ପ୍ରମୂଖ ଖବର
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ରାଜ୍ୟରେ ଆସନ୍ତା ୨୪ ଯାଏ ବର୍ଷା ସମ୍ଭାବନା, ପବନ ଏବଂ କୁଆପଥର ମାଡ଼ ନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

Published By : Prameya | February 21, 2025 8:09 AM

ଭୁବନେଶ୍ୱର, ୨୧/୦୨: ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ୨୪ ଘଣ୍ଟା ଭିତରେ ଘଡ଼ଘଡ଼ି ସହ ବର୍ଷା  ହୋଇଛି । କେତେକ ସ୍ଥାନରେ ପବନ ଓ କୁଆପଥର  ବର୍ଷିଛି । ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା  ରହିଛି । ୨୫ରେ କାଁ ଭାଁ ବର୍ଷା ହୋଇପାରେ । ତା’ପରେ  ପାଗ ଶୁଖିଲା ରହିବ । 

ଶୁକ୍ରବାର ବାଲେଶ୍ୱର, ମୟୂରଭଞ୍ଜରେ ହାଲୁକାରୁ  ମଧ୍ୟମ ବର୍ଷା ଏବଂ ଘଡ଼ଘଡ଼ି ହେବା ଆଶଙ୍କା ଅଛି । ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ । ୨୨ ତାରିଖ (ଶନିବାର)  ଅଧିକ ସ୍ଥାନରେ ବର୍ଷା ହେବା ସମ୍ଭାବନା ଅଛି । ବାଲେଶ୍ୱର, ଭଦ୍ରକ,  ଯାଜପୁର,  କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ  ଜିଲ୍ଲାର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ହାଲୁକାରୁ  ମଧ୍ୟମ ବର୍ଷା ହୋଇପାରେ । ଏହାବାଦ୍‌ ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ଢେଙ୍କାନାଳର ଅଳ୍ପ କେତେକ ସ୍ଥାନ ଏବଂ  ଅନୁଗୁଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା,  ସୁନ୍ଦରଗଡ଼, ବରଗଡ଼ର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା  ସମ୍ଭାବନା ଅଛି । ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝରରେ  ବଜ୍ରପାତ ସହ ୪୦ ରୁ ୫୦ କିମି ବେଗରେ ପବନ ଏବଂ କୁଆପଥର ମାଡ଼ ହୋଇପାରେ । ଏଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ  ଜାରି ହୋଇଛି । ଏହାବାଦ୍‌ ୧୪ଟି ଜିଲ୍ଲାରେ ବଜ୍ରପାତ  ଓ ୩୦ରୁ ୪୦ କିମି ବେଗରେ ପବନ ଆଶଙ୍କା ନେଇ  ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୩ ଓ ୨୪ ତାରିଖରେ  ବର୍ଷା ଓ ଘଡ଼ଘଡ଼ି ଆଶଙ୍କା ଅଛି । ୨୪ରେ କାଁ ଭାଁ ବର୍ଷା  ହୋଇପାରେ । ୨୬ରୁ ପାଗ ଶୁଖିଲା ରହିପାରେ । 

ଆସନ୍ତା ୨୭/୨୮ ତାରିଖବେଳକୁ ଦକ୍ଷିଣ  ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା  ସମ୍ଭାବନା ଅଛି । ସମ୍ଭବତଃ ସେତେବେଳକୁ ବର୍ଷା ନ  ହେଲେ ମଧ୍ୟ ପାଗ ଆଂଶିକ ବଦଳିପାରେ । ବର୍ତ୍ତମାନ  ରାଜ୍ୟରେ ଦିନ ତାପମାତ୍ରା ସାମାନ୍ୟ କମିଛି । ଗୁରୁବାର  ଟିଟିଲାଗଡ଼ରେ ସର୍ବାଧିକ ୩୬.୫ ଡିଗ୍ରୀ ଥିବାବେଳେ  ଭବାନୀପାଟଣା ୩୫.୮, ବଲାଙ୍ଗୀର ୩୫.୮,  ମାଲକାନଗିରି ୩୫.୫, ସମ୍ବଲପୁର ୩୫.୪ ଡିଗ୍ରୀ  ଥିଲା । ଭୁବନେଶ୍ୱର ତାପମାତ୍ରା ୩୨.୪ ଡିଗ୍ରୀକୁ ଖସିଛି । 

ବହୁ ସ୍ଥାନରେ ବୁଧବାର ରାତି ଓ ଗୁରୁବାର  ସକାଳେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଭୁବନେଶ୍ୱର,  ପୁରୀରେ ବି ଗୁରୁବାର ସକାଳୁ ଘଡ଼ଘଡ଼ି ସହ ବର୍ଷା  ହୋଇଛି । ଗୁରୁବାର ଢେଙ୍କାନାଳ, ମୟୂରଭଞ୍ଜ,  ନୟାଗଡ଼, ଅନୁଗୁଳ, ଗଞ୍ଜାମରେ ଘଡ଼ଘଡ଼ି ସହ ବର୍ଷା  ହୋଇଛି । କେତେକ ସ୍ଥାନରେ ପବନ ପ୍ରକୋପ ଅନୁଭୂତ  ହୋଇଛି । ନବରଙ୍ଗପୁରରେ ବି ହାଲୁକା ବର୍ଷା ହୋଇଛି ।  କେନ୍ଦୁଝରରେ ପବନ, ବର୍ଷା ସହ କୁଆପଥର ମାଡ଼ ବି  ହୋଇଛି । ଝୁମ୍ପୁରା ବ୍ଲକରେ ବଜ୍ରପାତରେ ୫ ଗୋରୁଙ୍କ  ମୃତ୍ୟୁ ହୋଇଛି । ଖୋର୍ଦ୍ଧାର ବେଗୁନିଆ କଣ୍ଟାମାଳରେ  ବଜ୍ରପାତରେ ୬ ଛେଳିଙ୍କ ମୃତ୍ୟୁ ହୋଇଥିବାବେଳେ  ଜଣେ ମହିଳା ଆହତ ହୋଇଛନ୍ତି । 

ଗତକାଲି ରାତିରେ  କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଯାଜପୁର, କଟକ ସମେତ ବହୁ  ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଆଜି ସକାଳରୁ  ସନ୍ଧ୍ୟା ଭିତରେ ଚାନ୍ଦବାଲିରେ ୧୮ ମିମି ଓ ଅନୁଗୁଳରେ  ୧୦ ମିମି ବର୍ଷା ହୋଇଥିବାବେଳେ କେନ୍ଦୁଝର, ଯାଜପୁର,  ଭଦ୍ରକ, ଢେଙ୍କାନାଳରେ ହାଲୁକା ବର୍ଷା ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.