ଭୁବନେଶ୍ୱର,୧୭/୦୨: ଆସନ୍ତା ବୁଧବାରଠାରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବ । ପଶ୍ଚିମା ବାୟୁ ପ୍ରବାହ ଯୋଗୁ ୪ ଦିନ ଯାଏ ବର୍ଷା ସମ୍ଭାବନା ଅଛି । ବୁଧବାର ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଦେବଗଡ଼, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ ଓ ବାଲେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।ପାଣିପାଗ ବିଭାଗ ଏଭଳି ଆକଳନ କରିଛି ।
୧୯ ତାରିଖରେ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି । ୨୦ ତାରିଖରେ ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଦେବଗଡ଼, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଝାରସୁଗୁଡ଼ା, ସମ୍ବଲପୁର, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ବାଲେଶ୍ୱରରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏ ସବୁ ଜିଲ୍ଲା ଭିତରୁ କିଛି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।
୨୧ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତିରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ୨୨ ତାରିଖରେ ବି ବର୍ଷିବ । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରରେ ହାଲୁକା ବର୍ଷା ହୋଇପାରେ ।
ରବିବାର ୧୩ଟି ସହରର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ପାର୍ କରିଥିଲା । ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ସର୍ବାଧିକ ୩୬.୬ ଡିଗ୍ରୀ ରେକର୍ଡ ହୋଇଛି । ଝାରସୁଗୁଡ଼ାରେ ୩୬.୨, ଅନୁଗୁଳରେ ୩୬.୧, ବଲାଙ୍ଗୀର, ଭବାନୀପାଟଣା, ଟିଟିଲାଗଡ଼ ଓ ବୌଦ୍ଧରେ ୩୬, ଢେଙ୍କାନାଳରେ ୩୫.୮, ସମ୍ବଲପୁର ଓ ସୋନପୁରରେ ୩୫.୭, ହୀରାକୁଦରେ ୩୫.୬, ଭଦ୍ରକରେ ୩୫.୫, ଭୁବନେଶ୍ୱରରେ ୩୫.୪ ଓ ବାରିପଦାରେ ୩୫ ଡିଗ୍ରୀ ଟପିଛି । ରାଜଧାନୀରେ ଦିନ ୧୦ଟାରୁ ଟାଣ ଖରା ଯୋଗୁ ତାତି ଅନୁଭୂତ ହେଉଥିଲା। ଅପରାହ୍ନ ସାଢ଼େ ୨ଟା ବେଳକୁ ଦିନ ତାପମାତ୍ରା ୩୪.୪ ଡିଗ୍ରୀ ଥିଲା । ପରେ ୩୫ ଡିଗ୍ରୀ ଟପି ଯାଇଥିଲା । ସେପଟେ ଫୁଲବାଣୀରେ ରାତି ତାପମାତ୍ରା ସର୍ବନିମ୍ନ ୧୦.୫ ଡିଗ୍ରୀ ଥିଲା ।
ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ବର୍ଷା ହେବା ନେଇ ବିଭିନ୍ନ ମଡେଲ ଆକଳନ କରିଛନ୍ତି । କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ । ତେବେ ଫେବ୍ରୁଆରୀ ଶେଷ ଯାଏ ଦିନ ଅଧିକାଂଶ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ପାଖାପାଖି ରହିବ । ରାତିରେ ବି ପାରଦ ଖସିବ ଓ ପାଗ ଆରାମଦାୟକ ରହିବ ।