ବାସୁଦେବପୁର, ୧୭/୦୫ : ଚୋରା ମଦ ବିକ୍ରି ବନ୍ଦ ଏବଂ ଜୋରଜବରଦସ୍ତି ଚାନ୍ଦା ଆଦାୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଜାମୁଝାଡୀ-ଧାମରା ମୁଖ୍ୟ ରାସ୍ତାର କସିଆ ଛକରେ ଟାୟାର ଜାଳି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ। ଖବର ପାଇ ନାଇକାଣିଡ଼ିହି ପୋଲିସ ସମେତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି। ଏବେ ରାସ୍ତାରୋକ ହଟିଛି।
ସୂଚନାନୁଯାୟୀ, ବାସୁଦେବପୁର ବ୍ଲକର କସିଆ ମେରାଇନ ଥାନା ଓ ନାଇକାଣିଡ଼ିହି ଥାନା ଅଞ୍ଚଳର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଦିନକୁ ଦିନ ଚୋରା ମଦ ବିକ୍ରି ବଢ଼ିବାରେ ଲାଗିଛି। ଦୁର୍ବୃତ୍ତମାନେ ମଦ ପିଇ ରାସ୍ତାରେ ଗାଡିକୁ ଅଟକାଇ ଜୋର ଜବରଦସ୍ତ ଚାନ୍ଦା ଆଦାୟ କରୁଛନ୍ତି। ଗୁରୁବାର ବିଳମ୍ବିତ ରାତିରେ କସିଆ ଛକ ନିକଟରେ କିଛି ଯୁବକ ମଦ ପିଇ ସଙ୍ଘବଦ୍ଧ ଭାବେ ରାସ୍ତାରେ ଯାଉଥିବା ଗାଡି ଅଟକାଇ ଜୋର ଜବରଦସ୍ତି ଚାନ୍ଦା ଆଦାୟ କରିଥିଲେ। ଏହାକୁ ନେଇ ଥାନାରେ ଅଭିଯୋଗ କରାଯାଇଥିଲେ ସୁଦ୍ଧା ପୋଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନଥିଲା। ଫଳରେ ଶନିବାର ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଛି।