ଭୁବନେଶ୍ୱର,୧୪/୦୨: ଶୁକ୍ରବାର କମିବ ରାତି ତାପମାତ୍ରା । ଦିନ ତାପମାତ୍ରା ବି ଅଳ୍ପ ଖସିବ । ସାମୟିକ ଭାବେ ଗରମ ପ୍ରକୋପରୁ ସାମାନ୍ୟ ଆଶ୍ୱସ୍ତି ମିଳିବ । ରାତିରେ ହାଲୁକା ଥଣ୍ଡା ଲାଗିପାରେ । ଏଭଳି ପୂର୍ବାନୁମାନ କରିଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ।
ଅନ୍ୟପକ୍ଷରେ ବିଶେଷଜ୍ଞଙ୍କ ଆକଳନ ହେଲା, ଆସନ୍ତା ୧୪ ଓ ୧୫ ତାରିଖରେ ରାଜ୍ୟରେ ତାପମାତ୍ରା ସାମାନ୍ୟ କମିବ । ଗରମ ପ୍ରକୋପ ବି କମିବ । ହେଲେ ୧୬ରୁ ପୁଣି ତାପମାତ୍ରା ବଢ଼ିବ । ୩୬-୩୭ ଡିଗ୍ରୀ ସେଲସିୟସ୍ ପହଞ୍ଚିପାରେ ବିଭିନ୍ନ ସ୍ଥାନର ଦିନ ତାପମାତ୍ରା ।
ପାଣିପାଗ ବିଭାଗ ଅନୁସାରେ, ବର୍ତ୍ତମାନ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ କମିବା ସମ୍ଭାବନା ଅଛି । ଫଳରେ ରାତିରେ ଗତ କିଛିଦିନ ହେବ ଯେଉଁଭଳି ପଙ୍ଖା, ଏସି ଲୋଡ଼ା ପଡ଼ୁଥିଲା ସେଭଳି ସ୍ଥିତିରେ କିଛି ପରିବର୍ତ୍ତନ ଆସିବ । ଏହାସହ ବୁଧବାର ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍ ଛୁଇଁଥିଲା । ଗୁରୁବାର ତାପମାତ୍ରା କମିଛି । ୩୫ ଡିଗ୍ରୀ ପାଖାପାଖି ରହିଛି ।
ଅନୁମାନ କରାଯାଉଛି, ଆଉ ୧ରୁ ୨ ଡିଗ୍ରୀ କମିପାରେ ଦିନ ତାପମାତ୍ରା । ଆସନ୍ତା ୪ରୁ ୫ ଦିନ ଭିତରେ ପାଣିପାଗରେ ବଡ଼ ପରିବର୍ତ୍ତନ ସମ୍ଭାବନା ନାହିଁ । ଗୁରୁବାର ଭୁବନେଶ୍ୱର ସମେତ ରାଜ୍ୟର ୮ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଏବଂ ତା’ଠାରୁ ଅଧିକ ଥିଲା। ସବୁଠାରୁ ଉତ୍ତପ୍ତ ଥିଲା ଅନୁଗୁଳ ସହର । ଏଠାରେ ପାରଦ ୩୫.୯ ଡିଗ୍ରୀ ଛୁଇଁଥିଲା ।
ଚଳିତ ବର୍ଷ ପ୍ରଥମ ଥର ପାଇଁ ଭୁବନେଶ୍ୱରର ଦିନ ତାପମାତ୍ରା ୩୫ ଡିଗ୍ରୀ ଅତିକ୍ରମ କରି ୩୫.୪ ଡିଗ୍ରୀରେ ପହଞ୍ଚିଥିଲା । ଯାଜପୁର ତାପମାତ୍ରା ୩୫.୨, ବରଗଡ଼ ୩୫.୧, ଖୋର୍ଦ୍ଧା ୩୫, ଜଗତସିଂହପୁର ୩୫, ମାଲକାନଗିରି ୩୫, ଝାରସୁଗୁଡ଼ା ୩୫, ଢେଙ୍କାନାଳ ୩୪.୯ ଡିଗ୍ରୀ ଥିଲା । ହୀରାକୁଦ, ଛତ୍ରପୁର, ଟିଟିଲାଗଡ଼, ବଲାଙ୍ଗିର, ଭବାନୀପାଟଣାରେ ପାରଦ ୩୪ ଡିଗ୍ରୀ ଉପରେ ଥିଲା ।
ରାତି ତାପମାତ୍ରା ରାଉରକେଲାରେ ୧୩ ଓ ଝାରସୁଗୁଡ଼ାରେ ୧୩.୨ ଥିବା ବେଳେ ବାକି ସବୁଠି ଅଧିକ ରହିଛି । ଉପକୂଳ ଅଞ୍ଚଳରେ ରାତି ତାପମାତ୍ରା ୨୨ରୁ ୨୪ ଡିଗ୍ରୀ ପାଖାପାଖି ରହିଛି ।