ଭୁବନେଶ୍ୱର,୧୨/୦୧: ରାଜ୍ୟରେ ଜାରି ରହିଥିବା ଶୀତ ପ୍ରକୋପରେ ସାମୟିକ ବିରତି ଲାଗିବ । ଆସନ୍ତା ୩ ଦିନ ଭିତରେ ବର୍ତ୍ତମାନ ତୁଳନାରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିବା ସମ୍ଭାବନା ଅଛି । ହେଲେ ମକର ସଂକ୍ରାନ୍ତି ପରେ ପୁଣି ରାତି ତାପମାତ୍ରା କମିବା ସହ ଶୀତ ବଢ଼ିପାରେ ।
ପାଣିପାଗ ବିଭାଗ ସୂଚନା ଅନୁସାରେ, ରବିବାରଠାରୁ ଶୀତ କମିବା ସହ ରାଜ୍ୟରେ କୁହୁଡ଼ି ପ୍ରକୋପ ବଢ଼ିବ । ସୋମବାର ରାତି ଓ ମଙ୍ଗଳବାର ସକାଳେ କୋରାପୁଟ, କନ୍ଧମାଳ, କଟକ, ଖୋର୍ଦ୍ଧା, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ନୟାଗଡ଼, ସୁନ୍ଦରଗଡ଼ରେ ଘନ କୁହୁଡ଼ି ଘେରିବା ଆଶଙ୍କା ଅଛି । ସେହିପରି ପୁରୀ, ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି, ଯାଜପୁର, ଭଦ୍ରକ, ଗଞ୍ଜାମ, ଗଜପତି, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ମଧ୍ୟମ ଧରଣର କୁହୁଡ଼ି ରହିପାରେ । ମଙ୍ଗଳବାର ରାତି ଓ ବୁଧବାର ସକାଳେ ବି କୁହୁଡ଼ି ଆଶଙ୍କା ଅଛି ।
ଗତ ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ଜି.ଉଦୟଗିରିରେ ୪.୮, ଫୁଲବାଣୀରେ ୬.୫ ଡିଗ୍ରୀ ସେଲସିୟସ୍ ଥିବା ବେଳେ ଦାରିଙ୍ଗିବାଡ଼ି ୮.୫, ରାଉରକେଲା ୮.୫, କେନ୍ଦୁଝର ୯.୪, ଝାରସୁଗୁଡ଼ା ୯.୬, ଅନୁଗୁଳ ୧୦, ସୁନ୍ଦରଗଡ଼ ୧୦.୨, ତାଳଚେର ୧୦.୮, ଭବାନୀପାଟଣା ୧୧, ନବରଙ୍ଗପୁର ୧୨ ଡିଗ୍ରୀ ଥିଲା । ଉପକୂଳ ଓଡ଼ିଶାର ବାଲେଶ୍ୱରରେ ୧୨.୩, କଟକରେ ୧୨.୫, ଭୁବନେଶ୍ୱର ୧୨.୩, ଜଗତସିଂହପୁର ୧୩ ଡିଗ୍ରୀ ଥିଲା । ଅନୁମାନ କରାଯାଉଛି, ୧୪ ତାରିଖ ବେଳକୁ ଫୁଲବାଣୀ ତାପମାତ୍ରା ୯, ରାଉରକେଲା ୧୧, ଭୁବନେଶ୍ୱର ତାପମାତ୍ରା ୧୫ ଡିଗ୍ରୀ ଥିବ । ଆସନ୍ତା ୨-୩ ଦିନ ଭିତରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ । ପରବର୍ତ୍ତୀ ୨ଦିନରେ ୨ରୁ ୩ ଡିଗ୍ରୀ କମିପାରେ।