ଫୁଲବାଣୀ,୧୭/୫ : ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ ରାସ୍ତା ନାରାୟଣୀ ହିଲଟପ ଉପରେ ଛୁରୀ ଓ ମରଣାସ୍ତ୍ର ଦେଖାଇ ଲୋକଙ୍କଠାରୁ ମୋବାଇଲ ଛଡାଇ ନେଉଥିବାବେଳେ ଦୂଇ ନାବାଳକଙ୍କୁ କାବୁ କରିଛି ଟାଉନ ପୋଲିସ। ଉଭୟ ଟାଉନ ଥାନା ଅଞ୍ଚଳର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ବହୁ ଦିନ ଧରି ଏମାନେ ଏଭଳି କାର୍ଯ୍ୟରେ ଲିପ୍ତ ଅଛନ୍ତି । ଜନଗହଳି ସ୍ଥାନ ଛାଡ଼ି ନିରୋଳା ସ୍ଥାନରେ ଚୋରି କରିବାକୁ ଯୋଜନା କରି ନାରାୟଣୀ ହିଲ ଟପ ରାସ୍ତାକୁ ସେମାନେ ବାଛିଥିଲେ । ଏ ନେଇ ଅଭିଯୋଗ ମିଳିବା ପରେ ଟାଉନ ଥାନା ଅଧିକାରୀ ପି. ସ୍ୱରୂପ କିଶନ ସଦଳ ବଳେ ଚଢଉ କରିଥିଲେ।
ଜନୈକ ବ୍ୟକ୍ତିଙ୍କଠାରୁ ମୋବାଇଲ ଫୋନ ଛଡ଼ାଇ ଚାଲି ଯାଉଥିବାବେଳେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା ପୋଲିସ। ସେମାନଙ୍କଠାରୁ ଗୋଟିଏ ଆଇ ଫୋନ ଓ ଗୋଟିଏ ସ୍ମାର୍ଟ ଫୋନ ସହିତ ୬ଶହ ଟଙ୍କା ଜବତ କରାଯାଇଛି। ସେମାନେ ବ୍ୟବହାର କରୁଥିବା ଏକ ଛୁରୀ ଓ ଅନ୍ୟ ଏକ ତିନି ଫାଳିଆ ଲୁହାଅସ୍ତ୍ର ଜବତ କରାଯାଇଥିବା ତଦନ୍ତକାରୀ ଅଧିକାରୀ ମନୋରଞ୍ଜନ ଭୋଇ କହିଛନ୍ତି । ଏ ନେଇ କେଶ ନଂ ୧୧୮/୨୫ରେ ଏକ ମାମଲା ରୁଜ୍ଜୁ କରାଯିବା ସହ ସମ୍ପୃକ୍ତ ଦୁଇ ନାବାଳକଙ୍କୁ ଜୁଭେନାଇଲ କୋର୍ଟରେ ହାଜର କରାଯାଇ ବୌଦ୍ଧସ୍ଥିତ ଜୁଭେନାଇଲ ହୋମକୁ ପଠାଇ ଦିଆଯାଇଥିବା ଟାଉନ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ସହରର ବିଭିନ୍ନ ଅଞ୍ଚଳରେ ଲଗାତାର ଭାବେ ପୋଲିସର ପାଟ୍ରୋଲିଂ ଜାରି ରହିଥିବା ଏବଂ ସହରର ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ଅଗ୍ରାଧିକାର ଦିଆଯାଉଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।