ଦାରିଙ୍ଗବାଡି,୧୭/୫ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ପେନାପୁସି ଗ୍ରାମରେ ମୁକୁଳା ପଡ଼ିଛି ଟ୍ରାନ୍ସଫର୍ମର। ପାଚେରୀ ନଥିବାରୁ ଅକାଳରେ ଯାଉଛି ଲୋକଙ୍କ ଜୀବନ। ମୁକୁଳା ଟ୍ରାନ୍ସଫର୍ମର ଯୋଗୁଁ ଶୁକ୍ରବାର ପେନାପୁସି ଗ୍ରାମର ସମିତି ପ୍ରଧାନଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି। ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁଁ ଏଭଳି ଘଟଣା ଘଟୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ଏଭଳି ଭାବେ ଗ୍ରୀନବାଡ଼ି ପଞ୍ଚାୟତ ସିକପାଟା ଗ୍ରାମରେ ୨ଟି ଟ୍ରାନ୍ସଫର୍ମର ମୁକୁଳା ହୋଇ ପଡ଼ିରହିଛି। ଉକ୍ତ ଟ୍ରାନ୍ସଫର୍ମରଟି ଚଲା ରାସ୍ତା କଡ଼ରେ ରହିଥିବା ବେଳେ ଲୋକଙ୍କ ପାଇଁ ବିପଦ ସାଜିଛି। ଏହି ଟ୍ରାନ୍ସଫର୍ମର ଚାରିପଟରେ ଆଜି ପର୍ଯ୍ୟନ୍ତ କୌଣସି ପାଚେରୀ ହୋଇ ନଥିବା ବେଳେ ଖୋଲା ଭାବେ ପଡିରହିଛି । ଆଖ ପାଖ ଅଞ୍ଚଳରେ ଅନେକ ସମୟରେ କୁନି କୁନି ପିଲାମାନେ ଖେଳକୁଦ କରୁଥିବା ବେଳେ କେତେବେଳେ ଯେ କାହାରି ଜୀବନ ଚାଲିଯିବ ତାହା କହି ହେବ ନାହିଁ । ଉକ୍ତ ସ୍ଥାନରେ ପାଚେରୀ ନିର୍ମାଣ ପାଇଁ ଗ୍ରାମବାସୀ ଅନେକ ବାର ବିଦ୍ୟୁତ୍ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ବିଦ୍ୟୁତ୍ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନାହିଁ। ଏଣୁ ଆଉ ଗୋଟିଏ ଜୀବନ ଯିବା ଆଗରୁ ଉକ୍ତ ଟ୍ରାନ୍ସଫର୍ମର ଚାରି ପାଖରେ ପାଚେରୀ ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।