖିଗଲାଣି କୂଅ, ନଳକୂଅ । ପ୍ରତିକାର ବ୍ୟବସ୍ଥା କରାଯାଉନଥିବାରୁ କିଣିବାକୁ ପଡୁଛି ପାଣି । ଖରା ଆରମ୍ଭରୁ ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଏ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍‌ ସଦର ମହକୁମାର ବାଣୁଆଗୁଡ଼ା ଓ ହାଟପଦା ବସ୍ତି ଅଞ୍ଚଳରେ । ଅଞ୍ଚଳବାସୀଙ୍କ କହିବାନୁଯାୟୀ, ବ୍ଲକ୍‌ କାର୍ଯ୍ୟାଳୟଠାରୁ ମାତ୍ର ୧୦୦ ମିଟର ଦୂରରେ ରହିଛି ଏହି ଅଞ୍ଚଳ । ହାଟପଦା ବସ୍ତିରେ ୫୦ ପରିବାର ବସବାସ କରୁଛନ୍ତି । ଲୋକସଂଖ୍ୟା ପ୍ରାୟ ୨୫୦ ହେବ । ଏଠାରେ ୨ଟି ନଳକୂଅ ଓ ଗୋଟିଏ କୂଅ ରହିଛି । ଭୂତଳ ଜଳସ୍ତର କମି ଯାଇଥିବାରୁ ଉଭୟ ନଳକୂଅରୁ ଆଉ ପାଣି ବାହାରୁନାହିଁ । ଗୋଟିଏ ହାଣ୍ଡି ପାଣି ପାଇଁ ଘଣ୍ଟା ଘଣ୍ଟା ଧରି ମହିଳାମାନେ ଅପେକ୍ଷା କରୁଛନ୍ତି । ଫଳରେ ପାନୀୟଜଳଠାରୁ ଆରମ୍ଭ କରି ଗାଧୋଇବା ଏବଂ ଲୁଗା ସଫା କରିବା ପାଇଁ ନିଅଣ୍ଟ ପଡୁଛି । ପାଖରେ ନାଦୀ ନଥିବାରୁ ଦୁଇରୁ ତିନିଦିନ ହେଲା ଉଭୟ ଅଞ୍ଚଳର ପାଣି ସମସ୍ୟା ଉତ୍କଟ ରୂପ ଧାରଣ କରିଛି । 

ପ୍ରତି ଶୁକ୍ରବାର ହାଟପଦାରେ ହାଟ ବସୁଛି । ଏଠାରେ ଚା’ ଦୋକାନରୁ ଆରମ୍ଭ କରି ହୋଟେଲ ଏବଂ ଅନ୍ୟାନ୍ୟ ଦୋକାନ, ଉଠାଦୋକାନୀଙ୍କ ପସରା ବସୁଛି । ରାତି ପାହିଲେ ସାପ୍ତାହିକ ହାଟ ଥିବାରୁ କେତେକ ପରିବାର ମିଳିତ ଭାବେ ଘରୋଇ ଠିକାସଂସ୍ଥା ପାଖରୁ ୧୬୦୦ ଟଙ୍କା ଦେଇ ପାଣି ଟାଙ୍କି କିଣି ବ୍ୟବହାର କରୁଥିବା ପୂର୍ବତନ ବ୍ଲକ୍‌ ଉପାଧ୍ୟକ୍ଷା ସୁରେଖା ବିଶୋଇ, ପୂର୍ବତନ ସରପଞ୍ଚ ରେଖା ନାଚିକା, ମମତା ବାଣୁଆ, ହେମଲତା ବିଶୋଇ, ସସ୍ମିତା ସାହୁ ପ୍ରମୁଖ କହିଛନ୍ତି । ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ନିକଟରେ ୧.୨୦ କୋଟି ଟଙ୍କା ବ୍ୟୟରେ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଛି । ଏଥିପାଇଁ ୧.୫୦ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏକ ଟାଙ୍କି ନିର୍ମାଣ କରାଯାଇଛି । ଏହି ପ୍ରକଳ୍ପ ଦ୍ୱାରା ବ୍ଲକ୍‌ ସଦର ମହକୁମା ସମେତ ନୂଆସାହି, ବ୍ଲକ୍‌ କଲୋନି, ହାଟପଦା ବସ୍ତି ଏବଂ ବାଣୁଆଗୁଡ଼ା ଗାଁ ପର୍ଯ୍ୟନ୍ତ ପାନୀୟଜଳ ଯୋଗାଇ ଦେବା ଲାଗି ସର୍ଭେ କରାଯାଇଥିଲା । ଦୁଃଖର ବିଷୟ, ଏହାକୁ କେବଳ ଦଶମନ୍ତପୁରରେ ସୀମିତ ରଖାଯାଇଛି । ଏଥିଯୋଗୁ ଉପରୋକ୍ତ ସାହିର ଲୋକେ ପାଣି ମୁନ୍ଦିଏ ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । 

ପ୍ରତିବର୍ଷ ଖରା ଆରମ୍ଭରେ ଏଭଳି ଦୁର୍ଦ୍ଦଶା ଭୋଗୁଥିଲେ ବି ପ୍ରଶାସନ ତରଫରୁ ଏହାର ସ୍ଥାୟୀ ପ୍ରତିକାର କରାଯାଉନାହିଁ । ଏହାକୁ ନେଇ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି । ବ୍ଲକ୍‌ ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ବାଣୁଆଗୁଡ଼ା, ହାଟପଦା ବସ୍ତିବାସିନ୍ଦାକୁ ପାନୀୟ ଜଳଯୋଗାଇ ଦେବାକୁ ସେମାନେ ନିବେଦନ କରିଛନ୍ତି । ନଚେତ୍‌ ବାଧ୍ୟ ହୋଇ ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ଆମେ ସ୍ଥାନୀୟ ପିଇଓ ବିକାଶ ଚନ୍ଦ୍ର ନାୟକଙ୍କୁ ପଚାରିବାରୁ କହିଛନ୍ତି, କନିଷ୍ଠ ଯନ୍ତ୍ରୀ ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିବେ । କିପରି ଅଞ୍ଚଳବାସୀ ସୁବିଧା ପାଣି ପାଇପାରିବେ, ସେ ଦିଗରେ ଖୁବଶୀଘ୍ର ପଦକ୍ଷେପ ନେଇ ଜଳଯୋଗାଣର ବ୍ୟବସ୍ଥା କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.