ଜୟପୁର,୨୮/୩: ଜେଲ୍ ଯାଇଛନ୍ତି ଲକ୍ଷ୍ମୀପୁର ବ୍ଲକର ଅଙ୍ଗନବାଡି ସୁପରଭାଇଜର ରେଣୁକା ପଟ୍ଟନାୟକ। ଗୁରୁବାର ଜଣେ ଅଙ୍ଗନବାଡି କର୍ମୀଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ପଚରାଉଚରା ପରେ ଆଜି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦାୟିତ୍ୱରେ ଥିବା ପକ୍ସୋକୋର୍ଟ ବିଚାରପତି ବାସୁଦେବ ପାତ୍ରଙ୍କ ନିକଟରେ ହାଜର କରାଯାଇଥିଲା। ଆସନ୍ତା ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ରେଣୁକାଙ୍କୁ ସ୍ଥାନୀୟ ସ୍ୱତନ୍ତ୍ର ଉପକାରାଗାରକୁ ପଠାଇ ଦିଆଯାଇଛି । ୫ ତାରିଖ ସୁଦ୍ଧା ସିଡି ଦାଖଲ କରିବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି ଶ୍ରୀ ପାତ୍ର। ସୂଚନାଥାଉକି, ଲକ୍ଷ୍ମୀପୁର ସିଡିପିଓଙ୍କ ଅଧୀନରେ ଥିବା ପିପଲପଦର ଅଙ୍ଗନବାଡି କେନ୍ଦ୍ରରେ ନୂଆ କରି ନିଯୁକ୍ତି ପାଇଛନ୍ତି ସାବିତ୍ରୀ ମାଣ୍ଡିଙ୍ଗା। ତାଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସୁପରଭାଇଜର ରେଣୁକା । ନହେଲେ କାମରେ ହଇରାଣ କରିବେ ବୋଲି ଧମକ ଦେଇଥିଲେ । ଏତେ ଟଙ୍କା ଦେବାକୁ ଅସମର୍ଥ ଥିବା ସାବିତ୍ରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ରେଣୁକାଙ୍କୁ ଧରିବାକୁ ଜାଲ ବିଛାଇଥିଲା ଭିଜିଲାନ୍ସ । ଗୁରୁବାର ବୁର୍ଜା ଅଙ୍ଗନବାଡି କେନ୍ଦ୍ରରେ ସାବିତ୍ରୀଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ରେଣୁକାଙ୍କୁ ଧରିଥିଲା । ତାଙ୍କ ପାଖରୁ ରାସାୟନିକ ରଙ୍ଗବୋଳା ଟଙ୍କା ଜବତ ହୋଇଥିଲା । ଆୟବର୍ହିଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ତାଙ୍କ ନିଜ ଗାଁ ବନ୍ଧୁଗାଁ ବ୍ଲକର ଚୁରୁକପେଟ୍ଟା, ଲକ୍ଷ୍ମୀପୁର ଭଡାଘର ଏବଂ କାର୍ଯ୍ୟାଳୟରେ ଏକକାଳୀନ ଚଢଉ କରାଯାଇଥିଲା । ଏହାର ଚଦନ୍ତ ଚାଲିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।