ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର, ୧୦/୦୯:  ଗଭୀର  ଅବପାତ ପ୍ରଭାବରେ ରାଜ୍ୟରେ  ପ୍ରବଳ ବର୍ଷା ହୋଇଛି । ଲଗାଣ ବର୍ଷାରେ  ମାଲକାନଗିରିରେ ବନ୍ୟା ପରିସ୍ଥିତି ସୃଷ୍ଟି  ହୋଇଛି । କୋରାପୁଟ ଓ ରାୟଗଡ଼ାରେ  ବି ସ୍ଥିତି ବେହାଲ ହୋଇଛି । ମଙ୍ଗଳବାର  ବି ବର୍ଷା ଲାଗି ରହିବ । ତେବେ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଛତିଶଗଡ଼ରେ ବି ନିର୍ଧୁମ ବର୍ଷିବ ।  ସେଠାରେ ବର୍ଷା ଯୋଗୁ ମହାନଦୀରେ  ବନ୍ୟା ଆଶଙ୍କା ବଢ଼ିଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ  ସୃଷ୍ଟି ହୋଇଥିବା ଗଭୀର ଅବପାତ ସୋମବାର ଦିନ ସାଢ଼େ ୧୧ଟାରେ ପୁରୀ ପାଖରେ  ଓଡ଼ିଶା ଉପକୂଳ ଅତିକ୍ରମ କରିଥିଲା । ଏହା  ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେବା  ସହ ଆଭ୍ୟନ୍ତରୀଣ ଓଡ଼ିଶା ଆଡ଼କୁ  ଯାଉଛି । ମଧ୍ୟରାତ୍ରି ସୁଦ୍ଧା ଏହା ଦୁର୍ବଳ  ହୋଇ ଅବପାତକୁ ଖସିବ ବୋଲି  ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ  କରାଯାଇଛି । ଆସନ୍ତା ୨୪ ଘଣ୍ଟାରେ ଏହା  ଉତ୍ତର ଛତିଶଗଡ଼ ଆଡ଼କୁ ଗତି କରିବ ।  

ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଏହା ଆହୁରି  ଦୁର୍ବଳ ହୋଇ ସୁଦୃଶ୍ୟ ଲଘୁଚାପକୁ  ଖସିଯିବ ବୋଲି ଆକଳନ କରାଯାଇଛି ।  ଏହା ପ୍ରଭାବରେ ଆଭ୍ୟନ୍ତରୀଣ  ଓଡ଼ିଶା ଓ ଛତିଶଗଡ଼ରେ ପ୍ରବଳ ବର୍ଷା  ଆଶଙ୍କା ଅଛି । ମଙ୍ଗଳବାର ବରଗଡ଼,  ନୂଆପଡ଼ା ଓ ଝାରସୁଗୁଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଅଛି ।  ଏହି ୩ ଜିଲ୍ଲାରେ ୭୦ରୁ ୨୦୦ମିମି  ପର୍ଯ୍ୟନ୍ତ ବର୍ଷା ହୋଇପାରେ ।  ବଲାଙ୍ଗୀର, ସୋନପୁର, ସମ୍ବଲପୁର  ଓ ସୁନ୍ଦରଗଡ଼ରେ ବି ନିର୍ଧୁମ ବର୍ଷିବ ।  ୭୦ରୁ ୧୦୦ମିମି ବର୍ଷା ସମ୍ଭାବନା ଅଛି ।

ଆସନ୍ତା ୨୪ ଘଣ୍ଟାରେ(ମଙ୍ଗଳବାର  ଦିନ ସାଢ଼େ ୧୧ଟା ଯାଏ) ବଲାଙ୍ଗୀର,  ବାଲେଶ୍ୱର, ବୌଦ୍ଧ, ଦେବଗଡ଼,  ଗଞ୍ଜାମ, ଜଗତସିଂହପୁର, କଳାହାଣ୍ଡି,  କନ୍ଧମାଳ, କେନ୍ଦୁଝର, କୋରାପୁଟ,  ମାଲକାନଗିରି, ମୟୂରଭଞ୍ଜ,  ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା,  ପୁରୀ, ରାୟଗଡ଼ା, ସମ୍ବଲପୁର,  ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ  ପ୍ରବଳ ବର୍ଷା ଆଶଙ୍କା ଥିବାରୁ ମଧ୍ୟମ  ଧରଣର ବନ୍ୟା(ଫ୍ଲାସ୍‌ ପ୍ଲଡ୍‌) ସ୍ଥିତି  ସୃଷ୍ଟି ହୋଇପାରେ ବୋଲି ଭାରତୀୟ  ପାଣିପାଗ ବିଭାଗ(ଆଇଏମଡି) ସତର୍କ  କରାଇଛି । ୧୧ ତାରିଖ ବା ବୁଧବାର  ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ  ସୁନ୍ଦରଗଡ଼ରେ ବି ବର୍ଷା ହୋଇପାରେ । 

ରାଜ୍ୟର ଅନେକ ସ୍ଥାନରେ  ଲଗାଣ ବର୍ଷା ହୋଇଛି । ଏଥିପାଇଁ ମାଲକାନଗିରି ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି  ହୋଇଛି । ମାଲକାନଗିରି-ମୋଟୁ ଜାତୀୟ  ରାଜପଥର ପୋଟେରୁ,କାଙ୍ଗୁରୁକୋଣ୍ଡା, ଏମ୍‌ଭି-୯୬, ଏମ୍‌ଭି-୭ ଓ କନ୍ୟାଶ୍ରମ ପୋଲ ଉପରେ ପାଣି ଚାଲୁଛି । ସାବେରୀ, ସିଲେରୁ, ସପ୍ତଧାରା, ତମସା ନଦୀ ଜଳସ୍ତର ହଠାତ୍‌  ବଢ଼ିଯାଇଛି । ଭୂସ୍ଖଳନ ଯୋଗୁ ବାଲିମେଳା-ଚିତ୍ରକୋଣ୍ଡା  ଘାଟି ଭାଲ୍‌ବ ହାଉସ ଛକରେ ମାଟି ଅତଡ଼ା ଧସି  ଚିତ୍ରକୋଣ୍ଡାରୁ ଆନ୍ଧ୍ରପ୍ରଦେଶକୁ ଯୋଗାଯୋଗ ବନ୍ଦ ହୋଇଯାଇଛି।   

ଖଇରପୁଟ ବ୍ଲକ୍‌ ବଣ୍ଡାଘାଟି ଅଞ୍ଚଳ  ଅଧିକ ପ୍ରଭାବିତ ହୋଇଛି । ବର୍ଷା ଲାଗି ରହିବାରୁ  ଭୂସ୍ଖଳନ ହୋଇଛି । ମାଙ୍କଡ଼ଝୋଲା ପାଖ ପାହାଡ଼ରୁ ପଥର ଖସି ରାସ୍ତାରେ ପଡ଼ିଛି । ବଣ୍ଡାଘାଟିରେ  ବହୁ ଲୋକଙ୍କ ଘର ଭାଙ୍ଗିଯାଇଛି । ବ୍ଲକ୍‌ ସଦର  ମହାକୁମାରେ ରହୁଥିବା ଜଣେ ଲୋକଙ୍କ ଉପରେ  କାନ୍ଥ ଭାଙ୍ଗି ପଡ଼ିଯିବାରୁ ସେ ଗୁରୁତର ହୋଇଛନ୍ତି ।  କାଲିମେଳାର ଏମ୍‌ପିଭି-୧୬ ଗାଁରେ ପାଣିରେ ଫସି  ରହିଥିବା ୬୦ ପରିବାରକୁ ଜିଲ୍ଲା ପ୍ରଶାସନ ଉଦ୍ଧାର  କରି ଆଶ୍ରୟସ୍ଥଳୀକୁ ନେଇଛି । 

ମଙ୍ଗଳବାର ବି ବର୍ଷା  ଆଶଙ୍କା ଥିବାରୁ ମାଲକାନଗିରି ଓ ଗଞ୍ଜାମ ଜିଲ୍ଲାର  ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି ରହିଛି । ମାଛକୁଣ୍ଡ ବିଦ୍ୟୁତ୍‌ ପ୍ରକଳ୍ପ ୟୁନିଟ୍‌ ଭିତରେ ପାଣି  ପଶିଯାଇଛି ।ଏଥିପାଇଁ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ବିଦ୍ୟୁତ୍‌ ପ୍ରକଳ୍ପର ମୁଖ୍ୟ ଜଳଭଣ୍ଡାରରେ  ବନ୍ୟା ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏଥିପାଇଁ ଜଳଭଣ୍ଡାରର ୫ଟି ଗେଟ୍‌ ଖୋଲାଯାଇଛି ।  ଲଗାଣ ବର୍ଷାରେ କୋରାପୁଟ ଓ ରାୟଗଡ଼ାର ବହୁ ଗାଁ  ପାଣିଘେରରେ ରହିଛି । ମୁନିଗୁଡ଼ା ବ୍ଲକ୍‌ ରାଣୀପିଣ୍ଡା  ନିକଟ ନଦୀ ପୋଲ ଉପରେ ପାଣି ଚାଲିବା ଯୋଗୁ  କଳାହାଣ୍ଡିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।  ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ କାନ୍ଥ ପଡ଼ି  ଜଣେ ଯୁବତୀ ଗୁରୁତର ହୋଇଛି । ବର୍ଷା ସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ ସୋମବାର ସମ୍ବଲପୁରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଜରୁରୀ  ଆଲୋଚନା କରିଛନ୍ତି । ଲଗାଣ ବର୍ଷା ଯୋଗୁ  ମାଲକାନଗିରି, କୋରାପୁଟ ସମେତ ବିଭିନ୍ନ ଜିଲ୍ଲାରେ  ଯାତାୟତ ବାଧାପ୍ରାପ୍ତ ହୋଇଛି । ଲୋକେ ପ୍ରଭାବିତ ହୋଇଛନ୍ତି । ତୁରନ୍ତ ପଦକ୍ଷେପ ନେବାକୁ ଏସ୍‌ଆରସି  ଓ ଦୁଇ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  

ଆଗାମୀ ୪୮ ଘଣ୍ଟାରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଭାରି  ବର୍ଷା ଆଶଙ୍କା ଅଛି । ଜିଲ୍ଲାପାଳମାନେ ପ୍ରସ୍ତୁତ ରହିବାକୁ  କୁହାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଅଗ୍ନିଶମ  ଡିଜି ସୁଧାଂଶୁ ଷଡ଼ଙ୍ଗୀ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ  ସଶକ୍ତିକରଣ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଓ  ଦକ୍ଷିଣାଞ୍ଚଳ ଡିଆଇଜି ଚରଣ ମୀନା ମାଲକାନଗିରି ଜିଲ୍ଲା  ଯାଇଛନ୍ତି । ଏହି ୩ ବରିଷ୍ଠ ଅଧିକାରୀ ସେଠାରେ ରହି  ବନ୍ୟା ସ୍ଥିତିର ମୁକାବିଲା କାମକୁ ତଦାରଖ କରିବେ । ରାଜ୍ୟରେ ବନ୍ୟା ଆଶଙ୍କା ଥିବାରୁ ସ୍ଥିତିର  ସମୀକ୍ଷା କରିଛନ୍ତି ଏସ୍‌ଆରସି ଦେଓରଞ୍ଜନ କୁମାର ସିଂ । 

ରାଜ୍ୟରେ ବନ୍ୟା ସ୍ଥିତି ନାହିଁ । ମଙ୍ଗଳବାରଠାରୁ  ଦକ୍ଷିଣ ଓଡ଼ିଶାରେ ସ୍ଥିତିରେ ସୁଧାର ଆସିବ ବୋଲି  ସେ କହିଛନ୍ତି । ଲଗାଣ ବର୍ଷାରେ ମାଲକାନଗିରି  ଜିଲ୍ଲାର କାଲିମେଳା ବ୍ଲକ ଅଧିକ ପ୍ରଭାବିତ ହୋଇଛି ।  ମାଲକାନଗିରିର ୬ଟି ଗାଁ ଓ କୋରାପୁଟର ୩୬ ଗାଁ  ପ୍ରଭାବିତ ହୋଇଛି । କୋରାପୁଟ ଜିଲ୍ଲାର ୧୫୦ ଘର  ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ବିଭିନ୍ନ ଜିଲ୍ଲାରେ ଓଡ୍ରାଫ୍‌  ଓ ଏନଡିଆରଏଫ ଟିମ୍‌କୁ ନିୟୋଜିତ କରାଯାଇଛି । ୭  ଜିଲ୍ଲାକୁ ଓଡ୍ରାଫ୍‌ ଟିମ୍‌ ପଠାଯାଇଥିବାବେଳେ ୪ ଜିଲ୍ଲାକୁ  ଏନଡିଆରଏଫ ଟିମ୍‌କୁ ନିୟୋଜିତ କରାଯାଇଛି ।  ସମ୍ଭାବ୍ୟ ସ୍ଥିତିକୁ ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ  ବୋଲି ଏସ୍‌ଆରସି ସୂଚନା ଦେଇଛନ୍ତି । ସେପଟେ  ବର୍ଷା ଆଶଙ୍କାରେ ସମସ୍ତ ପୌରାଞ୍ଚଳକୁ ହାଇଆଲର୍ଟରେ  ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହ ନିର୍ମାଣ ଓ ନଗର  ଉନ୍ନୟନ ବିଭାଗ ସଚିବ ଉଷା ପାଢୀ । ସହରର ତଳିଆ  ଅଞ୍ଚଳରେ ପାଣି ଜମିପାରେ । ଏଥିପାଇଁ ଆଗୁଆ  ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.